ଆକ୍ସନ ମୋଡରେ ପାକିସ୍ତାନ ନିର୍ବାଚନ ଆୟୋଗ, ସମ୍ପତ୍ତି ତାଲିକା ନଦେବାରୁ ମନ୍ତ୍ରୀଙ୍କ ସମେତ ୧୫୦ ଲୋକ ପ୍ରତିନିଧିଙ୍କ ସଦସ୍ୟତା ରଦ୍ଦ

121

କନକ ବ୍ୟୁରୋ : ସାରା ବିଶ୍ୱରେ ସବୁବେଳେ ପାକିସ୍ତାନ ଚର୍ଚ୍ଚାରେ ରହିଛି । ସେ ଆତଙ୍କବାଦ ହେଉ କି ଭୁଷୁଡୁ ପଡୁଥିବା ଅର୍ଥନୀତିକୁ ନେଇ ହେଉ ଚର୍ଚ୍ଚାରେ ସର୍ବଦା ରହିଛି ପାକିସ୍ତାନ । ହେଲେ ଏବେ ପାକିସ୍ତାନର ସୂଚନା ମନ୍ତ୍ରୀଙ୍କ ସମେତ ୧୫୦ ଜନ ପ୍ରତିନିଧିଙ୍କ ସଦସ୍ୟତା ରଦ୍ଦ କରି ଚର୍ଚ୍ଚାରେ ରହିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ ।

ପାକିସ୍ତାନ ନିର୍ବାଚନ ଆୟୋଗ ସୋମବାର ଦିନ ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ, ସିନ୍ଧର ମୁଖ୍ୟମନ୍ତ୍ରୀ ସୟଦ ମୂରାଦ ଅଲ୍ଲୀ ସାହାଙ୍କ ସମେତ ୧୫୦ ଜନପ୍ରତିନିଧିଙ୍କ ସଦସ୍ୟତା ରଦ୍ଦ କରିଛନ୍ତି । ସୂଚନା ମୁତାବକ ଏହି ଜନପ୍ରତିନିଧିମାନେ ସେମାନଙ୍କର ସଠିକ ସମ୍ପତ୍ତି ତାଲିକା ଦାଖଲ କରିନଥିବାରୁ ନିର୍ବାଚନ ଆୟୋଗ ସେମାନଙ୍କ ସଦସ୍ୟତା ରଦ୍ଦ କରିଥିବା କଥା କୁହାଯାଇଛି ।

ପାକିସ୍ତାନରେ ନିଲମ୍ବନରେ ପ୍ରଭାବିତ ହୋଇଥିବା ୩ ଜଣ ସିନେଟର, ନ୍ୟାସନାଲ ଆସେମ୍ବିଲର ୩୬ ସଦସ୍ୟ, ସିନ୍ଧ ବିଧାନସଭାର ୧୪ ସଦସ୍ୟ, ଖେବର-ପସ୍ତୁନଖା ବିଧାନସଭାର ୨୧ ସଦସ୍ୟ ଓ ବେଲୁଚିସ୍ତାନ ବିଧାନସଭାର ୭ ଜଣ ସଦସ୍ୟ ସାମିଲ ଅଛନ୍ତି । କହିରଖୁ କି, ଗତବର୍ଷ ନିର୍ବାଚନ ଆୟୋଗ ୧୫୪ ଜଣ ଜନପ୍ରତିନିଧିଙ୍କୁ ସମାନ କାରଣରୁ ନିଲମ୍ବିତ କରିଥିଲେ । ହେଲେ ପରେ ସେମାନେ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବା ପରେ ନିର୍ବାଚନ ଆୟୋଗ ସେମାନଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଥିଲେ ।