ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, କୁଳଭୂଷଣଙ୍କୁ ମିଳିଲା ଆବେଦନ ଅଧିକାର

127

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତୀୟ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ବଡ ସଫଳତା ମିଳିଛି । ପାକିସ୍ତାନ ସଂସଦରେ କୁଳଭୂଷଣଙ୍କୁ ଆବେଦନ ପାଇଁ ଅଧିକାର ଦିଆଯାଇଛି । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ମୁତାବକ ଏବେ ପାକିସ୍ତାନ କୁଳଭୂଷଣଙ୍କ ଆବେଦନକୁ ଅଧିକାର ଦେବାକୁ ବାଧ୍ୟ ହୋଇଛି ।

ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣଙ୍କ ଉପରେ ପଡୋଶୀ ଦେଶ ଅନେକ ମିଥ୍ୟା ଅଭିଯୋଗ ଲଗାଇଛି ଏହାସହ ତାଙ୍କୁ ଆବେଦନ କରିବାର ଅଧିକାର ବି ଦିଆଯାଉ ନଥିଲା । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏବେ ପାକିସ୍ତାନ ସଂସଦରେ କୁଳଭୂଷଣଙ୍କ ଆବଦେନ ଅଧିକାର ଉପରେ ବିଧେୟକ ପାରିତ ହୋଇଛି । ପାକିସ୍ତାନ ଅଭିଯୋଗ କରିଥିଲା କି କୁଳଭୂଷଣଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଛି ଓ ସେ ଭାରତ ପକ୍ଷରୁ ଗୁପ୍ତଚରୀ କାମ କରୁଥିଲେ ।

 

ପାକିସ୍ତାନର ସେନା ଅଦାଲତ କୁଳଭୂଷଣଙ୍କ ଉପରେ ଗୁପ୍ତଚରୀ ଅଭିଯୋଗ ଆଣି ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲା । ହେଲେ ଏହି ମାମଲା ଇଣ୍ଟରନ୍ୟାସନାଲ କୋର୍ଟରେ ପହଂଚିଥିଲା । ଆଇସିଜେରେ ଅଭିଯୋଗ ହୋଇଥିଲା କି ପାକିସ୍ତାନର ସେନା ଅଦାଲତ କୁଳଭୂଷଣଙ୍କୁ ଆବେଦନର ଅଧିକାର ଦେଇ ନାହିଁ । ଏହାକୁ ନେଇ ଭାରତ ତରଫରୁ ବାରମ୍ବାର ବିରୋଧ କରାଯିବା ସହ ଆଇସିଜେରେ ଏହି ପ୍ରସଙ୍ଗ ଉଠାଇଥିଲା ଭାରତ ।
୨୦୧୯ ରେ ଆଇସିଜେ ନିଜ ନିଷ୍ପତ୍ତି ଶୁଣାଇ କହିଥିଲା କି ପାକିସ୍ତାନକୁ ଏହି ମାମଲାରେ ସମୀକ୍ଷା କରିବାର ଆବଶ୍ୟକତା ରହିଛି । ଏହାସହ କୁଳଭୂଷଣଙ୍କୁ ତୁରନ୍ତ କୂଟନିତୀଜ୍ଞ ସହାୟତା ଯୋଗାଇ ଦେବାକୁ ଆଇସିଜେ ନିର୍ଦ୍ଦେଶ ଦେଇଥିଲା । ଏହି ଚାପରେ ଏବେ ପାକିସ୍ତାନ ସଂସଦରେ କୁଳଭୂଷଣଙ୍କୁ ଆବେଦନ ସୁଯୋଗ ଦେବାକୁ ଏକ ବିଧେୟକ ପାରିତ ହୋଇଛି ।