କନକ ବ୍ୟୁରୋ : କ୍ରିକେଟ ଜଗତରେ ରାୱଲପିଣ୍ଡି ଏକ୍ସପ୍ରେସ ଭାବେ ପରିଚିତ ସୋଏବ ଅଖତର ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ନିଜ ମନର କଥା କହିବାକୁ ଟିକିଏ ବି କୁଣ୍ଠାବୋଧ କରନ୍ତିନି ସୋଏବ । ଆଉ ନିଜ ବୟାନ ପାଇଁ ଅନେକ ସମୟରେ ବିବାଦ ଘେରରେ ମଧ୍ୟ ରହିଛନ୍ତି ସୋଏବ । ଆଉ ଏବେ ପୁଣିଥରେ ସେଭଳି ଏକ ବୟାନ ଦେଇଛନ୍ତି ସୋଏବ । ଏକ ସାକ୍ଷାତକାରରେ ସୋଏବ କହିଛନ୍ତି ଭାରତର ଟଙ୍କାରେ ପାକିସ୍ତାନ କ୍ରିକେଟର ବଞ୍ଚୁଛନ୍ତି ।

Advertisment

ସୋଏବ କହିଛନ୍ତି, ବିସିସିଆଇ ଜରିଆରେ ଯେଉଁ ଟଙ୍କା ଆଇସିସିକୁ ଆସିଥାଏ ଏବଂ ଆଇସିସି ରେଭିନ୍ୟୁ ସେୟାରିଂ ଜରିଆରେ ଯେଉଁ ଟଙ୍କା ପାକିସ୍ତାନ କ୍ରିକେଟ ବୋର୍ଡକୁ ଦେଇଥାଏ ସେହି ଟଙ୍କାରେ ପାକିସ୍ତାନର ଘରୋଇ କ୍ରିକେଟରଙ୍କୁ ମ୍ୟାଚ୍ ଫିସ୍ ମିଳିଥାଏ । ଅଥାର୍ତ ଭାରତରୁ ଯେଉଁ ଟଙ୍କା ଆସିଥାଏ ,ସେଥିରେ ଆମ ଯୁବ କ୍ରିକେଟରଙ୍କୁ ଖେଳିବାକୁ ସୁଯୋଗ ମିଳୁଛି । ଏହାସହ ସୋଏବ କହିଛନ୍ତି, ଆଗାମୀ ବିଶ୍ୱକପ ବେଶ ରୋମାଞ୍ଚକର ହେବାକୁ ଯାଉଛି । ଆଗକୁ ଦିନିକିଆ ମ୍ୟାଚର ଭବିଷ୍ୟତ ଏତେଟା ଉଜ୍ଜ୍ୱଳ ନୁହେଁ । କିନ୍ତୁ ମୁଁ ଚାହୁଁଛି ଭାରତ ଏହି ବିଶ୍ୱକପ ଜରିଆରେ ଅଧିକରୁ ଅଧିକ ଟଙ୍କା ଲାଭ କରୁ ।

ସେହିଭଳି ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସୋଏବ କହିଛନ୍ତି, ଏଥର ଚାପ ଭାରତ ଉପରେ ନିଶ୍ଚୟ ରହିବ । ଭାରତର ଗଣମାଧ୍ୟମ ପାଇଁ ଟିମ୍ ଇଣ୍ଡିଆ ଉପରେ ଚାପ ରହିବ । ପ୍ରତିଥର ଏଭଳି ହିଁ ହୋଇଥାଏ । ଗତ ଏସିଆ କପ ସମୟରେ ମଧ୍ୟ ଭାରତର ଗଣମାଧ୍ୟମ ଟିମ୍ ଇଣ୍ଡିଆ ଉପରେ ପ୍ରବଳ ଚାପ ପକାଇଥିଲା । ପୂରା ଷ୍ଟାଡିୟମକୁ ନୀଳ ରଙ୍ଗରେ ରଙ୍ଗୀନ କରାଯାଇଥିଲା । ଏପରିକି ଗଣମାଧ୍ୟମରେ ପାକିସ୍ତାନକୁ ବେଶ ସହଜରେ ଟିମ୍ ଇଣ୍ଡିଆ ପରାଜିତ କରିବ ବୋଲି କୁହାଯାଉଥିଲା । ଅନ୍ୟପଟେ ଆମ ଉପରେ ଭଲ ପ୍ରଦର୍ଶନ ପାଇଁ ସେଭଳି ଚାପ ନଥିଲା । ଯାହାର ପରିଣାମସ୍ୱରୂପ ଭାରତ ମ୍ୟାଚରେ ଚାପଗ୍ରସ୍ତ ହୋଇ ଭୁଲ ଖେଳିଥିଲା ଏବଂ ଆମେ ଖୋଲାଖୋଲି ଭାବେ ଖେଳି ବିଜୟୀ ହୋଇଥିଲୁ ।