କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଏସିଆ କପ । ଟାଇଟଲ ପାଇଁ ମୁହାଁମୁହିଁ ହେବେ ଏସିଆ ମହାଦେଶର ଶକ୍ତିଶାଳୀ ଟିମ୍ । ତେବେ ସମସ୍ତଙ୍କର ନଜର ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ରହିଛି । ଏସିଆ କପ୍ ପାଇଁ ଭାରତ ନିଜର ଟିମ୍ ଘୋଷିତ କରି ସାରିଛି । ଟିମ ଘୋଷଣା ନେଇ ପ୍ରେସମିଟ୍ ବେଳେ ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯେଉଁ ବୟାନ ଦେଇଥିଲେ ତାହା ଚର୍ଚ୍ଚାକୁ ଆସିଥିଲା । ପାକିସ୍ତାନ ପେସରଙ୍କୁ ବିରାଟ କୋହଲି ସମ୍ଭାଳିନେବେ ବୋଲି କହିଥିଲେ ଅଗରକର ।

Advertisment

ତେବେ ଅଗରକରଙ୍କ ଏହି ବୟାନକୁ ନେଇ ଏବେ ମୁହଁ ଖୋଲିଛନ୍ତି ପାକିସ୍ତାନ ବୋଲର ଶହଦାବ ଖାନ୍ । ଶହଦାବ କହିଛନ୍ତି, ମ୍ୟାଚରେ କଣ ହେବ ତାହା ସେହିଦିନ ହିଁ ଜଣାପଡିବ । ମୁଁ କିମ୍ବା ଅନ୍ୟ କେହି ଏଭଳି କହିଦେଲେ କିଛି ହେବନି । କାରଣ କହିବା ଦ୍ୱାରା କିଛି ପରିବର୍ତ୍ତନ ହେବନି । ଯେତେବେଳେ ମ୍ୟାଚ୍ ହେବ ଏବଂ ମ୍ୟାଚରେ ଯାହା ନଜର ଆସିବ ତାହା ହିଁ ମ୍ୟାଚର ଅସଲ ଚିତ୍ର ଭାବେ ସାମ୍ନାକୁ ଆସିବ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଶହଦାବ ଏଭଳି ବୟାନ ରଖିଛନ୍ତି । ଆସନ୍ତା ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ।