ପରମାଣୁ ଶକ୍ତିରେ ଆଗୁଆ କିଏ, ସିପ୍ରି ରିପୋର୍ଟରେ ସାମ୍ନାକୁ ଆସିଲା ବଡ ତଥ୍ୟ? ଦ୍ରୁତ ଗତିରେ ପରମାଣୁ କ୍ଷମତା ବଢାଉଛି ଚୀନ୍, ଭାରତ ଠାରୁ ପାକିସ୍ତାନ ପାଖରେ ଅଛି ଅଧିକ ନ୍ୟୁକ୍ଲିୟର ବମ୍ । 

853

କନକ ବ୍ୟୁରୋ : ସୀମାରେ ଚୀନ୍ ସହ ଭାରତର ବିବାଦ ଥମୁନଥିବା ବେଳେ ପାକିସ୍ତାନରେ ଥିବା ଭାରତ ଉଚ୍ଚାୟୁକ୍ତର ଦୁଇ କର୍ମଚାରୀ ନିଖୋଜ ହୋଇଛନ୍ତି । ସୀମାକୁ ଲାଗି ରହିଥିବା ଏହି ଦୁଇ ଦେଶ ସହ ସର୍ବଦା ଉତ୍ତେଜନା ଲାଗି ରହୁଛି । ଏପରିକି ଗତ କିଛି ଦିନ ହେବ ସୀମାରେ ଚୀନ୍ ସହ ମୁହାଁମୁହିଁ ସ୍ଥିତିରେ ରହିଛି ଭାରତୀୟ ସେନା । ଆଉ ଏସବୁ ଭିତରେ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିପ୍ରି)ର ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଗୁଡିକର ନ୍ୟୁକ୍ଲିୟର ବମ୍ ବାବଦରେ ବଡ ତଥ୍ୟ ପ୍ରକାଶ ପାଇଛି ।

ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିପ୍ରି) ଦ୍ୱାରା ଇୟରବୁକ୍ ୨୦୨୦ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପରମାଣୁ ଶକ୍ତିରେ ଭାରତ ଚୀନ୍ ଓ ପାକିସ୍ତାନ ଠାରୁ ପଛରେ ରହିଛି । ଖାସକରି ଚୀନ୍ ନିଜର ପରମାଣୁ ଶକ୍ତିକୁ ଦ୍ରୁତ ଗତିରେ ଆଗକୁ ବଢାଇବାରେ ଲାଗିଛି । ସେହିଭଳି ପାକିସ୍ତାନ ମଧ୍ୟ ଏହି ରେସରେ ପଛରେ ନାହିଁ । ସବୁଠୁ ବଡ କଥା ହେଉଛି, ଚୀନ୍ ଓ ପାକିସ୍ତାନ ଠାରୁ ଭାରତ ପାଖରେ କମ ପରମାଣୁ ଅସ୍ତ୍ର ରହିଛି । ସିପ୍ରିର ରିପୋର୍ଟ ଅନୁଯାୟୀ, ଭାରତ ପାଖରେ ୧୫୦ଟି ପରମାଣୁ ବୋମା ରହିଥିବା ବେଳେ ପାକିସ୍ତାନ ପାଖରେ ୧୬୦ ଓ ଚୀନ୍ ପାଖରେ ଭାରତର ଦୁଇଗଣା ଅଥାର୍ତ ୩୨୦ ପରମାଣୁ ଅସ୍ତ୍ର ମହଜୁଦ୍ ରହିଛି ।

ଚୀନ୍ ଲଗାତାର ନିଜର ପରମାଣୁ ଶକ୍ତିକୁ ବିକଶିତ କରିବା ସହ ପରମାଣୁ ଅସ୍ତ୍ରକୁ ବଢାଉଥିବା ବେଳେ ଭାରତ ଓ ପାକିସ୍ତାନ ମଧ୍ୟ ଧୀରେ ଧୀରେ ପରମାଣୁ କ୍ଷମତାକୁ ବଢାଇବା ଆରମ୍ଭ କରିଛନ୍ତି । ତେବେ ବିଶ୍ୱର ୯୦ ପ୍ରତିଶତ ପରମାଣୁ ଅସ୍ତ୍ର ରଖିଥିବା ଆମେରିକା ଓ ଋଷ ପୂର୍ବପେକ୍ଷା ପରମାଣୁ ଅସ୍ତ୍ର କମ କରିବା ଆରମ୍ଭ କରିଛନ୍ତି । ଜାନୁଆରୀ ୨୦୨୦ ସୁଦ୍ଧା ବିଶ୍ୱର ୯ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପାଖରେ ଏବେ ୧୩୪୦୦ ପରମାଣୁ ବୋମା ରହିଥିବା ରିପୋର୍ଟରେ କୁହାଯାଇଛି ।

୬୩୭୫ଟି ନ୍ୟୁକ୍ଲିୟର ବମ୍ ସହ ଋଷ ତାଲିକାର ଶୀର୍ଷରେ ରହିଥିବା ବେଳେ ୫୮୦୦ ନ୍ୟୁକ୍ଲିୟର ବମ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି ଆମେରିକା । ସେହିଭଳି ୩୨୦ ପରମାଣୁ ଅସ୍ତ୍ର ସହ ଚୀନ୍ ତୃତୀୟ , ୧୬୦ ପରମାଣୁ ବୋମା ସହ ପାକିସ୍ତାନ ୬ଷ୍ଠ, ୧୫୦ ପରମାଣୁ ବୋମା ମହଜୁଦ୍ ରଖି  ଭାରତ ତାଲିକାର ସପ୍ତମ ସ୍ଥାନରେ ରହିଛି । ତେବେ ଉଭୟ ଆକାଶ ଓ ଜଳପଥରେ ଭାରତ ନିଜର ପରମାଣୁ ଶକ୍ତିକୁ ବୃଦ୍ଧି କରୁଛି । ସିପ୍ରି ରିପୋର୍ଟ ମୁତାବକ, ଆକାଶପଥରୁ ଟାର୍ଗେଟକୁ ଭେଦ କରିବା ପାଇଁ ଭାରତ ପ୍ରାୟ ୪୮ଟି ନ୍ୟୁକ୍ଲିୟର ବମ୍ ବିଭିନ୍ନ ଏୟାରକ୍ରାଫ୍ଟରେ ମହଜୁଦ୍ ରଖିଛି । ସେହିଭଳି ଆଇଏନଏସ ଅରିହନ୍ତକୁ ମଧ୍ୟ ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ କରାଯାଇଛି । ଯାହାଫଳରେ ଜଳପଥରେ ମଧ୍ୟ ପରମାଣୁ ଆକ୍ରମଣ କରିପାରିବ ଭାରତ ।