ଶ୍ରୀଲଙ୍କା ମ୍ୟାନେଜରଙ୍କୁ ପୋଡି ଘଟଣାରେ ପାକ୍ ରକ୍ଷାମନ୍ତ୍ରୀଙ୍କ ବୟାନ । କହିଲେ ଏମିତି ଲଜ୍ଜାଜନକ କଥା…

141

କନକ ବ୍ୟୁରୋ:  ପାକିସ୍ତାନରେ ସିଂହଳି ମ୍ୟାନେଜରଙ୍କୁ ପୋଡିଦେବା ଘଟଣାକୁ ନେଇ ଅତି ଲ୍ଜ୍ଜାଜନକ ବୟାନ ଦେଇଛନ୍ତି ପାକିସ୍ତାନ ରକ୍ଷାମନ୍ତ୍ରୀ ପରଭେଜ୍ ଖଟ୍ଟକ । ଏହି ଘଟଣାକୁ ଅତି ହାଲକା ଭାବେ ନେବା ସହ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରଭେଜ୍ କହିଛନ୍ତି ଯେ, ଯୁବକ ବୟସରେ ଯୋଶରେ ଆସିଯିବା ଏକ ସାଧରଣ କଥା । ଘଟଣା ଦିନ ସେପରି କିଛି ଯୁବକ ଭାବବିହ୍ୱଳ  ହୋଇଯାଇ ମ୍ୟାନେଜରଙ୍କୁ ପୋଡି ଦେଇଛନ୍ତି । ତେଣୁ ଏଥିରେ ସରକାରଙ୍କୁ ଦୋଷ ଦେବା ନିହାତି ମୁର୍ଖାମୀ ବୋଲି କହିଛନ୍ତି ପରଭେଜ୍ ।

ଏତିକିରେ ଅଟକି ନାହାଁନ୍ତି ପରଭେଜ୍ । ନିଜ ଅତୀତକୁ ମଧ୍ୟ ଉତାରିଛନ୍ତି  । କହିଛନ୍ତି ସେ ମଧ୍ୟ ଯେତେବେଳେ ଯୁବକ ଥିଲେ କେବେକେବେ ଯୋଶରେ ଆସି କିଛି ଅଜବ କାଣ୍ଡ ଘଟାଉଥିଲେ । ତେଣୁ ଏଥିରେ କିଛି ବଡ କଥା ନାହିଁ ବୋଲି କହିଛନ୍ତି ପରଭେଜ ଖଟ୍ଟକ । ଏହାସହ ମିଡିଆ ଉପରେ ବର୍ଷିଛନ୍ତି । କହିଛନ୍ତି ଗଣମାଧ୍ୟମର ଦାୟିତ୍ୱ ଏଭଳି ଯୁବକଙ୍କୁ ବୁଝାଇବା ।ଏପରି ନକରି ପାକିସ୍ତାନ ସରକାରକୁ ବଦନାମ କରୁଛି ଗଣମାଧ୍ୟମ ।

କହିରଖୁଁ କି, ଶନିବାର ପାକିସ୍ତାନରେ ଏକ ଏକ୍ସପୋର୍ଟ କମ୍ପାନୀର ମ୍ୟାନେଜର ତଥା ଶ୍ରୀଲଙ୍କା ନାଗରିକ ପ୍ରିୟାନ୍ଥା କୁମାରାଙ୍କୁ କମ୍ପାନୀର ଶ୍ରମିକ ମାଡ ମାରି ଗୁରୁତର କରିବା ପରେ ବିଚ୍ ରାସ୍ତାରେ ଜିଅନ୍ତା ପୋଡି ଦେଇଥିଲେ । ପ୍ରିୟାନ୍ଥା ସେମାନଙ୍କ ଧର୍ମଗୁରୁ ପ୍ରଫେଟ୍ ମହମ୍ମଦଙ୍କୁ ନିନ୍ଦା କରିଥିବା ଯୋଗୁଁ ତାଙ୍କୁ ପୋଡି ମାରିଦେଇଥିବା କହିଥିଲେ ସମ୍ପୃକ୍ତ ଶ୍ରମିକ ।ଏହି ଘଟଣାକୁ ନେଇ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି ହୋଇଥିବାବେଳେ ଇମ୍ରାନ ସରକାରଙ୍କୁ କଡା ନିନ୍ଦା କରାଯାଇଥିଲା ।