ଆଫଗାନିସ୍ତାନକୁ କବଜାକୁ ନେବା ପରେ ତାଲିବାନୀଙ୍କ ପ୍ରଥମ ଅତିଥି ପାଲଟିବେ ପାକିସ୍ତାନ ନେତା । ପ୍ରତିନିଧି ମଣ୍ଡଳୀ ସହ କାବୁଲ ଯିବେ ପାକ୍ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ।

322

କନକ ବ୍ୟୁରୋ: ତାଲିବାନ କାବୁଲ କବଜାର ଠିକ୍ ଏକ ସପ୍ତାହ ପରେ ଆଫଗାନିସ୍ତାନ ଯାଉଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ । ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ପ୍ରଥମ ବିଦେଶୀ ଅତିଥି ହେବେ କ୍ୟୁରେସୀ ଓ ପାକ ପ୍ରତିନିଧିି ମଣ୍ଡଳୀ । କାବୁଲର ସୁରକ୍ଷା ହକାନୀ ନେଟୱାର୍କ ହାତକୁ ଯିବା ପରେ ଗସ୍ତ କରୁଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ । କାବୁଲରେ ସେ ତାଲିବାନ ନେତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ଥିବା ଆଫଗାନ ଗଣମାଧ୍ୟମରୁ ସୂଚନା ମିଳିଛି ।

ତାଲିବାନର କାବୁଲ ଦଖଲକୁ ନେଇ ସାରା ବିଶ୍ୱ ପ୍ରମାଦ ଗଣୁଛନ୍ତି । କିନ୍ତୁ ପାକିସ୍ତାନ ଯେ ତାଲିବାନକୁ ନେଇ ଭିନ୍ନ ଆଭିମୁଖ୍ୟ ଆପଣାଉଛି, ଏହା କ୍ୟୁରେସୀଙ୍କ କାବୁଲ ଗସ୍ତରୁ ସ୍ପଷ୍ଟ ହୋଇଛି । ଶାହା ମହମ୍ମଦ କ୍ୟୁରେସୀ କହିଛନ୍ତି ଆଫଗାନିସ୍ତାନରେ ସରକାର ଗଠନ ଦିଗରେ ପାକିସ୍ତାନ ସକରାତ୍ମକ ଉଦ୍ୟମ କରିବ । କ୍ୟୁରେସୀଙ୍କ କାବୁଲ ଗସ୍ତକୁ ନେଇ ରାଜନୈତିକ ବିଶ୍ଲେଷକ କହୁଛନ୍ତି ତାଲିବାନ ସରକାର ଗଠନ ପ୍ରକ୍ରିୟାରେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇବାକୁ ଯାଉଛି । ଅନ୍ୟପଟେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶନିବାର ରୁଷିଆ, ଜର୍ମାନୀ, ତୁର୍କୀ, ନେଦରଲାଣ୍ଡ, ବେଲଜିୟମର ବିଦେଶ ମନ୍ତ୍ରୀଙ୍କ ସହ ଆଫଗାନ ପ୍ରସଙ୍ଗରେ ଫୋନରେ କଥା ହୋଇଛନ୍ତି ।

୫ ଦେଶର ବିଦେଶ ମନ୍ତ୍ରୀଙ୍କୁ କ୍ୟୁରେସୀ ଏକ ସ୍ଥିର ଓ ଶାନ୍ତ ଆଫଗାନିସ୍ତାନ ସପକ୍ଷରେ ପାକିସ୍ତାନ ଥିବା କହିଛନ୍ତି । ସ୍ଥିର ଆଫଗାନିସ୍ତାନ ପାକିସ୍ତାନ ଓ ଦକ୍ଷିଣ ଏସିଆର ଆଞ୍ଚଳିକ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ, ତେଣୁ ଶାନ୍ତି ଓ ସ୍ଥିରତା ଆଣିବାକୁ ହେଲେ ଆଲୋଚନା ଓ ରାଜନୈତିକ ଉଦ୍ୟମ ନିତାନ୍ତ ଜରୁରୀ ବୋଲି କହିଛନ୍ତି କ୍ୟୁରେସୀ । ଅନ୍ୟପଟେ ତାଲିବାନ ମୁଖପାତ୍ର କହିଛନ୍ତି, ଆଫଗାନିସ୍ତାନରେ ପାଶ୍ଚାତ୍ୟ ରାଷ୍ଟ୍ରର ଦୃଷ୍ଟିରେ ଗାଣତାନ୍ତ୍ରିକ ସରକାର ହୋଇନପାରେ, ହେଲେ ଏହା ସମସ୍ତଙ୍କ ଅଧିକାରକୁ ସୁନିଶ୍ଚିତ କରିବ । ଏହାରି ଭିତରେ ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବରାଦର କାବୁଲରେ ବିଭିନ୍ନ ନେତାଙ୍କ ସହ ଭେଟି ସରକାର ଗଠନ ପାଇଁ ଆଲୋଚନା କରିଛନ୍ତି । ସେପଟେ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ଭାଇ ହସମତି ଘନି ମଧ୍ୟ ତାଲିବାନଙ୍କ ସହ ହାତ ମିଳାଇଛନ୍ତି ।