କନକ ବ୍ୟୁରୋ : ଜଳ ବହୁଳେ ସୃଷ୍ଟି ନାଶ ତ ଜଳ ବିହୁନେ ସୃଷ୍ଟି ନାଶ । ଏହି କଥାଟି ଏବେ ପାକିସ୍ତାନବାସୀଙ୍କ ପାଇଁ ସତ୍ୟ ପ୍ରମାଣିତ ହୋଇଛି । ଏଠାରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଶହ ଶହ ଲୋକ ବେଘର ହୋଇଯାଇଛନ୍ତି । ହେଲେ ସବୁଠାରୁ ବଡକଥା କି ଏହି ପ୍ରଳୟଙ୍କାରୀ ବନ୍ୟା ଫଳରେ ପାକିସ୍ତାନର ୩ ହଜାର କିଲୋମିଟର ସଡକ ଧୋଇଯାଇଥିବା କୁହାଯାଇଛି ।

Advertisment

ପାକିସ୍ତାନ ବିପର୍ଯ୍ୟୟ ପ୍ରଶମନ ବିଭାଗର ସୂଚନା ମୁତାବକ ଚଳିତ ବନ୍ୟାରେ ୧୧୦୦ ଲୋକଙ୍କର ଜୀବନ ଯାଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବେଘର ହୋଇଯାଇଛନ୍ତି । ଏହାସହ ୩ ହଜାର କିଲୋମିଟର ସଡକ ଧୋଇଯିବା ସହ ଶହ ଶହ ପୋଲ ଭାଙ୍ଗି ଯାଇଛି । ଚଳିତ ବନ୍ୟାରେ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ ୩୦ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ପ୍ରଳୟଙ୍କରୀ ବନ୍ୟା ।

ପାକିସ୍ତାନ ଗଣମାଧ୍ୟମ ମୁତାବକ ପାକିସ୍ତାନର ୧୧୦ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଏନେଇ ପାକିସ୍ତାନ ସରକାର ୭୨ ଟି ଜିଲ୍ଲାରେ ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି । ବିଶେଷଜ୍ଞଙ୍କ ମତରେ ଜଳବାୟୁ ପରିବର୍ତ୍ତନ କାରଣରୁ ପାକିସ୍ତାନରେ ଏଭଳି ବନ୍ୟା ସଂକଟ ଦେଖିବାକୁ ମିଳିଛି । ଏହାସହ ଜଳବାୟୁ ପରିବର୍ତ୍ତନ କାରଣରୁ ପାକିସ୍ତାନରେ ସ୍ୱାଭାବିକ ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଇଛି ।