କନକ ବ୍ୟୁରୋ : ଭାରତ ଆସିବେ ପାକିସ୍ତାନ ବିଦେଶ ମନ୍ତ୍ରୀ । ଏସସିଓ ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଆସନ୍ତା ୪ ଓ ୫ ତାରିଖରେ ଭାରତକୁ ଆସିବେ । ପାକିସ୍ତାନ ବୈଦଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏସସିଓ ସଙ୍ଗଠନରେ ସାମିଲ ଥିବା ସମସ୍ତ ଦେଶର ବିଦେଶ ମନ୍ତ୍ରୀଙ୍କୁ ଏହି ବୈଠକରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି । ପାକିସ୍ତାନ ବିଦେଶ ମନ୍ତ୍ରୀ ପାକିସ୍ତାନ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ । ବିଲାୱଲ ଏହି ବୈଠକରେ ସାମିଲ ହେବେ କି ନାହିଁ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଭାରତର ନିମନ୍ତ୍ରଣ କ୍ରମେ ପାକିସ୍ତାନ ବିଦେଶ ମନ୍ତ୍ରୀ ଏଥିରେ ସାମିଲ ହେବେ । ଦୀର୍ଘ ବର୍ଷ ପରେ କୌଣସି ପାକିସ୍ତାନ ନେତାଙ୍କ ଭାରତକୁ ଏହା ଉଚ୍ଚସ୍ତରୀୟ ଗସ୍ତ ହେବ । ଏହି ଗସ୍ତ ପରେ ଭାରତ-ପାକିସ୍ତାନ ସମ୍ପର୍କରେ କିଛି ମାତ୍ରାରେ ସୁଧାର ଆସିପାରେ ବୋଲି କୁହାଯାଉଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଓ ପରେ ଭାରତ ପକ୍ଷରୁ ବାଲାକୋଟ ଏୟାରଷ୍ଟ୍ରାଇକ ଘଟଣା ଉଭୟ ଦେଶର ସମ୍ପର୍କରେ ତିକ୍ତତା ଆଣିଥିଲା । ସେହିଭଳି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ-ପାକିସ୍ତାନ ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଥିଲା ।

Advertisment

୨୦୧୧ ପରେ ହୀନା ରବାନୀଙ୍କ ପରେ କୌଣସି ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ଏହା ଭାରତ ଗସ୍ତ ହେବ । ଅଥାର୍ତ ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନର କୌଣସି ବିଦେଶ ମନ୍ତ୍ରୀ ଭାରତ ଗସ୍ତରେ ଆସୁଛନ୍ତି ।