ଭାରତ-ପାକିସ୍ତାନ ଭିତରେ ହେଉ ଫାଇନାଲ ମୁକାବିଲା । କାହିଁକି ଏମିତି ଚାହୁଁଛନ୍ତି ପାକିସ୍ତାନ କୋଚ?

297

କନକ ବ୍ୟୁରୋ : ସୁପର-୧୨ରେ ପାକିସ୍ତାନ ଠାରୁ ଭାରତ ପରାଜିତ ହେବା ପରେ ଏବେ ଚାରିଆଡୁ ଟିମ୍ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡିଛି । ବିଶ୍ୱକପ ମୁକାବିଲାରେ ପ୍ରଥମଥର ଭାରତ ବିପକ୍ଷରେ ବିଜୟୀ ହୋଇଛି ପାକିସ୍ତାନ । ତେବେ ଏସବୁ ଭିତରେ ପାକିସ୍ତାନର ମୁଖ୍ୟ କୋଚ୍ ସକଲେନ ମୁସ୍ତାକ ଚାହୁଁଛନ୍ତି ଯେ, ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୁଅନ୍ତୁ ଭାରତ-ପାକିସ୍ତାନ । ମୁସ୍ତାକ କହିଛନ୍ତି, ଫାଇନାଲରେ ଭାରତ ସହ ମୁକାବିଲା ହେଲେ ଏହା ସ୍ମରଣୀୟ ହୋଇ ରହିବ । ଏହାଛଡା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଉଭୟ ଭାରତ-ପାକିସ୍ତାନ ଯେଉଁଭଳି ଭାଇଚାରାର ନିଦର୍ଶନ ଦେଇଛନ୍ତି ତାହାକୁ ପ୍ରଂଶସା କରିଛନ୍ତି ମୁସ୍ତାକ ।

ସାମ୍ବାଦିକ ସମ୍ମିଳନୀରେ ମୁସ୍ତାକଙ୍କୁ ଫାଇନାଲ ମୁକାବିଲାରେ ପୁଣିଥରେ ଭାରତକୁ ଭେଟିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା । ଆଉ ଏହାର ଜବାବରେ ମୁସ୍ତାକ କହିଥିଲେ, ଯଦି ଭାରତ ଫାଇନାଲ ଟିକେଟ ହାସଲ କରେ ତେବେ ଏହା ବେଶ ଭଲ ମ୍ୟାଚ୍ ହେବ । କାରଣ ଭାରତୀୟ ଟିମ୍ ବେଶ ଶକ୍ତିଶାଳୀ ଓ ଟାଇଟଲ ରେସରେ ସବୁଠୁ ବଡ ଦାବିଦାର ବୋଲି ସମସ୍ତେ ମାନିଛନ୍ତି । ଏହା ଏଥିପାଇଁ କହୁନି ଯେ, ଟିମ୍ ଇଣ୍ଡିଆକୁ ଆମେ ଗ୍ରୁପ୍ ପର୍ଯ୍ୟାୟରେ ହରାଇଛୁ ।

ଏହାଛଡା ଗୋଟିଏ ବିଶ୍ୱକପରେ ପରସ୍ପର ସହ ଦୁଇଟି ମ୍ୟାଚ୍ ଖେଳିଲେ ସମ୍ପର୍କ ଆହୁରି ସୁଦୃଢ ହେବ । ପୂର୍ବ ମ୍ୟାଚରେ ବିରାଟ କୋହଲି ଓ ଧୋନୀ ଯେଉଁଭଳି ଆମ ଖେଳାଳୀଙ୍କ ପ୍ରତି ଆଚରଣ କଲେ ତାହା ଦର୍ଶାଉଥିଲା ଯେ ଆମେ ସମସ୍ତେ ଜଣେ ଜଣେ ଭଲ ମଣିଷ । ଆମେ ସମସ୍ତେ ପରସ୍ପରକୁ ଭଲ ପାଉ, ଆଉ ଏହା ଏକ ମ୍ୟାଚ୍ ଥିଲା ବାସ୍ ।  ଏଭଳି ଆଚରଣ ଗୋଟିଏ ସନ୍ଦେଶ ଦେଇଥିଲା ଯେ, ବନ୍ଧୁଙ୍କର ବିଜୟ ହେଉ ଆଉ ଶତ୍ରୁଙ୍କର ପରାଜୟ ।

ଏସବୁ ବାଦ୍ ମୁସ୍ତାକ କହିଛନ୍ତି, ଯେତେବେଳେ ଆପଣ ବିଶ୍ୱ ଚାମ୍ପିୟନ ହେବାକୁ ଆସିଛ ସେତେବେଳେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ କିଏ ତାହା ଦେଖିବା ଠିକ୍ ନୁହେଁ । ନିଜ ଖେଳ ଉପରେ ଧ୍ୟାନ କେନ୍ଦ୍ରିତ କଲେ ସଫଳତା ମିଳିବ ନିଶ୍ଚୟ । ଭାରତ ଭଳି ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଟାଇଟଲର ପ୍ରବଳ ଦାବିଦାର ବୋଲି କହିଛନ୍ତି ମୁସ୍ତାକ । ଯଦି ଭାରତ ଫାଇନାଲ ଯାଏ ତେବେ ଆଇସିସି ଖୁସି ହେବ, ପ୍ରଂଶସକ ମଧ୍ୟ ଖୁସି ହେବେ ।