ପାକିସ୍ତାନରେ ସଂଗୀନ ଆର୍ଥିକ ସ୍ଥିତି । ଡଲାର ତୁଳନାରେ ଦେଶରେ ଟଙ୍କା ହେଉଛି ଦୁର୍ବଳ । 

159

କନକ ବ୍ୟୁରୋ: ପାକିସ୍ତାନରେ ଇମ୍ରାନ ଖାନ ସରକାର ଯିବା ପରେ ଏବେ ଚାଲିଛି ସରିଫ ସରକାର । ତଥାପି ଦେଶର ଆର୍ଥିକ ସ୍ଥିତି ସୁଧୁରିବା ବଦଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ବର୍ତମାନ ଆମେରିକା ଡଲାର ତୁଳନାରେ ପାକିସ୍ତାନ ଟଙ୍କା ବିନିମୟ ମୂଲ୍ୟ ବହୁ ତଳକୁ ଖସି ଆସିଛି । ଟଙ୍କା ଏଠାରେ ଦିନକୁ ଦିନ ଦୁର୍ବଳ ହେଉଛି । ଇଂଟରବ୍ୟାଙ୍କ ବଜାରରେ ପାକିସ୍ତାନୀ ଟଙ୍କା ଆମେରିକା ଡଲାର ତୁଳନାରେ ସର୍ବନିମ୍ନ ସ୍ତର ୧୯୦ ଟଙ୍କାକୁ ଖସିଆସିଛି ।

ପାକିସ୍ତାନ ଗଣମାଧ୍ୟମ ରିର୍ପୋଟ ଅନୁସାରେ କହୁଛି,  ଆଇଏମଏଫର କାର୍ଯ୍ୟକ୍ରମରେ ବିଳମ୍ବ,ଅନ୍ୟ ଦେଶଠୁ ଆର୍ଥିକ ସହାୟତା ନମିଳିବା,ବୈଦେଶିକ ମୁଦ୍ରା ଭଣ୍ଡାର ଦ୍ରୁତ ଗତିରେ ଖସିବା ଓ ବାଣିଜ୍ୟରେ କ୍ଷତି କାରଣରୁ ପାକିସ୍ତାନର ଘରୋଇ ମୁଦ୍ରା ଚାପ ମଧ୍ୟରେ ରହିଛି ।ପୂର୍ବର ଇମ୍ରାନ ସରକାରଙ୍କ ସମୟରେ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ୬ଶହ କୋଟି ଡଲାର ଆର୍ଥିକ ପ୍ୟାକେଜ ଅଟକାଇ ଦେଇଥିଲା । ଅନ୍ୟପଟେ ପାକିସ୍ତାନରେ ଲଗାତାର ଆର୍ଥିକ ସଙ୍କଟ ଜାରି ରହିଛି ।

ଆର୍ଥିକ ଓ ରାଜନୈତିକ ସମସ୍ୟା ମଧ୍ୟରେ ଛନ୍ଧି ହୋଇଥିବା ପାକିସ୍ତାନରେ କ୍ଷୁଧା ସଙ୍କଟ ବୃଦ୍ଧି ପାଉଛି । ସେପଟେ ଦେଶରେ ଗହମ ଉତ୍ପାଦନରେ ବଡ ମାତ୍ରାର ହ୍ରାସ ଆଉ ଏକ  ସମସ୍ୟା ଆଣିଛି । ପାକିସ୍ତାନରେ ଗହମ ଉତ୍ପାଦନରେ ଚଳିତ ବର୍ଷ ବଡ ହ୍ରାସ ଘଟିଛି । ଗହମ ଉତ୍ପାଦନ ଚଳିତବର୍ଷ ୩୦ଲକ୍ଷ ଟନ କମ ରହିଛି ।ଦେଶରେ ଅତ୍ୟାବଶୀକୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ଦେଶବାସୀଙ୍କ ପାଇଁ ସଙ୍କଟର କାରଣ ପାଲଟିଛି