କନକ ବ୍ୟୁରୋ : ଦାରିଦ୍ର ସହ ଲଢୁଥିବା ପାକିସ୍ତାନକୁ ଏବେ ଆଶାର ଆଲୋକ ମିଳିଛି । ୭୦୦ ମିଲିୟନ ଡଲାର ମୂଲ୍ୟର ବେଲଆଉଟ୍ ପାଣ୍ଠିର ଚେକକୁ ଅନୁମୋଦନ ମିଳିଛି । ଯାହା ଆମ ପଡୋଶୀ ଦେଶ ପାକିସ୍ଥାନ ପାଇଁ ଅର୍ଥନୀତିରେ ସାହାୟକ ହେବ । ନଗଦ ସମସ୍ୟା ସହ ସଂଘର୍ଷ କରୁଥିବା ଏହି ଦେଶ ଏବେ ଏହି ପାଣ୍ଠି ଗ୍ରହଣ କରିଛି ଯେଉଁ ସମୟରେ କି ନିର୍ବାଚନ ହେବାକୁ ଯାଉଛି । ଏହି ସହାୟତା ପାକିସ୍ତାନବାସୀଙ୍କୁ କିଛି ପରିମାଣର ସହାୟତା କରିପାରେ ବୋଲି ଅନୁମାନ କରାଯାଇଛି ।

Advertisment

ଏକ ଖବର କାଗଜ ସୂଚନା ଅନୁସାରେ, ପାକିସ୍ଥାନର ଅର୍ଥ ମନ୍ତ୍ରଣାଳୟ କହିଛି କି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାର୍ଯ୍ୟନିର୍ବାହୀ ବୋର୍ଡ ସହିତ ପ୍ରଥମ ସମୀକ୍ଷା ଶେଷ ହୋଇଛି । ଅର୍ଥନୈତିକକ ସଂସ୍କାର କାର୍ଯ୍ୟକ୍ରମର ପ୍ରଥମ ସମୀକ୍ଷା ଶେଷ କରିବା ପରେ, ଆଇଏମଏଫ୍ ବର୍ତ୍ତମାନର ୩ ବିଲିୟନ ଆମେରିକୀୟ ଡଲାରର ବେଲଆଉଟ୍ ପ୍ୟାକେଜ ଅଧୀନରେ ୭୦ କୋଟି ଆମେରିକୀୟ ଡଲାର ଋଣକୁ ମଞ୍ଜୁରୀ ପ୍ରଦାନ କରିଛି ।

ୱାଶିଂଟନ୍ ସ୍ଥିତ ଆଇଏମଏଫ୍ ଏକ ମିଶନ ଅଧୀନରେ ଜୁଲାଇରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ପାକିସ୍ଥାନର ଆର୍ଥିକ ପ୍ରଦର୍ଶନର ସମୀକ୍ଷା କରୁଥିଲା । ଏହାର ତୁରନ୍ତ ପରେ ଆଇଏମଏଫ୍ ୭୦୦ ମିଲିୟନ ଆମେରିକୀୟ ଡଲାରର ବିତରଣକୁ ଅନୁମୋଦନ କରି ଷ୍ଟାଣ୍ଡ-ବାଇ ବ୍ୟବସ୍ଥା ଅନୁସାରେ ମୋଟ ବିତରଣରୁ ୧.୯ ବିଲିୟନ ଡଲାରକୁ ନେଇଥିଲା । ଜୁଲାଇ ୨୦୨୩ରେ ଆଇଏମଏଫ୍ ୧.୨ ବିଲିୟନ ଆମେରିକୀୟ ଡଲାରର ପାରମ୍ଭିକ କିସ୍ତି ଦେଇଥିଲା । ଅନ୍ୟ ଦୁଇଟି କିସ୍ତି ସମୀକ୍ଷା ପରେ ପ୍ରକାଶ ପାଇବ । ସେଥିମଧ୍ୟରୁ ପ୍ରଥମଟି ଶେଷ ହୋଇସାରିଛି ଏବଂ ଦ୍ୱିତୀୟଟି ବହୁତ ଶୀଘ୍ର ଶେଷ ହେବ ବୋଲି କୁହାଯାଉଛି ।

ଋଣରେ ବୁଡିରହିଥିବା ପାକିସ୍ଥାନକୁ ଆଇଏମଏଫ୍ ଲୋନ ଯୋଗାଇବା ପାଇଁ ଜୁନ୍ ୨୦୨୩ରେ ପାକିସ୍ଥାନ ସହିତ ୯ ମାସର ୩ ବିଲିୟନ ଆମେରିକୀୟ ଡଲାର ଆର୍ଥିକ ବ୍ୟବସ୍ଥା ଉପରେ ସ୍ୱାକ୍ଷର କରିଥିଲା । ଏହା ପରେ ୨୦୨୩ ନଭେମ୍ବର ରେ ଷ୍ଟାଣ୍ଡ ବାଏ ଆରେଞ୍ଜମେଣ୍ଟ ଅଧୀନରେ ପ୍ରଥମ ସମୀକ୍ଷା ବିଷୟରେ ଆଇଏମଏଫ୍ କର୍ମଚାରୀ ଏବଂ ପାକିସ୍ଥାନୀ ଅଧୀକାରୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା ।

କିଛି ବର୍ଷ ହେଲାଣି ପାକିସ୍ଥାନର ଅର୍ଥବ୍ୟବସ୍ଥାର ସ୍ଥିତି ବହୁତ ଖରାପ ରହିଛି । ଯାହାଫଳରେ ଏହି ଦେଶର ଗରିବ ଲୋକମାନେ ଅନେକ ଚାପରେ ରହୁଛନ୍ତି ।