ପାକିସ୍ତାନର ନିଦ ହଜାଇଛି ବଲୁଚିସ୍ତାନରେ ବିଦ୍ରୋହ । ସାମ୍ବାଦିକ ସମ୍ମଳନୀରେ ଭାବବିହ୍ୱଳ ହେଲେ ପାକ୍ ପ୍ରଧାନମନ୍ତ୍ରୀ

395

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲାଗୁଛି ଡର । ମୁହଁରେ ବାରମ୍ବାର ନେଉଛନ୍ତି ଭାରତ ନାଁ । ଭାରତର ଗୁଇନ୍ଦା ବିଭାଗ ନାଁ ନେଉଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ଡ୍ରାମା କରିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ-ହକ୍ –କାକଡ । ବଲୁଚିସ୍ତାନ ବିଦ୍ରୋହ, ଦେଶରେ ଏବେ ଯେଉଁଭଳି ଗୃହଯୁଦ୍ଧର ରୂପ ନେଲାଣି ଏହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ବଲୁଚିସ୍ତାନ ବିଦ୍ରୋହ ଏବେ ପାକ୍ ସରକାରଙ୍କ ରାତିର ନିଦ ହଜାଇ ଦେଇଛି । ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାକ୍ ପ୍ରଧାନମନ୍ତ୍ରୀ ବଲୁଚିସ୍ତାନ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ପାକିସ୍ତାନରେ ଅସ୍ଥିରତାକୁ ନେଇ କାନ୍ଦ କାନ୍ଦ ହୋଇ ପଡିଛନ୍ତି ପ୍ରଧାନମନ୍ତ୍ରୀ ଅନୱର । ଆଉ ବାରମ୍ବାର ଭାରତର ନାଁ ନେଉଥିବା ଦେଖିବାକୁ ମିଳିଛି ।

ପାକିସ୍ତାନରେ ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ ବଢି ବଢି ଚାଲିଛି । ସେପଟେ ବଲୁଚିସ୍ତାନବାସୀ ସ୍ୱତନ୍ତ୍ର ହେବାର ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏସବୁ ଭିତରେ ମହଙ୍ଗା ମାଡ ପାକିସ୍ତାନ ସରକାରଙ୍କୁ ସମସ୍ୟାରେ ପକାଇ ଦେଇଛି । ନିଜ ଦେଶର ସ୍ଥିତି ନିଜେ ସମ୍ଭାଳି ପାରୁ ନଥିବାବେଳେ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ବଲୁଚିସ୍ତାନ ବିଦ୍ରୋହ ପାଇଁ ଭାରତ ଫଣ୍ଡିଂ କରୁଥିବା ମିଥ୍ୟା ଅଭିଯୋଗ ଆଣି, ବିଶ୍ୱ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି । କେବଳ ସେତିକି ନୁହେଁ ସାମ୍ବାଦିକ ସମ୍ମିଳନୀରେ କାନ୍ଦ କାନ୍ଦ ହୋଇ କହିଛନ୍ତି ବଲୁଚିସ୍ତାନକୁ ଦ୍ୱିତୀୟ ବାଙ୍ଗଲାଦେଶ ହେବାକୁ ଦେବୁ ନାହିଁ ।

ଭାରତ ସରକାର ଏବେ ଆତଙ୍କବାଦ ବିରୋଧରେ ଶକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହୋଇଛି । ଜମ୍ମୁ-କାଶ୍ମୀରରେ ଆତଙ୍କୀ ଗତିବିଧି ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏସବୁ ଦେଖି ସହି ପାରୁ ନାହାଁନ୍ତି ପାକିସ୍ତାନ ସରକାର । ଯାହାକୁ ନେଇ ଭାରତ ବିରୋଧରେ ମିଛ ଅଭିଯୋଗ ଆଣିବାରେ ଲାଗିଛନ୍ତି । ବଲୁଚିସ୍ତାନ ଆନ୍ଦୋଳନ ଏବେ ଦେଶରେ ଉଗ୍ର ରୂପ ନେବାରେ ଲାଗିଛି । ବଲୁଚିସ୍ତାନକୁ ପାକିସ୍ତାନ ଠାରୁ ସ୍ୱତନ୍ତ୍ର କରିବାକୁ ଦାବି ଜୋର ଧରିଛି । ହେଲେ ପାକ୍ ପ୍ରଧାନମନ୍ତ୍ରୀ ସବୁ ଦୋଷ ପରୋକ୍ଷ ଭାବେ ଭାରତ ଉପରେ ଲଦି ଦେଇଛନ୍ତି ।

ବଲୁଚିସ୍ତାନରେ ପାକ୍ ସରକାର୍ଙ୍କ ଅନ୍ୟାୟ ଦିନକୁ ଦିନ ବଢି ବଢି ଚାଲିଥିବାବେଳେ ଏହାକୁ ବିରୋଧ କରି ପ୍୍ରତିବାଦକୁ ଓହ୍ଲାଇଛନ୍ତି ସେଠାକାର ବାସିନ୍ଦା । ସାଧାରଣ ଲୋକଙ୍କୁ ହତ୍ୟା କରିବା, ସରକାରୀ ସୁବିଧା ସୁଯୋଗରୁ ବଲୁଚିସ୍ତାନବାସୀଙ୍କୁ ବଂଚିତ ରଖିବା ଏଭଳି ଅନେକ ଅଭିଯୋଗ ରହିଛି ପାକ୍ ସରକାରଙ୍କ ବିରୋଧରେ । ଯାହାକୁ ନେଇ ଗତ ଏକ ମାସରୁ ଅଧିକ ସମୟ ହେବ ବିଦ୍ରୋହ ଲାଗି ରହିଛି । ଆଉ ଏହି ବିଦ୍ରୋହ ଏବେ ଦେଶରେ ଗୃହଯୁଦ୍ଧର ରୂପ ନେଲାଣି ।