ଗୁରୁବାର ଦିନ ପାକିସ୍ତାନର ବାଯୌରରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଅକ୍ରମ ଗାଜୀକୁ ହତ୍ୟା କରାଯାଇଛି । ପାକିସ୍ତାନରେ ଭାରତର ଶତ୍ରୁଙ୍କୁ ଏପରି ହତ୍ୟା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଏହିପରି ଆହୁରି କିଛି ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଏହାପୂର୍ବରୁ ଅଜ୍ଞାତ ଆକ୍ରମଣକାରୀ ମାନଙ୍କ ଦ୍ଵାରା ଭାରତର ମୋଷ୍ଟ ୱାଣ୍ଟେଡ  ଆତଙ୍କବାଦୀମାନେ ନିହତ ହୋଇଛନ୍ତି ।

Advertisment

ପାକିସ୍ତାନରେ ଭାରତର ଆଉ ଏକ ଶତ୍ରୁର ମୃତ୍ୟୁ ହୋଇଛି । ପୂର୍ବତନ ଲଶ୍କର-ଏ-ତୋଇବା କମାଣ୍ଡର ଅକ୍ରମ ଖାନ ଓରଫ ଅକ୍ରମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି । ଅକ୍ରମ ଭାରତ ବିରୁଦ୍ଧରେ ସବୁବେଳେ ବୟାନ ଦେଇଥାଏ । ସେ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ଲଶ୍କରରେ ନୂଆ ଆତଙ୍କବାଦୀଙ୍କର ରିକୃଟ୍ କାମ ଦେଖୁଥିଲା । ଗୁରୁବାର ଦିନ ପାକିସ୍ତାନର ବାଯୌରରେ ଅକ୍ରାମ ଗାଜୀକୁ  ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେ ଲସ୍କରର ବରିଷ୍ଠ କମାଣ୍ଡର ମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଦୀର୍ଘ ଦିନ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା ।

ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନରେ ଆତଙ୍କବାଦୀଙ୍କୁ ଏହିପରି ଟାର୍ଗେଟ କରାଯାଇଛି । ଏହାପୂର୍ବରୁ ମୁଫତି କାଇସର ଫାରୁକ୍, ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପଞ୍ଜୱାଡ, ଏଜାଜ ଅହମ୍ମଦ ଅଙ୍ଗର, ବଶିର ଅହମ୍ମଦ ପେରଙ୍କ ପରି ଅନେକ ଆତଙ୍କବାଦୀ ମଧ୍ୟ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ନିହତ ହୋଇଛନ୍ତି ।

ପାକିସ୍ଥାନର ନିଦ ହଜିଗଲାଣି

ପାକିସ୍ତାନରେ ଲଗାତାର ଭାରତ ବିରୋଧୀ ମାନଙ୍କୁ ହତ୍ୟା ଆତଙ୍କବାଦୀମାନଙ୍କ  ଭିତରେ ଆତଙ୍କ ସୃଷ୍ଟି କରିଦେଇଛି ।

ଗତମାସରେ, ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସହିଦ ଲତିଫଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଥିଲା ।  ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଲତିଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ୨୦୧୬ ରେ ପଠାନକୋଟ ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଲତିଫ। ଷ୍ଟେସନ ଉପରେ ଆକ୍ରମଣ କରିଥିବା ଚାରି ଆତଙ୍କବାଦୀଙ୍କୁ ସେ ପାକିସ୍ତାନରୁ ବସି ନିର୍ଦ୍ଦେଶ ଦେଉଥିଲା । ଏହାପୂର୍ବରୁ, ମେ ୬ ତାରିଖରେ ପାକିସ୍ତାନର ଲାହୋରରେ ଖାଲିସ୍ତାନ କମାଣ୍ଡୋ ଫୋର୍ସ ମୁଖ୍ୟ ପରମଜିତ ସିଂ ପଞ୍ଜୱାଡକୁ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିଲା । ଏହି ଖାଲିସ୍ତାନୀ ଆତଙ୍କବାଦୀ ଦୀର୍ଘ ସମୟ ଧରି ପାକିସ୍ତାନରେ ଲୁଚି ରହି ଆସୁଥିଲା । ପରମଜିତ ପାକିସ୍ତାନର ଲାହୋରରେ ବସି କାମ କରୁଥିଲା । ସେ ପାକିସ୍ତାନର ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦେଉଥିଲା । ସେ ମୁଖ୍ୟତଃ ଭାରତରେ ଭିଆଇପିମାନଙ୍କୁ ଆକ୍ରମଣ କରିବା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବାର କାମ କରୁଥିଲା । ସେ ଅଳ୍ପସଂଖ୍ୟକ ମାନଙ୍କୁ ଭାରତ ବିରୋଧରେ ଉସୁକାଉଥିଲା । ସେ ଲାହୋରରେ ବସି ରେଡିଓ ମାଧ୍ୟମରେ ଭାରତ ବିରୋଧୀ ପ୍ରଚାର କାମ ମଧ୍ୟ କରୁଥିଲା । ତାର ଆୟର ମୁଖ୍ୟସ୍ରୋତ ଡ୍ରଗସ କାରବାରରୁ ହି ଆସୁଥିଲା ।

