ଚଳିତ ବର୍ଷ ସୀମାରେ ସର୍ବାଧିକ ଯୁଦ୍ଧବିରତି ରାଜିନାମା ଉଲ୍ଲଂଘନ କରିଛି ପାକିସ୍ତାନ : ୧୭ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଥର ହୋଇଛି ଗୁଳି ଚାଳନା, ରାଜ୍ୟସଭା ସଦନରେ ସୂଚନା ଦେଲେ ରକ୍ଷା ରାଜ୍ୟମନ୍ତ୍ରୀ ଶ୍ରୀପଦ ନାଇକ

132

କନକ ବ୍ୟୁରୋ : ସେ କାଶ୍ମୀର ସୀମାର ଏଲଓସି ହେଉ କି ଲଦାଖ ସୀମାର ଏଲଏସି ହେଉ ସବୁଠି ଅଶାନ୍ତିର ବାତାବରଣ । ହେଲେ ଏହା ଭିତରେ ଏକ ରୋଚକ ଖବର ଆସିଛି । ବର୍ତମାନ ଲଦାଖ ସୀମାରେ ଚୀନ ସହିତ ସେନା ଲଢୁଥିବା ବେଳେ ପାକିସ୍ତାନ କିନ୍ତୁ ଏହି ସୁଯୋଗର ହାତଛଡା କରିନାହିଁ । ୧ ଜାନୁଆରୀ ୨୦୨୦ ରୁ ୭ ସେପ୍ଟେମ୍ବର ୨୦୨୦ ଯାଏ ସୀମାରେ ୩,୧୮୬ ଥର ଯୁଦ୍ଧ ବିରତି ଉଲଙ୍ଘନ କରିଛି ପାକିସ୍ତାନ ସେନା । ଯାହାକି ୧୭ ବର୍ଷ ମଧ୍ୟରେ ସର୍ବାଧିକ । ୨୦୦୩ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯୁଦ୍ଧ ବିରତି ରାଜିନାମାକୁ ଭଙ୍ଗ କରିଥିଲେ । ହେଲେ ଯୁଦ୍ଧ ବିରତି ଉଲଙ୍ଘନ ବ୍ୟତିତ ୧ ଜାନୁଆରୀରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପାକିସ୍ତାନ ସେନା ସୀମା ନିକଟରେ  ୨୪୨ ଥର ସୀମାପାର ରାଜିନାମାକୁ ଉଲଙ୍ଘନ କରି ଗୁଳିଚାଳନା କରିଛନ୍ତି । ଏହି ତଥ୍ୟ ରାଜ୍ୟସଭାରେ ଦେଇଛନ୍ତି ରକ୍ଷା ରାଜ୍ୟମନ୍ତ୍ରୀ ଶ୍ରୀପଦ ନାଇକ । 

କେନ୍ଦ୍ରୀୟମନ୍ତ୍ରୀ ସଦନରେ କହିଥିଲେ କି ଯେତେବେଳେ ଏଭଳି ଘଟଣା ଘଟଣା ଘଟିଛି ଭାରତୀୟ ସେନା ତାର ମୁହଁତୋଡ ଜବାବ୍ ଦେଇଛି । ଅନ୍ୟପଟେ ଏନେଇ ଉପଯୁକ୍ତ ମାଧ୍ୟମର ବ୍ୟବହାର କରି ଏଭଳି ଘଟଣାକୁ ପାକିସ୍ତାନର ଉଚ୍ଚପଦସ୍ତ  ଅଧିକାରୀଙ୍କ ନିକଟରେ  ଉପସ୍ଥାପନା କରାଯାଇଛି । ଏହି ବର୍ଷ ସୀମା ବିରତି ଉଲଙ୍ଘନ ଫଳରେ ଆମର ୮ ଜଣ ସୈନିକ ପ୍ରାଣ ହରାଇଛନ୍ତି  ଓ ୨ ଜଣ ଗୁରୁତର ହୋଇଛନ୍ତି । 

ଏହିବର୍ଷ ପ୍ରଥମ ୬ ମାସ ଅର୍ଥାତ ଜୁନ ମାସ ଯାଏଁ ମୋଟ ୨,୪୩୨ ଥର ପାକିସ୍ତାନ ସୀମାବିରତି ରାଜିନାମାର ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ବାକି ଦିନ ମାନଙ୍କରେ ସୀମା ବିରତି ଉଲଙ୍ଘନ କିଛି ମାତ୍ରାରେ କମିଛି ।