ଦରମା ଦେବାକୁ ଅସମର୍ଥ ପାକିସ୍ତାନ ସରକାର ,ଦୂତାବାସ ଛାଡୁଛନ୍ତି ପାକ୍ କର୍ମଚାରୀ

192

କନକ ବ୍ୟୁରୋ : କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ କି ତାଙ୍କ ପାଖରେ ଦେଶ ଚଳାଇବାକୁ ଅର୍ଥନାହିଁ ଓ ଦେଶ ଦିନକୁ ଦିନ ଋଣ ଭାରରେ ବୁଡିବାକୁ ଲାଗିଛି । ଏହାରି ମଧ୍ୟରେ ଏବେ ଖବର ଆସୁଛି କି ବିଦେଶରେ ରହୁଥିବା ପାକିସ୍ତାନର ଦୂତାବାସ କର୍ମଚାରୀ ଦରମା ନପାଇବା କାରଣରୁ ଚାକିରୀ ଛାଡୁଛନ୍ତି ।

ପକିସ୍ତାନର ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ପାକିସ୍ତାନ ଦୂତାବାସ ସହ ଅନୁବନ୍ଧିତ ୫ ଜଣ କର୍ମଚାରୀ ଅଗଷ୍ଟ ମାସରୁ ଦରମା ପାଇ ନାହାଁନ୍ତି । ଏହାସହ ରିପୋର୍ଟ ମୁତାବକ ୧୦ ବର୍ଷ ଧରି ଦୂତାବାସରେ କାମ କରୁଥିବା ଜଣେ କର୍ମଚାରୀ ଦରମା ନପାଇବା କାରଣରୁ ଚାକିରୀରୁ ଇସ୍ତଫା ଦେଇଛନ୍ତି ।

ପାକିସ୍ତାନ ଦୂତାବାସରେ ଏହି ସ୍ଥାନୀୟ କର୍ମଚାରୀଙ୍କୁ ବାର୍ଷିକ କଣ୍ଟାକ୍ଟରେ ରଖାଯାଇଥିଲା । ଆମେରିକାର ନ୍ୟୁନତମ ବେତନ ହିସାବରେ ପ୍ରତି କର୍ମଚାରୀଙ୍କୁ ମାସିକ ୨୦୦୦ ରୁ ୨୫୦୦ ଡଲାର ଦରମା ମିଳିଥାଏ । ଦୂତାବାସରେ ନିଯୁକ୍ତ ହୋଇଥିବା ସ୍ଥାନୀୟ କର୍ମଚାରୀ (ସେ ରେଗୁଲାର ହୁଅନ୍ତୁ କି କଣ୍ଟାକଚୁଆଲ) ସେମାନଙ୍କୁ ବିଦେଶୀ କର୍ମଚାରୀ ଭାବେ କୌଣସି ବିଶେଷ ଅଧିକାର ମିଳୁ ନାହିଁ । ଏହି ସ୍ଥାନୀୟ କର୍ମଚାରୀଙ୍କୁ କାଉଁସଲର ବିଭାଗରେ ଭିସା, ପାସପୋର୍ଟ, ଡକ୍ୟୁମେଣ୍ଟ ଯାଂଚ ସହ ଆମେରିକାରରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ସହାୟତା କରିବା ପାଇଁ ନିଯୁକ୍ତି କରାଯାଇଥାଏ । ଏହି କର୍ମଚାରୀ ମାନଙ୍କୁ ପାକିସ୍ତାନ କମ୍ୟୁନିଟି ୱେଲଫେୟାର ଫଣ୍ଡ (ପିସିଡବ୍ଲ୍ୟୁ) ରୁ ପ୍ରଦାନ କରାଯାଇଥାଏ ।

ଅନ୍ୟପଟେ ଗତ ସପ୍ତାହରେ ସର୍ବିଆ ପାକିସ୍ତାନ ଦୂତାବାସର ଅଧିକାରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟ କରି ପାକିସ୍ତାନର ଆର୍ଥିକ ସ୍ଥିତି ନେଇ ଟାର୍ଗେଟ କରିଥିଲା । ଟ୍ୱିଟରେ ଲେଖାଯାଇଥିଲା କି “ମହଙ୍ଗା ମାଡର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ଇମ୍ରାନ ଖାନ, ଆପଣଙ୍କ ଉପରେ ଭରଶା କରି ସରକାରୀ ଅଧିକାରୀମାନେ ୩ ମାସ ଧରି ବିନା ଦରମାରେ କାମ କରିଚାଲିଛନ୍ତି । ଆମ ପିଲା ଅର୍ଥ ଅଭାବରୁ ସ୍କୁଲ ଛାଡୁଛନ୍ତି , ଏହା କଣ ନୂଆ ପାକିସ୍ତାନ”