ଏକଦା PML-N ଏବଂ PPP ଏକତ୍ର ସରକାର ଚଳାଉଥିଲେ, କିନ୍ତୁ ଏଥର ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନର ରାଜନୀତିରେ ପରିବର୍ତ୍ତନ ଆସିଛି । ପିପିପି ବିଲାୱାଲ ଭୁଟ୍ଟୋଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏହାଦ୍ୱାରା ନିର୍ବାଚନ ପ୍ରତିଯୋଗିତା ଅତ୍ୟନ୍ତ ରୋଚକ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ନୱାଜ ସରିଫ ମଧ୍ୟ ନିଜର ଅଭିଯାନକୁ ଜୋର କରିଛନ୍ତି ।
ପାକିସ୍ତାନର ରାଜନୈତିକ ପିଚରେ ଇମ୍ରାନ ଖାନଙ୍କ ୱିକେଟ୍ ଖସିଯିବା ପରେ ବର୍ତ୍ତମାନ ଫିଲ୍ଡିଂରେ ପରିବର୍ତ୍ତନ ହେଇଛି । ଏବେ ବିଲାୱାଲ ଭୁଟ୍ଟୋ 'କ୍ୟାପଟେନ' ହେବାର ସ୍ୱପ୍ନ ଦେଖୁଛନ୍ତି । ପାକିସ୍ତାନ ପିପୁଲ୍ସ ପାର୍ଟି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ବିଲାୱାଲ ଭୁଟ୍ଟୋ ଏବଂ ରାଷ୍ଟ୍ରପତି ପାଇଁ ତାଙ୍କ ପିତା ଆସିଫ ଅଲି ଜରଦାରୀଙ୍କ ନାମ ଘୋଷଣା କରିଛନ୍ତି । ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପିପିପିର ଏହି ଘୋଷଣା ପୂର୍ବରୁ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାମ ଘୋଷଣା କରିଥିଲା । ଏହିପରି ଦେଖିଲେ ପାକିସ୍ତାନର ରାଜନୈତିକ ଚିତ୍ର ମାତ୍ର ଗୋଟିଏ ବର୍ଷ ମଧ୍ୟରେ ରୋଚକର ସ୍ଥିତିକୁ ଆସିଯାଇଛି । ବିଲାୱାଲ ୨୦୨୨ ମସିହାରେ ଲଣ୍ଡନ ଯାଇ ନୱାଜଙ୍କୁ ନିଜର ସହଯୋଗ ପ୍ରଦର୍ଶନ କରିଥିଲେ, ସେ ନୂତନ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ । ବର୍ତ୍ତମାନ ନୱାଜ ପାକିସ୍ତାନକୁ ଫେରିବା ପରେ ବିଲାୱାଲ ବନାମ ନୱାଜ ସରିଫ ପ୍ରତିଯୋଗିତାର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଛି । ୬୮ ବର୍ଷୀୟ ଜରଦାରୀ ମଧ୍ୟ ୨୦୦୮ ରେ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ। ବିଲାୱାଲ (୩୫) ଙ୍କ ବିଷୟରେ କହିବାକୁ ଗଲେ ସେ ଏପ୍ରିଲ ୨୦୨୨ ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ରହିଛନ୍ତି ।
ଏବେ ପ୍ରଶ୍ନ ହେଉଛି କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ?
ସେନା କାହାକୁ ସାପୋର୍ଟ କରିବ ଦେଖିବାର ବାକି ରହିଲା କାରଣ ପାକିସ୍ତାନ ଇତିହାସରେ କେବଳ ସେନା ଯାହା ଚାହୁଁଛି ତାହା ହିଁ ଘଟିବ। ନୱାଜ ସରିଫଙ୍କ ବର୍ତ୍ତମାନ କଣ କରିବେ ? ନୱାଜ ସରିଫ ଏବଂ ତାଙ୍କ ଝିଅ ମରିୟମଙ୍କ ସମାବେଶରେ ଏକତ୍ରିତ ହୋଇଥିବା ଜନତାଙ୍କ ବିଷୟରେ ଉଲ୍ଲେଖ କରି ପିପିପି ନେତା ଫୈସଲ କୁଣ୍ଡି କହିଛନ୍ତି ଯେ ବିଲାୱାଲଙ୍କ ଲୋକପ୍ରିୟତା ଅଧିକ । ଘରକୁ ଫେରିବା ପରେ ନୱାଜ ଦୁର୍ନୀତି ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପିପିପି ଆକ୍ରମଣ କରି କହିଛି ଯେ ରାଜନୈତିକ ଇଞ୍ଜିନିୟରିଂ ପାଇଁ ନାବ (ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ) ବ୍ୟବହାର କରାଯାଉଛି । କୁଣ୍ଡି କହିଛନ୍ତି ଯେ ଏହା ଉପରେ ପରିସ୍ଥିତି ସ୍ପଷ୍ଟ ହେବା ଉଚିତ ଯେ ଉକ୍ତ ଏଜେନ୍ସି ପୂର୍ବରୁ ନୱାଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, ତେଣୁ ବର୍ତ୍ତମାନ ଗୋଟିଏ ମାମଲାରେ ତାଙ୍କୁ କିପରି ନିର୍ଦ୍ଦୋଷରେ ଖଲାସ କରାଯିବ ? ଜନସାଧାରଣ ଜାଣିବା ଉଚିତ୍ ଯେ NAB ସେତେବେଳେ ଭୁଲ ଥିଲା କି ଆଜି ଭୁଲ୍ ଅଛି ?
ବିଲାୱାଲଙ୍କ ଆହ୍ବାନ
ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ନୱାଜ ସରିଫଙ୍କ ଗଡ଼ ବୋଲି କୁହାଯାଏ । ଏଥର ଲାହୋରରୁ କେହି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ବିଲାୱାଲ ଚ୍ୟାଲେଞ୍ଜ କରି କହିଛନ୍ତି । ଏକ ନିର୍ବାଚନ ରାଲିରେ ଉଭୟ ଇମ୍ରାନ ଖାନ ଏବଂ ନୱାଜ ସରିଫଙ୍କୁ ଟାର୍ଗେଟ କରୁଥିବାବେଳେ ବିଲାୱାଲ କହିଛନ୍ତି ଯେ ଜଣେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଯାହା ଦ୍ଵାରା ସେ ଜେଲରୁ ବାହାରି ପାରିବେ ଏବଂ ଅନ୍ୟ ଜଣେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଯାହାଫଳରେ ସେ ଜେଲ ଯିବାରୁ ରକ୍ଷା ପାଇପାରିବେ। କୌଣସି ବି ଖେଳାଳି ଆମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ରାଜନୀତିରେ କେହି ଚିରଦିନ ପାଇଁ ବନ୍ଧୁ କିମ୍ବା ଶତ୍ରୁ ନୁହଁନ୍ତି | ପାକିସ୍ତାନର ବର୍ତ୍ତମାନର ରାଜନୈତିକ ଚିତ୍ର ମଧ୍ୟ ସମାନ କଥା କହୁଛି । ଇମ୍ରାନ ଖାନ ଜେଲରେ ଅଛନ୍ତି, ନୱାଜ ଦେଶକୁ ଆସି ପୁଣି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ସେ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ଏକ ମିଳିତ ମଞ୍ଚ ଗଠନ କରିବାକୁ ଚାହୁଁଥିଲେ ଏବଂ ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ କିନ୍ତୁ ପିପିପି ତାଙ୍କୁ ଏବେ ଚ୍ୟାଲେଞ୍ଜ ଦେଉଛି । ନୱାଜଙ୍କ ଦଳ ବାଲୁଚିସ୍ତାନ ଆୱାମୀ ପାର୍ଟି (BAP) ସହିତ ହାତ ମିଳାଇଛି, ଯାହା ଏକଦା ପିପିପି ସହ ମିଳିତ ଥିଲା । କିଛି ସମୟ ପୂର୍ବରୁ ବିଲାୱାଲ ଶାହାବାଜ ସରିଫଙ୍କ ସରକାରରେ ମନ୍ତ୍ରୀ ଥିଲେ, କିନ୍ତୁ ବର୍ତ୍ତମାନ ସମ୍ପର୍କ ବଦଳି ଯାଇଛି । ପିପିପିକୁ ଭେଦଭାବ କରାଯାଉଥିବା ବିଲାୱାଲ କ୍ରମାଗତ ଭାବେ ଅଭିଯୋଗ କରୁଛନ୍ତି । ଭିତରୁ ଏହା ଜଣାପଡୁଛି ଯେ ନୱାଜ ସରିଫଙ୍କ ପାର୍ଟି ପିଏମଏଲ-ଏନ ବର୍ତ୍ତମାନ ଦେଶର ଶକ୍ତିଶାଳୀ ସେନାର ପ୍ରଥମ ପସନ୍ଦ। ଅନ୍ୟପକ୍ଷରେ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପାଇଁ ପିପିପି ଏକ ବିଶ୍ୱାସ ପ୍ରସ୍ତାବ ଆଣିଥିଲା । ତେବେ ପାକିସ୍ତାନରେ ହେବାକୁ ଥିବା ଏହି ପ୍ରତିଯୋଗିତା ତ୍ରିକୋଣୀୟ ବୋଲି କୁହାଯାଉଛି। ସର୍ବଶେଷରେ ସେନା ଯାହାକୁ ପସନ୍ଦ କରିବ ସେ ହିଁ କ୍ଷମତାରେ ବସିବ ।