କନକ ବ୍ୟୁରୋ : ଜାମ୍ମୁକାଶ୍ମୀରକୁ ନେଇ ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ । କାଶ୍ମୀର ପ୍ରସଙ୍ଗରେ ଐତିହାସିକ ନିଷ୍ପତି ନେଇଛନ୍ତି ମୋଦି ସରକାର । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀରରୁ ହଟିଛି ଧାରା ୩୭୦ । କେବଳ ଧାରା ୩୭୦ ହଟିନି ବରଂ ଜମ୍ମୁ-କାଶ୍ମୀରକୁ ଭାଗ ଭାଗ କରିଛନ୍ତି କେନ୍ଦ୍ର ସରକାର । ଲଦାଖକୁ ଜମ୍ମୁ-କାଶ୍ମୀର ଠାରୁ ଅଲଗା କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଘୋଷଣା ସହ ଜମ୍ମୁ-କାଶ୍ମୀର ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇଛି । ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଏଭଳି ଘୋଷଣା କରିବା ପରେ ମୋଦି ସରକାରଙ୍କ ଏହି ନିଷ୍ପତି ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଉ ସବୁଠାରୁ ଅଧିକ ହଲଚଲ୍ ପଡୋଶୀ ଦେଶ ପାକିସ୍ତାନରେ ଦେଖିବାକୁ ମିଳିଛି । ଜାମ୍ମୁକାଶ୍ମୀରକୁ ନେଇ ମୋଦି ସରକାରଙ୍କ ନିଷ୍ପତିକୁ ବିରୋଧ କରିଛି ପାକିସ୍ତାନ । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ସଂଯୁକ୍ତ ରାଷ୍ଟ୍ର ସିକ୍ୟୁରିଟି କାଉନସିଲ୍ ବା ୟୁଏନଏସସିରେ ଜାମ୍ମୁକାଶ୍ମୀରର ସ୍ଥିତିକୁ ବିବାଦୀୟ ବୋଲି ଗ୍ରହଣ କରାଯାଇଛି । ଆଉ ଏଭଳି ସ୍ଥିତିରେ ଏହା ଭାରତ ସରକାରଙ୍କ ଏକତରଫା ନିଷ୍ପତି ବୋଲି ପାକ୍ ମନ୍ତ୍ରାଳୟ କହିଛି । ଆଉ ଏହି ନିଷ୍ପତି ଜାମ୍ମୁକାଶ୍ମୀର ଏବଂ ପାକିସ୍ତାନ ଲୋକଙ୍କ ପାଇଁ ଗ୍ରହଣୀୟ ନୁହେଁ ।

ପାକିସ୍ତାନ ବିଦେଶ ମନ୍ତ୍ରାଳୟର ବୟାନ ଅନୁଯାୟୀ, କାଶ୍ମୀର ବିବାଦର ଦ୍ୱିତୀୟ ପକ୍ଷ ରୂପରେ ପାକିସ୍ତାନ, ଭାରତର ଏଭଳି ନିଷ୍ପତିକୁ କାଉଣ୍ଟର କରିବା ପାଇଁ ଯାହା ସମ୍ଭବ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କାଶ୍ମୀରକୁ ନେଇ ପାକିସ୍ତାନ ନିଜ ସକଳ୍ପରେ ଆଜି ବି ଅଟଳ ରହିଛି । କାଶ୍ମୀରର ରାଜନୈତିକ, ଗଣତାନ୍ତ୍ରିକ ଏବଂ ନୈତିକ ବିକାଶ ପାଇଁ ଲଢେଇ ଜାରି ରହିବ ବୋଲି କହିଛି ପାକିସ୍ତାନ ବିଦେଶ ମନ୍ତ୍ରାଳୟ ।