୨୦ ଫେବୃଆରୀ ୨୦୨୩ , ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ବାସିନ୍ଦା ବଶିର ଅହମ୍ମଦ ପୀର  ଛଦ୍ମନାମ ଇମତିଆଜ ଆଲାମଙ୍କୁ ପାକିସ୍ତାନର ଜଣେ ଅଜ୍ଞାତ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲା ।  ହିଜବୁଲ ମୁଜାହିଦ୍ଦିନର ଲଞ୍ଚଇଂ କମାଣ୍ଡର ବଶିର ଅହମ୍ମଦ ପୀଠ ଓରଫ ଇମତିଆଜ ଆଲାମକୁ  ରାୱଲପିଣ୍ଡିରେ ଗୁଳି କରି ହତ୍ୟା କରାଯାଇଥିଲା ।

ଫେବୃଆରୀ ୨୨, ୨୦୨୩ : ଆତଙ୍କବାଦୀ ମୁଖା ଭାବେ ଜଣାଶୁଣା ଅଜାଜ ଅହମ୍ମଦ ଅହଙ୍ଗାର ଅଜାଜ ଅହମ୍ମଦ ଅହଙ୍ଗରକୁ ୨୨ ଫେବୃଆରୀରେ ଆଫଗାନିସ୍ତାନର କାବୁଲରେ ହତ୍ୟା କରାଯାଇଥିଲା । ଭାରତରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ସ୍ଥାପନରେ ବ୍ୟସ୍ତ ଥିବା ଇଜାଜ୍ ମଧ୍ୟ ଅଲ କାଏଦା ସହ ଯୋଗାଯୋଗରେ ଥିଲା ।

ଫେବୃଆରୀ ୨୬, ୨୦୨୩ : ଅଲ ବଦରର ପୂର୍ବତନ କମାଣ୍ଡର ସୟଦ ଖାଲିଦ ରଜାକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଥିଲା । ଅଲ ବଦର ଏକ କଟ୍ଟର ମୁସଲିମ ସଂଗଠନ । ଯିଏ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ତାଲିମ ଦେଉଥିଲା । ସୟଦ ଖାଲିଦ ରଜାକୁ କରାଚିରେ ଥିବା ତାଙ୍କ ଘର ବାହାରେ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ । ସୁଟର ରଜାଙ୍କ ମୁଣ୍ଡରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି ଚଳାଇଥିଲା । ସୟଦ ଖାଲିଦ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାରେ ସକ୍ରିୟ ଥିଲା ।

ମାର୍ଚ୍ଚ ୪ , ୨୦୨୩ : ପାକିସ୍ତାନର ଖାଇବର ପାଖତୁନ ଖୱା ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ଵାରା ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ଥିବା ସୟଦ ନୁର ଶାଲୋବରକୁ ହତ୍ୟା କରାଯାଇଥିଲା । ସେ ପାକିସ୍ତାନୀ ସେନା ଏବଂ ଗୁପ୍ତଚର ଏଜେନ୍ସି ଆଇଏସଆଇର ସହଯୋଗରେ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରୁଥିଲା ଏବଂ ନୂତନ ଆତଙ୍କବାଦୀ ଗୃପ ତିଆରି କରୁଥିଲା । ଏହିବର୍ଷ ପାକିସ୍ଥାନ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରବାଦରୁ ୧୩୦  କିଲୋମିଟର ଦୂରରେ ଥିବା ରାୱଲକୋଟରେ ଥିବା ଏକ ମସଜିଦରେ ଶୁକ୍ରବାର ପ୍ରାର୍ଥନା ବେଳେ ଆତଙ୍କବାଦୀ ମହମ୍ମଦ ରିୟାଜଙ୍କୁ ହତ୍ୟା କରାଯାଇଥିଲା । ଜଣେ ଅଜଣା ହତ୍ୟାକାରୀ ତାଙ୍କୁ ଲକ୍ଷ୍ୟ କରି ଚାରିଟି ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ହିଁ ରିୟାଜର ମୃତ୍ଯୁ ଘଟିଥିଲା ।