ଚାଷୀଙ୍କ ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବା ପାଇଁ ପାକରେ ଚାଲିଛି ଷଡଯନ୍ତ୍ର: ଦିଲ୍ଲୀ ପୋଲିସ କହିଲା, ପାକିସ୍ତାନରେ ତିଆରି କରାଯାଇଛି ୩୦୮ଟି ଟ୍ୱିଟର ଆକାଉଣ୍ଟ

ଜାନୁଆରୀ ୧୩ ରୁ ୧୮ ମଧ୍ୟରେ ଖୋଲାଯାଇଛି ଆକାଉଂଟ

120

କନକ ବ୍ୟୁରୋ: ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ ।

ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେ ପାକିସ୍ତାନରେ ୩ ଶହରୁ ଅଧିକ ଟ୍ୱିଟର ଆକାଉଂଟ ଖୋଲାଯାଇଛି । ତେବେ ଗୁଇନ୍ଦା ଓ ଅନ୍ୟ ଏଜେନ୍ସିର ତଥ୍ୟକୁ ଆଧାର କରି ଦିଲ୍ଲୀ ପୋଲିସ ଏହା କହିଛି । ଏଭଳି ତଥ୍ୟ ଆସିଲା ପରେ ମଙ୍ଗଳବାର ଦିନ ସାଧାରଣତନ୍ତ୍ର ଦିବସରେ କୃଷକ କରିବାକୁ ଥିବା ଟ୍ରାକ୍ଟର ରାଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାଧାରଣତନ୍ତ୍ର ଦିବସ ପରେଡ ପରେ ଟ୍ରାକ୍ଟର ରାଲି ହେବ । ଏହା ନିଶ୍ଚିତ ଭାବେ ଦିଲ୍ଲୀ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କିନ୍ତୁ ଏହା ଉପରେ କଡା ନଜର ରଖାଯାଇଛି । ସାଧାରଣତନ୍ତ୍ର ଦିବସ ପାଇଁ ଭାରତ ପ୍ରସ୍ତୁତ ହେଉଥିବାବେଳେ ପାକିସ୍ତାନର ଏଭଳି ଷଡଯନ୍ତ୍ର ଉଦ୍ୟମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏହି ଦିବସ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ସବୁଠାରୁ ବଡ଼ ସମସ୍ୟା ହୋଇପାରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି । ଶନିବାର ଦିଲ୍ଲୀ ପୋଲିସ ଟ୍ରାକ୍ଟର ରାଲି ପାଇଁ ସର୍ତ୍ତମୂଳକ ମଞ୍ଜୁରୀ ଦେଇଛି । ସେମାନେ ଦିଲ୍ଲୀର କିଛି ଦୂର ପର୍ଯ୍ୟନ୍ତ ଆସିପାରିବେ । ଏଭଳି ପରିସ୍ଥିତିରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କୃଷକ ସଂଗଠନ ମାନଙ୍କୁ ଟ୍ରାକ୍ଟର ରାଲିରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି- ଏହା ଏକ ରାଷ୍ଟ୍ରୀୟ ଉତ୍ସବ । ୩୬୫ ଦିନ ସେମାନେ ଶକ୍ତିପ୍ରଦର୍ଶନ କରିପାରିବେ । କିନ୍ତୁ ସାଧାରଣତନ୍ତ୍ର ଦିବସରେ ଏଥିରୁ ବିରତ ରହିବାକୁ ସେ ଅନୁରୋଧ କରିଛନ୍ତି ।