ଆତଙ୍କୀକୁ ଭାରତକୁ ପଠାଇଥିଲା ଶତ୍ରୁରାଷ୍ଟ୍ର । ପୁଲୱାମା ଆକ୍ରମଣରେ ପାକିସ୍ତାନ ସମ୍ପୃକ୍ତିର ସତ ଓଗାଳିଲେ ପାକ୍ ସାଂସଦ ।

535
କନକ ବ୍ୟୁରୋ: ଯେଉଁ ସଂସଦ ଭବନରେ ମିଛ କହିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେହି ସ୍ଥାନରେ ଇମ୍ରାନଙ୍କ ପୋଲ ଖୋଲିଦେଇଛନ୍ତି ତାଙ୍କ ମନ୍ତ୍ରୀ । ଏବଂ ପାକିସ୍ତାନ ବିରୋଧରେ ଭାରତ ଆଣୁଥିବା ଅଭିଯୋଗ ପୁଣିଥରେ ସତ ସାବ୍ୟସ୍ତ ହୋଇଛି । ଏହି ବୟାନ ଆଧାରରେ ଜାତିସଂଘ ପଦକ୍ଷେପ ନେଇପାରେ । ସେପଟେ ଏଫଏଟିଏଫରେ କଳା ତାଲିକା ଭୁକ୍ତ କରିବା ପାଇଁ ଭାରତ ପକାଇବ ଚାପ ।
ଯେଉଁକଥା ଭାରତ ମୂଳରୁ ଦାବି କରିଆସୁଥିଲା, ସେହି କଥାକୁ ୬୨୩ ଦିନ ପରେ ମାନିନେଇଛି ପାକିସ୍ତାନ । ନ୍ୟାସନାଲ ଆସେମ୍ବଲି ଅର୍ଥାତ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ବୟାନ ଦେଖନ୍ତୁ । କିଭଳି ବଡ ଗର୍ବରେ ଘୋଷଣା କରୁଛନ୍ତି ଯେ, ପୁଲୱାମାରେ ଆକ୍ରମଣ କରିଥିଲା ପାକିସ୍ତାନ । ଏବଂ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦେଇଛନ୍ତି ।
ହେଲେ ଟିକେ ମନେ ପକାନ୍ତୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନ । ଯେଉଁଥିରେ ସେ କହୁଥିଲେ ଯେ, ଏଥିରେ ପାକିସ୍ତାନର କୌଣସି ହାତ ନାହିଁ । ହେଲେ ସଇତାନ ପାକିସ୍ତାନର ପୋଲ ଖୋଲି ଦେଇଛନ୍ତି ଇମ୍ରାନ ଖାନଙ୍କ ମନ୍ତ୍ରୀ । ଏବଂ ପାକିସ୍ତାନ ବିରୋଧରେ ଭାରତ ଆଣୁଥିବା ଅଭିଯୋଗ ପୁଣିଥରେ ସତ ସାବ୍ୟସ୍ତ ହୋଇଛି ।
ଦିନକ ପୂର୍ବରୁ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ପୂର୍ବତନ ବାଚସ୍ପତି ତଥା ବିରୋଧୀ ପିଏମଏଲ(ଏନ) ସାଂସଦ ଅୟାଜ ସାଦିକ କହିଥିଲେ  ଯେ, ଭାରତ ଭୟରେ ଅଭିନନ୍ଦନ ବର୍ତମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ଏପରିକି ଆକ୍ରମଣ ଭୟରେ ପାକ ସେନାମୁଖ୍ୟଙ୍କ ଗୋଡ ଥରୁଥିବା ବେଳେ ମୁଣ୍ଡରୁ ଝାଳ ବହି ଯାଉଥିଲା ।
ଏହି ବୟାନର ଜବାବରେ ଇମ୍ରାନଙ୍କ ମନ୍ତ୍ରୀ ସେହି ସତକୁ ମାନି ଯାଇଥିଲେ, ଯାହା ଆଜିଯାଏଁ କେବଳ ଭାରତର ଅଭିଯୋଗ ଭିତରେ ସୀମିତ ଥିଲା । ପାକିସ୍ତାନର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ପରେ ପ୍ରଶ୍ନ ଉଠୁଛି
ସତ ମାନିଲା ସଇତାନ, କେବେ ହେବ କାର୍ଯ୍ୟାନୁଷ୍ଠାନ?
– ବୟାନ ଆଧାରରେ କ’ଣ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବ ଜାତିସଂଘ?
– ଗ୍ରେ-ଲିଷ୍ଟରେ ଥିବା ପାକିସ୍ତାନକୁ ବ୍ଲାକଲିଷ୍ଟ କରିବାକୁ ପଦକ୍ଷେପ ନେବ ଏଫଏଟିଏଫ?
ପାକିସ୍ତାନରେ ଏବେ ଭୀଷଣ ରାଜନୈତିକ ଅସ୍ଥିରତା ଲାଗିରହିଛି । ୧୧ଟି ବିରୋଧୀ ରାଜନୈତିକ ଦଳ କ୍ଷମତାରେ ଥିବା ଇମ୍ରାନ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ରାଲି କରି ଜନମତ ସୃଷ୍ଟି କରୁଛନ୍ତି । ଇମ୍ରାନ ଖାନଙ୍କୁ ପାକ ସେନାର ସକ୍ଷୀ କଣ୍ଢେଇ କହି ପାକିସ୍ତାନବାସୀଙ୍କ ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଥିବାରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି । ଏଭଳି ସୁଯୋଗରେ ପାକିସ୍ତାନକୁ ଏକ ଘରିକିଆ କରିବା ପାଇଁ ଅଧିକ କୂଟନୈତିକ ଚାପ ପ୍ରୟୋଗ କରିବା ଉଚିତ ବୋଲି ବିଶେଷଜ୍ଞଙ୍କ ମତ । ସଇତାନ ପାକିସ୍ତାନକୁ କଳା ତାଲିକାଭୁକ୍ତ କରି ଅନ୍ତର୍ଜାତୀୟ ସମୁଦାୟରେ ତାର ମୁଖା ଖୋଲି ଦେବାକୁ ପ୍ରୟାସ କରିବା ଉଚିତ୍ ନୂଆଦିଲ୍ଲୀ ।