ପୁଣି ପାକିସ୍ତାନକୁ ପାନେ! ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଇବାରେ ବିଫଳ ହୋଇଛି ପାକିସ୍ତାନ, ଆତଙ୍କୀଙ୍କୁ ଅଡୁଆ କଲା ଆମେରିକା ରିପୋର୍ଟ

1,060

କନକ ବ୍ୟୁରୋ: ଯେ ପାଞ୍ଚେ ପରର ମନ୍ଦ ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଏହି ଉକ୍ତି ଏବେ ବାସ୍ତବରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ବିଶ୍ୱରେ ଆତଙ୍କୀ ରାଜ ଚଳାଇଥିବା ପାକିସ୍ତାନକୁ ପୁଣି ଏକ ଶକ୍ତ ଝଟକା ଲାଗିଛି ।  ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ହୋଇଛି ପାକିସ୍ତାନ  । ଏନେଇ ଆମେରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି । 

ଆମେରିକା ବର୍ହିବ୍ୟାପାର ବିଭାଗ ଦ୍ୱାରା ପ୍ରକାଶ ପାଇଥିବା କଣ୍ଟ୍ରି ରିପୋର୍ଟ ଅନ୍ ଟେରୋରିଜିମ୍-୨୦୧୮ ରିପୋର୍ଟରେ ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସବୁଠାରୁ ବଡ଼କଥା ହେଲାକି, ପାକିସ୍ତାନରେ ମୁଣ୍ଡ ଟେକିଥିବା ଆଫଗାନିସ୍ତାନର ତାଲିବାନ୍ ଆତଙ୍କବାଦୀ ସଂଗଠନ ଦ୍ୱାରା ତାଲିମ୍ କାର୍ଯ୍ୟ ଜାରି ରହିଛି । ଆଉ ପାକିସ୍ତାନର ରାଜନୈତିକ ନେତା ତାଲିବାନ୍ ଆତଙ୍କବାଦୀ ସଂଗଠନକୁ ଖୋଲାଖୋଲି ସମର୍ଥନ ଦେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । 

ଅନ୍ୟପଟେ ୨୦୧୮ ଜୁଲାଇ ମାସ ଶେଷ ସୁଦ୍ଧା, ଜମାତ୍-ଉଦ୍-ଦାଓ୍ବା ମୁଖ୍ୟ ଆତଙ୍କବାଦୀ ହାଫିଜ୍ ସଇଦ୍ ମିଲ୍ଲି ମୁସଲିମ୍ ଲିଗ୍ ଗଠନ କରି ନିର୍ବାଚନ ମଧ୍ୟ ଲଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି । ସେପଟେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ୍-ଇ-ମହମ୍ମଦ୍ , ଲଶ୍ମର-ଇ-ତୋଏବା ଏବଂ ଜମାତ୍-ଉଦ୍-ଦାଓ୍ବା ଆତଙ୍କବାଦୀ ସଂଗଠନର ପାଣ୍ଠି ସଂଗ୍ରହ ଲଗାତାର ବଢୁଥିବା ଏହି ରିପୋର୍ଟରେ ଉଲ୍ଲେଖ ରଖାଯାଇଛି । ଆଉ ଏହାକୁ ନେଇ ଆତଙ୍କୀ ରାଷ୍ଟ୍ର ଭାବେ ଘୋଷିତ ହୋଇଥିବା ପାକ୍ ଚିନ୍ତାରେ ପଡ଼ିଛି ।