କନକ ବ୍ୟୁରୋ : ରୋମାଞ୍ଚକର ହେଉଛି ବିଶ୍ୱକପ ୨୦୨୩ । ହାଇସ୍କୋରିଂ ମ୍ୟାଚ୍ କେବଳ ଦର୍ଶକଙ୍କ ମନୋରଞ୍ଜନ କରୁନି ବରଂ ମୁକାବିଲାକୁ ରୋମାଞ୍ଚକର କରୁଛି । ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ହାଇଭୋଲଟେଜ ମୁକାବିଲାରେ ବିଜୟ ସହ ଇତିହାସ ରଚିଛି ପାକିସ୍ତାନ । ଶ୍ରୀଲଙ୍କା ପକ୍ଷରୁ ଦିଆଯାଇଥିବା ୩୪୫ ରନର ଟାର୍ଗେଟକୁ ୧୦ଟି ବଲ ପୂର୍ବରୁ ହାସଲ କରିନେଇ ନୂଆ ରେକର୍ଡ ନିଜ ନାଁରେ କରିଛି ପାକିସ୍ତାନ । ବିଶ୍ୱକପରେ ସର୍ବାଧିକ ରନ୍ ଚେଜ୍ କରିବାର ରେକର୍ଡ ନିଜ ନାଁରେ କରିଛି ପାକିସ୍ତାନ । ଆଉ ଏହାକୁ ସମ୍ଭବ କରି ଦେଖାଇଛନ୍ତି ପାକିସ୍ତାନର ଦୁଇ ଷ୍ଟାର ବ୍ୟାଟର ଅବଦୁଲା ସଫିକ ଓ ମହମ୍ମଦ ରିଜୱାନ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଶତକୀୟ ଇନିଂସ ଖେଳିବା ସହ ଦଳକୁ ବିଜୟୀ କରାଇଛନ୍ତି ମହମ୍ମଦ ରିଜୱାନ ।

Advertisment

ବିଶ୍ୱକପରେ ଏହାପୂର୍ବରୁ ୩୪୫ ରନର ବିଜୟଲକ୍ଷ୍ୟକୁ କୌଣସି ଦଳ ହାସଲ କରିନଥିଲା । ପୂର୍ବରୁ ଏହି ରେକର୍ଡ ଆର୍ୟଲାଣ୍ଡ ନାଁରେ ରହିଥିଲା । ୨୦୧୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଆର୍ୟଲାଣ୍ଡ ୩୨୮ର ଟାର୍ଗେଟକୁ ହାସଲ କରିଥିଲା । ସେହିଭଳି ୨୦୧୯ ବିଶ୍ୱକପରେ ବାଂଲାଦେଶ ଟିମ୍ ୱେଷ୍ଟଇଣ୍ଡି ବିପକ୍ଷରେ ୩୨୨ ରନର ଟାର୍ଗେଟକୁ ହାସଲ କରି ଏହି ତାଲିକାର ୩ୟ ସ୍ଥାନରେ ରହିଛି । ସେହିଭଳି ପାକିସ୍ତାନ ଟିମ୍ ବିଶ୍ୱକପରେ କୌଣସି ଦଳ ବିପକ୍ଷରେ ଲଗାତାର ମ୍ୟାଚ୍ ଜିତିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛି । ପୂର୍ବରୁ ଏହି ରେକର୍ଡ ଭାରତ ନାଁରେ ରହିଥିଲା । ଭାରତ ଏହାପୂର୍ବରୁ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୭ଟି ବିଜୟ ହାସଲ କରିଛି । କିନ୍ତୁ ପାକିସ୍ତାନ ଶ୍ରୀଲଙ୍କାକୁ ହରାଇ ଏହି ରେକର୍ଡ ନିଜ ନାଁରେ କରିଛି । ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଲଗାତାର ୮ଟି ମ୍ୟାଚରେ ବିଜୟୀ ହୋଇଛି ।

ଏହି ମ୍ୟାଚରେ କେବଳ ପାକିସ୍ତାନ ରେକର୍ଡ ହାସଲ କରିନି ବରଂ ପାକିସ୍ତାନର ଭରସାଯୋଗ୍ୟ ବ୍ୟାଟର ମହମ୍ମଦ ରିଜୱାନ ମଧ୍ୟ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । ଦିନିକିଆରେ ପାକିସ୍ତାନର ୱିକେଟ କିପର ଭାବେ ରିଜୱାନ ସର୍ବାଧିକ ସ୍କୋର କରିଛନ୍ତି । ରିଜୱାନ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୩୧ ରନର ଇନିଂସ ଖେଳିଥିଲେ । ସେହିଭଳି ଦିନିକିଆରେ ପାକିସ୍ତାନର ୱିକେଟ କିପର ଭାବେ ୩ ଶତକ ହାସଲ କରି ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଟପିଛନ୍ତି ରିଜୱାନ । ଏହି ତାଲିକାରେ ୫ ଶତକ ସହ କମରାନ ଆକମଲ ଶୀର୍ଷରେ ରହିଥିବା ବେଳେ ରିଜୱାନ ୨ୟ ସ୍ଥାନରେ ରହିଛନ୍ତି । ଏହାସହ ବିଶ୍ୱକପର କୌଣସି ମ୍ୟାଚରେ ୪ଟି ଶତକ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ପାକିସ୍ତାନର ଦୁଇ ବ୍ୟାଟରଙ୍କ ସମେତ ଶ୍ରୀଲଙ୍କାର ଦୁଇ ବ୍ୟାଟର ମଧ୍ୟ ମ୍ୟାଚରେ ଶତକ ହାସଲ କରିଛନ୍ତି । ତେବେ ଦିନିକିଆ ଇତିହାସରେ ଏହା ତୃତୀୟ ଥର ଦେଖିବାକୁ ମିଳିଛି ।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଜୟ ପରେ ପାକିସ୍ତାନ ଟିମର ମନୋବଳ ବଢିଛି । ଆସନ୍ତା ୧୪ ତାରିଖରେ ଭାରତ ବିପକ୍ଷରେ ମୈଦାନକୁ ଓହ୍ଲାଇବ ପାକିସ୍ତାନ । ବିଶ୍ୱକପ ଇତିହାସରେ ଭାରତ ବିପକ୍ଷରେ ଏଯାବତ ବିଜୟ ହାସଲ କରିବାରେ ସଫଳ ହୋଇ୍ନାହିଁ ପାକିସ୍ତାନ । ଏଯାବତ ବିଶ୍ୱକପରେ ଭାରତ-ପାକିସ୍ତାନ ୭ଥର ମୁହାଁମୁହିଁ ହୋଇଥିଲେ ମଧ୍ୟ ପ୍ରତିଥର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି । ଆସନ୍ତା ୧୪ରେ ଏହି ସଂଖ୍ୟା ୮ରେ ପହଞ୍ଚିବ ବୋଲି ଭାରତୀୟ କ୍ରିକେଟପ୍ରେମୀ ଦୃଢ ଆଶାବାଦୀ ଅଛନ୍ତି ।