ପାକିସ୍ତାନ୍ ଟିମ୍ ହେଲା ନମ୍ବର ୱାନ୍ ଦିନିକିଆ ଦଳ । ଅଷ୍ଟ୍ରେଲିଆ, ଭାରତକୁ ପଛରେ ପକାଇଲା ବାବର ବାହିନୀ ।

376

କନକ ବ୍ୟୁରୋ: ଆଇସିସି ଦିନିକିଆ ରାଙ୍କିରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ପାକିସ୍ତାନ୍ ଟିମ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓ ଭାରତକୁ ପଛରେ ପକାଇ ଦିନିକିଆ ଟିମ୍ ରାଙ୍କିର ପ୍ରଥମ ସ୍ଥାନରେ ପହଞ୍ଚିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଚମକ୍ରାର ବିଜୟ ହାସଲ କରିବା ପରେ ବାବର ଆଜମଙ୍କ ଟିମ୍ ଏହି ସଫଳତା ହାସଲ କରିଛି ।

ବର୍ତ୍ତମାନ ଆଇସିସି ଦିନିକିଆ ଟିମ୍ ରାଙ୍କିରେ ପାକିସ୍ତାନ, ଭାରତ ଓ ଅଷ୍ଟ୍ରେଲିଆର ପଏଣ୍ଟ ସମାନ ୧୧୩ ରହିଛି । ହେଲେ ଡେସିମାଲ ପଏଣ୍ଟ ଅନୁସାରେ ପାକିସ୍ତାନ ଉଭୟ ଭାରତ ଓ ଅଷ୍ଟ୍ରେଲିଆକୁ ପଛରେ ପକାଇ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ବର୍ତ୍ତମାନ ଆଇସିସି ଦିନିକିଆ ରାଙ୍କିରେ ଭାରତ ୧୧୪.୪୮୩ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଥିଲାବେଳେ, ଅଷ୍ଟ୍ରେଲିଆ ୧୧୩.୨୮୬ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି । ଅନ୍ୟପଟେ ଇଂଲଣ୍ଡ ୧୧୧ ପଏଣ୍ଟ ସହିତ ଚତୁର୍ଥ ଓ ନ୍ୟୁଜିଲାଣ୍ଡ ୧୦୭ ପଏଣ୍ଟ ସହିତ ୫ମ ସ୍ଥାନରେ ରହିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ଏକତରଫା ନିଜ ପକ୍ଷକୁ ନେବା ପରେ ପାକିସ୍ତାନ ଏହି ସଫଳତା ହାସଲ କରିଛି । ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ୧୦୬ ପଏଣ୍ଟ ସହିତ ୫ମ ସ୍ଥାନରେ ଥିଲା । ହେଲେ ନ୍ୟୁଜିଲାଣ୍ଡକୁ ୪-୦ରେ ହରାଇବା ପରେ ଦଳ ଦିନିକିଆ ରାଙ୍କିର ଟପରେ ପହଞ୍ଚିଛି । ଶୁକ୍ରବାର ଖେଳାଯାଇଥିବା ଚୁତର୍ଥ ଦିନିକିଆରେ ପାକିସ୍ତାନ ଟିମ୍ ୩୩୪ ରନ୍ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ୪୩.୪ ଓଭରରେ ମାତ୍ର ୨୩୨ ରନ୍ କରିପାରିଥିଲା । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମ ତିନୋଟି ଦିନିକିଆରେ ମଧ୍ୟ ପାକିସ୍ତାନଠୁ ପରାଜିତ ହୋଇସାରିଥିଲା ।

ଅନ୍ୟପଟେ ପାକିସ୍ତାନ ଟିମର କ୍ୟାପଟେନ୍ ବାବର୍ ଆଜମ୍ ୯୬ଟି ଇଂନିସ୍ ଖେଳି ୫ ହଜାର ରନ୍ ପୂରଣ କରିଛନ୍ତି । ଏପରି କରିବାରେ ସେ ଦ୍ରୁତତମ୍ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର କ୍ରିକେଟର ହାସିମ୍ ଆମଲା ୧୦୧ଟି ଇଂନିସ୍ ଖେଳି ଦିନିକିଆରେ ୫ ହଜାର ରନ୍ ପୂରଣ କରିଥିଲେ । ଏହି ଲିଷ୍ଟର ତୃତୀୟ ସ୍ଥାନରେ ଭିଭିଆନ୍ ରିଚାର୍ଡସ ଥିଲାବେଳେ, ଚତୁର୍ଥରେ ବିରାଟ କୋହଲି ଓ ପଞ୍ଚମରେ ଡେଭିଡ୍ ୱାର୍ଣ୍ଣର ରହିଛନ୍ତି ।