କନକ ବ୍ୟୁରୋ: ୨୪ ଘଂଟାରେ କଥା ବଦଳାଇ ଦେଲା ପାକିସ୍ତାନ । ଗତକାଲିର ନିଷ୍ପତିରେ ପୁଣି ପାକିସ୍ତାନର ୟୁ ଟର୍ଣ୍ଣ । ଭାରତରୁ କପା ଓ ଧଳା ଚିନି ଆମଦାନୀ ନେଇ ପାକିସ୍ତାନ ସରକାର ନେଇଥିବା ନିଷ୍ପତିରୁ ଓହରି ଯାଇଛି । ଏ ସମ୍ପର୍କରେ ପାକିସ୍ତାନ କ୍ୟାବିନେଟରେ ଗତକାଲି ଆସିଥିବା ପ୍ରସ୍ତାବ ଖାରଜ ହୋଇଥିବା ସୂଚନା ମିଳିଛି । ବର୍ତମାନ ପାକିସ୍ତାନର ଘରୋଇ ଆବଶ୍ୟକତା ଓ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ଭାରତ ସହିତ ବାଣିଜ୍ୟ ସଂପର୍କରେ ଥିବା କଟକଣାକୁ ସାମାନ୍ୟ କୋହଳ କରି ଦୁଇଟି ସାମଗ୍ରୀ, ଧଳା ଚିନି ଓ କପା ଆମଦାନୀ କରିବାକୁ, ପାକିସ୍ତାନର ଇକୋନୋମିକ୍ କୋର୍ଡିନେସନ୍ କମିଟି, ଇମ୍ରାନ୍ ଖାନ୍ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲା ।
ଭାରତ ସହିତ ଠପ୍ ହୋଇଥିବା ବାଣିଜ୍ୟ କଟକଣାକୁ ହଠାତ୍ ଏପରି କୋହଳ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଇମ୍ରାନ୍ ଖାନ୍ ସରକାର । ପ୍୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ମିଟିଂରେ ଏହି ପ୍ରସ୍ତାବକୁ ପୁରା ଖାରଜ କରାଯାଇଛି । ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବା ପରେ ୨୦୧୯ ଅଗଷ୍ଟ ମାସରୁ ଭାରତ ସହିତ ପାକିସ୍ତାନ ବାଣିଜ୍ୟ ସଂପର୍କ ଛିନ୍ନ କରିଛି ।