କନକ ବ୍ୟୁରୋ : ରୋଚକ ହେଉଛି ବିଶ୍ୱକପ ଗଣିତ । ପ୍ରତି ମ୍ୟାଚ୍ ପରେ ବଦଳୁଛି ସମୀକରଣ । ସବୁ ଟିମ୍ ୬ଟି ଲେଖାଏଁ ମ୍ୟାଚ୍ ଖେଳି ସାରିବା ପରେ ମଧ୍ୟ ଏଯାଏଁ ସେମିଫାଇନାଲ ଟିକେଟ ହାତେଇନାହାନ୍ତି କୌଣସି ଦଳ । ଯାହା ବିଶ୍ୱକପର କ୍ରେଜକୁ ଆହୁରି ବଢାଇ ଦେଇଛି । କେବଳ ବାଂଲାଦେଶ ସେମିଫାଇନାଲ ଦୌଡରୁ ବାଦ୍ ପଡିଥିବା ବେଳେ ଅନ୍ୟ ୯ଟି ଟିମ୍ ସେମିଫାଇନାଲ ରେସରେ ରହିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଏକପ୍ରକାର ସେମିଫାଇନାଲ ଟିକେଟ ହାତେଇ ସାରିଥିବା ବେଳେ ଅନ୍ୟ ୭ଟି ଟିମ୍ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ୬ଟି ଲେଖାଏଁ ମ୍ୟାଚ୍ ଜିତି ସେମିଫାଇନାଲ ଦାବିଦାରକୁ ଦୃଢ କରିଛନ୍ତି ।

Advertisment

ଆଜି ଭାରତ ନିଜର ୭ମ ମୁକାବିଲା ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ତେବେ ଏହି ମ୍ୟାଚରେ ଭାରତର ବିଜୟୀ ହେଉ ବୋଲି ପାକିସ୍ତାନ କ୍ରିକେଟପ୍ରେମୀ ଚାହୁଁଛନ୍ତି । ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ପାକିସ୍ତାନ କ୍ରିକେଟପ୍ରେମୀ । କାରଣ ଭାରତ ଏହି ମ୍ୟାଚରେ ବିଜୟୀ ହେଲେ ହିଁ ପାକିସ୍ତାନ ପାଇଁ ସେମିଫାଇନାଲ ଆଶା ଉଜ୍ଜିବୀତ ରହିବ ଏବଂ ଶ୍ରୀଲଙ୍କା ସେମିଫାଇନାଲ ରେସରୁ ଏକପ୍ରକାର ବାଦ୍ ପଡିବ । ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ବିଜୟୀ ହେଲେ ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ ହାତେଇବ ରୋହିତ ବାହିନୀ ।

ପାକିସ୍ତାନ ଏବେସୁଦ୍ଧା ୭ଟି ମ୍ୟାଚରୁ ୩ଟି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ ଖେଳିବାକୁ ରାସ୍ତା ଖୋଜୁଛି । ନିଜର ପରବର୍ତ୍ତୀ ୨ଟି ମ୍ୟାଚରେ ବିଜୟ ଏବଂ ଅନ୍ୟ ଟିମର ଫଳାଫଳ ଉପରେ ପାକିସ୍ତାନର ସେମିଫାଇନାଲ ଟିକେଟ ନିର୍ଭର କରୁଛି । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ନିଜର ପରବର୍ତ୍ତୀ ମୁକାବିଲା ହାରିବା ସହ ପାକିସ୍ତାନ ନିଜର ୨ଟି ମ୍ୟାଚରେ ବିଜୟୀ ହେଲେ ହିଁ ବାବର ବାହିନୀ ପାଇଁ ସେମିଫାଇନାଲ ରାସ୍ତା ଖୋଲିବ । କିନ୍ତୁ ୨ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ପରାଜିତ ହେଲେ ବାବର ବାହିନୀର ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହେବ । ପାକିସ୍ତାନର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ରହିଛି । ଯେହେତୁ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ ପ୍ରବଳ ଦାବିଦାର ରହିଛି ତେଣୁ ବାବର ବାହିନୀକୁ କିୱି ଦଳ ବିପକ୍ଷରେ କଡା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଅନ୍ୟପଟେ ଗତକାଲି ଦକ୍ଷିଣ ଆଫ୍ରିକା  ବଡ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ହରାଇବା ଦ୍ୱାରା ପାକିସ୍ତାନକୁ ଫାଇଦା ମିଳିଛି । ନ୍ୟୁଜିଲାଣ୍ଡର ରନ୍ ରେଟ କମିଥିବା ବେଳେ ପାକିସ୍ତାନର ସେମିଫାଇନାଲ ଆଶା ଉଜ୍ଜିବୀତ ରହିଛି । ଏବେ ବାବର ବାହିନୀ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।