ପାକିସ୍ତାନର ପୂର୍ବ ଆର୍ମି ଅଫିସରଙ୍କୁ ଭାରତରେ ମିଳିଲା ପଦ୍ମଶ୍ରୀ ପୁରସ୍କାର, ଜାଣନ୍ତୁ କାହିଁକି ମିଳିଲା ଏହି ସମ୍ମାନ

323

କନକ ବ୍ୟୁରୋ : ଚଳିତ ସପ୍ତାହରେ ଦେଶରେ ପଦ୍ମଶ୍ରୀ ପୁରସ୍କାରକୁ ନେଇ ଚର୍ଚ୍ଚା ଲାଗି ରହିଛି । ପଦ୍ମ ପୁରସ୍କାର ଭାରତରେ ଦିଆଯାଉଥିବା ପୁରସ୍କାର ମଧ୍ୟରେ ଚତୁର୍ଥ ସର୍ବୋଚ୍ଚ ପୁରସ୍କାର ଭାବେ ବିବେଚନା କରାଯାଏ । ଏବେ ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କିଛି ଲୋକଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ବ୍ୟକ୍ତିଗତ କାରଣରୁ ପୁରସ୍କାର ପାଇଛନ୍ତି ତ କିଛିଲୋକ ନିଜ ବୃତ୍ତି ମାଧ୍ୟମରେ ଦେଶହିତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

ପୁରସ୍କାର ପାଇଥିବା ସମସ୍ତ ଲୋକ ଭାରତରେ ସେମାନଙ୍କ ସେବା ପାଇଁ ପୁରସ୍କୃତ ହୋଇଥିବା ବେଳେ ଏହି ପୁରସ୍କାର ତାଲିକାରେ ଏମିତି ଜଣେ ଲୋକ ରହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ହେଉଛନ୍ତି ଲେଫ୍ଟନାଣ୍ଟ କର୍ନଲ (ସେବା ନିବୃତ୍ତ) କାଜି ସଜ୍ଜାଦ ଅଲ୍ଲୀ ଜହୀର । ସେ ଜଣେ ପାକିସ୍ତାନର ପୂର୍ବତନ ସୈନିକ ଯାହାଙ୍କୁ ଭାରତ ସରକାର ତରଫରୁ ପଦ୍ମ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଆପଣ ଭାବିବାକୁ ବାଧ୍ୟହେବେ ଯେ ପାକିସ୍ତାନର ଜଣେ ସେବା ନିବୃତ୍ତ କର୍ନଲଙ୍କୁ ଭାରତ କାହିଁକି ପଦ୍ମ ପୁରସ୍କାରରେ ପୁରସ୍କୃତ କଲା ? ତେବେ ଆସନ୍ତୁ ଜାଣିବା ତାଙ୍କ କାହାଣୀ …

୧୯୭୧ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପୂର୍ବରୁ ପାକିସ୍ତାନ ସୈନିକମାନେ ବାଂଲାଦେଶ (ସେତେବେଳେ ପାକିସ୍ତାନ) ରେ ଭୀଷଣ ଉପଦ୍ରବ କରୁଥିଲେ । ଏହାସହ ସେଠାରେ ପାକ ସୈନିକମାନେ ହଜାର ହଜାର ଲୋକଙ୍କୁ ହତ୍ୟା କରୁଥିଲେ । ସେହି କାରଣରୁ ସେତେବେଳେ ବାଂଲାଦେଶର ଲୋକମାନେ ପାକିସ୍ତାନ ବିରୋଧରେ ସ୍ୱର ଉଠାଇଥିଲେ । ସେହି ସମୟରେ କର୍ନଲ ଜହୀର ଭାରତୀୟ ସେନାଙ୍କ ସହ ମିଶି ପାକିସ୍ତାନ ବିରୋଧରେ ଏକ ବଡ ଅଭିଯାନ ଆରମ୍ଭ କରିଥିଲେ । ବାଂଲାଦେଶ ସ୍ୱାଧୀନ ହେବା ପୂର୍ବରୁ କର୍ଣ୍ଣଲ ଜହୀର ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଥିଲେ । ହେଲେ ପାକିସ୍ତାନ ସୈନ୍ୟମାନେ ବାଂଲାଦେଶର ଲୋକଙ୍କ ଉପରେ ଏତେ ଅତ୍ୟାଚାର କରିଥିଲେ ଯେ ଯାହାକୁ ଜହୀର ବରଦାସ୍ତ କରିପାରି ନଥିଲେ ।

ଲେଫ୍ଟନାଣ୍ଟ କର୍ନଲ ଜହୀରଙ୍କ ନାମ ଦୀର୍ଘଦିନ ଧରି କାହାର ଧ୍ୟାନ ଆକର୍ଷଣ କରିପାରି ନଥିଲା । ହେଲେ ଚଳିତ ସପ୍ତାହରେ ସେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କୁ ଭାରତ ପଦ୍ମ ପୁରସ୍କାର ଦେବାକୁ ଘୋଷଣା କରିଥିଲା । ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଏବେ ବି ବାଂଲାଦେଶ ଲୋକଙ୍କ ପାଖରେ ସେ ଅତି ପ୍ରିୟ ଓ ଭାରତ ପାଇଁ ବି ମହତ୍ୱପୂର୍ଣ୍ଣ । କର୍ନଲ ଜହୀର କହିଛନ୍ତି କି ପାକିସ୍ତାନ ସେନାର ଏତବଡ ପଦରେ ସେ ଥିଲେ ବି ପାକିସ୍ତାନ ତାଙ୍କୁ ପୁରସ୍କାର ବାବଦରେ ୫୦ ବର୍ଷ ଧରି ମୃତ୍ୟୁଦଣ୍ଡ ଦେବାକୁ ଖୋଜୁଛି ।