କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ ସହ ସଚିନଙ୍କ ଶତକର ସମକକ୍ଷ ହୋଇଛନ୍ତି ବିରାଟ କୋହଲି । ଦିନିକିଆରେ ୪୯ତମ ଶତକ ହାସଲ କରି କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି । କିନ୍ତୁ କୋହଲିଙ୍କ ଶତକ ପାକିସ୍ତାନ କ୍ରିକେଟରଙ୍କୁ ହଜମ ହେଉନାହିଁ । କୋହଲି ଯେଉଁ ଢଙ୍ଗରେ ଶତକ ହାସଲ କଲେ ତାହାକୁ ନେଇ ବିରାଟଙ୍କୁ ସ୍ୱାର୍ଥବାଦୀ ବୋଲି କହିବାକୁ ପଛାଇନାହାନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପାକିସ୍ତାନ ଟିମରେ ପ୍ରଫେସର ନାମରେ ଜଣାଶୁଣା ମହମ୍ମଦ ହାଫିଜ ।

Advertisment

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହାଫିଜ କହିଛନ୍ତି, କୋହଲି ୯୭ ରନ୍ କରିବା ପରେ ଶତକ ପାଇଁ ଯେଉଁଭଳି ଖେଳିଲେ ତାହା ଠିକ୍ ନଥିଲା । ୪୯ ତମ ଓଭରରେ ମଧ୍ୟ କୋହଲି ଟିମ୍ ସ୍କୋର ବଦଳରେ ନିଜର ରେକର୍ଡ ବାବଦରେ ଚିନ୍ତା କରୁଥିଲେ । ଆପଣ ଶେଷ ଓଭରରେ ବଡ ସଟ୍ ଖେଳିବା ବଦଳରେ ଏକ୍ ରନ କରିବାକୁ ପ୍ରୟାସ କରିବା କଥା ନୁହେଁ । ୯୮ ରନ୍ ପରେ ବାରମ୍ବାର ଏକ୍ ରନ ନେଇ ନିଜର ଶତକ ପୂରା କରିଥିଲେ କୋହଲି । ଏଭଳି କରି କୋହଲି କେବଳ ନିଜର ରେକର୍ଡ ପାଇଁ ପ୍ରୟାସ କରୁଥିବା ଦର୍ଶାଇଥିଲେ । ଚୌକା କିମ୍ବା ଛକା ମାରିବାକୁ ଚେଷ୍ଟା କରି ବିଫଳ ହୋଇ ଏକ ରନ୍ ନେଇଥିଲେ ଚଳିଥାନ୍ତା କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଏକ୍ ରନ୍ ପାଇଁ ସଟ୍ ଖେଳି କୋହଲି ସ୍ୱାର୍ଥବାଦୀର ପରିଚୟ ଦେଇଛନ୍ତି । ଶତକ ପାଇଁ କୋହଲିଙ୍କୁ ଅନେକ ଲୋକ ପ୍ରଂଶସା କରୁଛନ୍ତି ସତ । ମୁଁ ମଧ୍ୟ କୋହଲିଙ୍କର ବଡ ଫ୍ୟାନ୍, କିନ୍ତୁ ଯେଉଁ ଢଙ୍ଗରେ କୋହଲି ଖେଳି ଶତକ ହାସଲ କଲେ ତାହାକୁ ସମର୍ଥନ କରୁନି ବୋଲି କହିଛନ୍ତି ହାଫିଜ ।

ଗୋଟିଏ ପଟେ କୋହଲିଙ୍କୁ ହାଫିଜ୍ ସ୍ୱାର୍ଥବାଦୀ କହିଥିବା ବେଳେ ଅନ୍ୟପଟେ ବିରାଟଙ୍କ ସମର୍ଥନରେ ବାହାରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଭନ୍ ଲେଖିଛନ୍ତି, ଚଳିତ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ୮ଟି ଟିମକୁ ପରାଜିତ କରିଛି । ବ୍ୟାଟିଂ ଅନୁକୂଳ ନଥିବା ପିଚରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଶତକ ହାସଲ କରି କୋହଲି ନିଜର ଦକ୍ଷତା ଦେଖାଇଥିଲେ । ଏପରିକି ଭାରତ ୨୦୦ରୁ ଅଧିକ ରନରେ ବିଜୟୀ ହୋଇଥିଲା । ତେଣୁ ହାଫିଜ ଏଭଳି ବେକାର କଥା ନକୁହନ୍ତୁ ବୋଲି କହିଛନ୍ତି ଭନ୍ । ଏଭଳି କହି ହାଫିଜଙ୍କ ମୁହଁ ଚୁପ୍ କରି ଦେଇଛନ୍ତି ମାଇକେଲ ଭନ୍ ।

ଚଳିତ ବିଶ୍ୱକପରେ ବିରାଟ କୋହଲି ୮ଟି ମ୍ୟାଚରୁ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ଭାରତ ପକ୍ଷରୁ ସର୍ବାଧିକ ରନ୍ ସ୍କୋରର ରହିଛନ୍ତି । ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ରହିଛନ୍ତି କୋହଲି । ସେହିଭଳି ୮ଟି ମ୍ୟାଚରୁ ୮ଟି ବିଜୟୀ ହୋଇ ରୋହିତ ବାହିନୀ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଆସନ୍ତା ୧୨ ତାରିଖରେ ଟିମ୍ ଇଣ୍ଡିଆ ନିଜର ଶେଷ ଲିଗ୍ ମ୍ୟାଚ୍ ନେଦରଲାଣ୍ଡସ ବିପକ୍ଷରେ ଖେଳିବ ।