ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ! ସୀମାରେ ଆତଙ୍କ, ସହିଦ ହୋଇଗଲେ ୪ଜଣ ଯବାନ ।

51

ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଂଚଳର ରାମଗଡ଼ ସେକ୍ଟରଠାରେ ଆଜି ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଆଖିବୁଜା ଗୁଳିମାଡ଼ କରିଛି । ପାକିସ୍ତାନ ସେନାର ଏହି ଗୁଳିମାଡ଼ରେ ୪ ଜଣ ବିଏସଏଫ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଯବାନଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଶ୍ରୀନଗର ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସହିଦଙ୍କ ମଧ୍ୟରେ ଜଣେ ସହକାରୀ କମାଣ୍ଡାଣ୍ଟ, ଜଣେ ସବ-ଇନ୍ସପେକ୍ଟର ଏବଂ ଦୁଇଜଣ ବିଏସଏଫ ଯବାନ ଥିବା ଆଇଜି ରାମ ଅବତାର କହିଛନ୍ତି ।

ସୀମାରେ ଶାନ୍ତି ସ୍ଥାପନ ସହ ଅସ୍ତ୍ରବିରତି ପାଳନ କରିବା ପାଇଁ ପାକ୍ ରେଞ୍ଜର୍ସ ପ୍ରତିଶ୍ରୁତି ଦେଇଥିଲା । ଏହା ସହିତ ନିକଟରେ ହୋଇଥିବା ଡିଜିଏମଓ ଓ ଫ୍ଳାଗ୍ ବୈଠକରେ ମଧ୍ୟ ପାକିସ୍ତାନ ୨୦୦୩ ଅସ୍ତ୍ରବିରତି ନିୟମ ପାଳନ କରିବ ବୋଲି କହିଥିଲା । ତେବେ ବାରମ୍ବାର ପାକିସ୍ତାନ ପ୍ରତିଶ୍ରୁତି ଦେଇ ଏଭଳି ଅସ୍ତ୍ରବିରତି ଉଲ୍ଳଂଘନ କରିଚାଲିଥିବାରୁ ଏହାକୁ ନେଇ ଭାରତୀୟ ସେନା କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ମିଳିଥିବା ଖବର ମୁତାବକ, ରାମଗଡ଼ ସେକ୍ଟର ଚାମଲିୟାଲ ପୋଷ୍ଟ ନିକଟରେ ଗତରାତି ସାଢେ ୧୦ଟାରୁ ଭୋର ୪ଟା ଯାଏଁ ପାକିସ୍ତାନ ପକ୍ଷରୁ ଆଖିବୁଜା ଗୁଳିମାଡ ହୋଇଥିଲା । ଡିଜିଏମଓ ବୈଠକ ପରେ ଚଳିତମାସରେ ଏହା ଦ୍ୱିତୀୟ ବଡ଼ ଧରଣର ଅସ୍ତ୍ର ବିରତି ଉଲ୍ଲଂଘନ ।

ଜୁନ୍ ୩ ତାରିଖରେ ପ୍ରଗଓ୍ଵାଲ, କକାନଚକ୍ ସେକ୍ଟରରେ ପାକ୍ ସେନାର ଗୁଳିମାଡ଼ରେ ୨ଜଣ ବିଏସଏଫ୍ ଯବାନ ସହିଦ ହୋଇଥିଲେ ଓ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଚଳିତ ବର୍ଷ ଏଯାବତ୍ ପାକ୍ ଗୁଳିମାଡ଼ରେ ୨୪ ଜଣ ଯବାନଙ୍କ ସହ ମୋଟ ୫୦ ଜଣଙ୍କର ମୃତ୍ୟୁ ହେଲାଣି । ପାକିସ୍ତାନର ଏଭଳି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ ପରେ ସୀମାନ୍ତ ଗ୍ରାମଗୁଡ଼ିକରେ ରହୁଥିବା ଲୋକେ ଭୟଭୀତ ହୋଇ ଗ୍ରାମ ଛାଡ଼ି ସେନା କ୍ୟାମ୍ପ ଗୁଡ଼ିକୁ ଚାଲି ଯାଇଥିଲେ । କିନ୍ତୁ ଉଭୟ ଡିଜିଏମ୍ଓ ଓ ଫ୍ଲାଗ ବୈଠକ ପରେ ସୀମାରେ ଶାନ୍ତି ଫେରିବା ଆଶାରେ ସେମାନେ ଘରକୁ ଫେରିଥିଲେ । ଏବେ ସୀମାରେ ପୁଣି ଉତ୍ତେଜନା ଭୟଙ୍କର ରୂପ ନେଇଥିବାରୁ ଆତଙ୍କ ସୃଷ୍ଟି ହୋଇଛି ।