ସୈତାନ ପାକିସ୍ତାନର ଭୟଙ୍କର ଷଡଯନ୍ତ୍ର । କାଶ୍ମୀରରେ ଆକ୍ରମଣ କରିବାକୁ ଆଫଗାନିସ୍ତାନର ଆତଙ୍କବାଦୀଙ୍କୁ ଦେଉଛି ଅସ୍ତ୍ରଶସ୍ତ୍ର!

338

କନକ ବ୍ୟୁରୋ : ସୈତାନ ପାକିସ୍ତାନର ସାଂଘାତିକ ଷଡଯନ୍ତ୍ର । କାଶ୍ମୀରରେ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ । ଆଉ ତାହା ବି ପୁଣି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ସହାୟତାରେ । ଏଥିପାଇଁ ଏହି ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ପ୍ର୍ରସ୍ତୁତ ହେଉଛି ପାକିସ୍ତାନ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣକୁ ବଢାଇବାକୁ ଚାହୁଁଛି । ଆଫଗାନିସ୍ତାନ ଜେଲରୁ ମୁକୁଳିଥିବା ଇସଲାମିକ ଷ୍ଟେଟ ଖୁରାସାନ ଆତଙ୍କବାଦୀ ସଙ୍ଗଠନର ସଦସ୍ୟଙ୍କୁ ନିୟୋଜିତ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

ଗୁଇନ୍ଦା ସୂଚନା ମୁତାବକ, ଆଫଗାନିସ୍ତାନ ଜେଲରୁ ମୁକୁଳିଥିବା ଆଇଏସକେପି ଆତଙ୍କବାଦୀ ସଙ୍ଗଠନକୁ ପାକିସ୍ତାନ ପୂରା ସହଯୋଗ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏପରିକି କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମଧ୍ୟ ଆଇଏସକେପିର ହାତ ରହିଥିଲା । ଯେଉଁଥିରେ ୧୩ ଆମେରିକୀୟ ସୈନିକଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଥିଲେ । ଆଇଏସଆଇ ଏହି ଆତଙ୍କବାଦୀଙ୍କୁ ପିଓକେକୁ ପଠାଇବା ସହ ସେମାନଙ୍କ ଜରିଆରେ ଜମ୍ମୁ-କାଶ୍ମୀର ଓ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି । ଏପରିକି ଆଇଏସକେପିର ମୁଖ୍ୟ କମାଣ୍ଡର ମଧ୍ୟ ଆଫଗାନିସ୍ତାନ ଓ ପାକିସ୍ତାନ ବର୍ଡରରେ ନିଜର ଆଡ୍ଡା ଜମାଇଥିବା କୁହାଯାଉଛି । ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ଥିବା ଆଇଏସକେପିର ମୁଖ୍ୟ କମାଣ୍ଡର ଏବେ ଅଧିକରୁ ଅଧିକ ଯୁବକଙ୍କୁ ନିଜ ସଙ୍ଗଠନରେ ସାମିଲ କରୁଛି ।

ଏହାପୂର୍ବରୁ ତାଲିବାନକୁ ସହାୟତା କରିବାକୁ ପାକିସ୍ତାନରୁ ଅନେକ ଆତଙ୍କୀ ଆଫଗାନିସ୍ତାନକୁ ଯାଇଥିଲେ ଏବଂ ଆଫଗାନିସ୍ତାନର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଏହି ଆତଙ୍କବାଦୀ ମାନେ ଅସ୍ତ୍ରଶସ୍ତ୍ର ସହ ପାକିସ୍ତାନ ଫେରୁଥିବାର ଦେଖିବାକୁ ମିଳିଥିଲା । ଆଉ ସବୁଠୁ ବଡ କଥା ହେଲା, ଏହି ଆତଙ୍କୀ ମାନଙ୍କ ପାଖରେ ଆମେରିକା ସେନା ବ୍ୟବହାର କରୁଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥିଲା ।

ଏହି ଆତଙ୍କୀ ଯୁବକ ମାନଙ୍କୁ ଧୀରେଧୀରେ ପିଓକେ ପଠାଯିବ । ଗୁଇନ୍ଦା ସୂଚନା ମୁତାବକ, ପିଓକେରେ ଥିବା ଆତଙ୍କୀ କ୍ୟାମ୍ପରେ ଏବେ ପସ୍ତୁନ ଭାଷା କହୁଥିବା କିଛି ଯୁବକ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଯେଉଁମାନେ ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବାକୁ ସୁଯୋଗ ଖୋଜୁଛନ୍ତି । ତେବେ ସିଆରପିଏଫ ଡିଜି କହିଛନ୍ତି, ଶତ୍ରୁ ଦେଶ ପଟରୁ କୌଣସି ଆକ୍ରମଣ ହେଲେ ଏହାର ମୁକାବିଲା କରିବାକୁ ସେନା ପୂରା ପ୍ରସ୍ତୁତ ।