ବାଂଲାଦେଶ ପରେ ପାକିସ୍ତାନରେ ଧାର୍ମିକ ହିଂସା । ଭାଙ୍ଗିଲେ ହିନ୍ଦୁ ମନ୍ଦିର, ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ

132

କନକ ବ୍ୟୁରୋ : ସାରା ବିଶ୍ୱରେ ଧାର୍ମିକ ମୌଳବାଦୀମାନେ ଏବେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଗରିବ ଭୋକରେ ମରୁଛି, ବେରୋଜଗାରୀ ରୋଜଗାର ଚିନ୍ତାରେ ଷଢୁଛି, ବିଶ୍ୱ ସ୍ୱାସ୍ଥ୍ୟର ଭିତ୍ତିଭୂମି କରୋନା ମହାମାରୀ ଉଜାଗର କରିଛି ଆଉ ମହିଳା ସୁରକ୍ଷା କେବଳ ଭୋଟ ରାଜନୀତିରେ ଅଟକିଛି । ଏତେସବୁ ସମସ୍ୟା ବିଶ୍ୱ ମାନବ ସଭ୍ୟତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ବିଶ୍ୱର କିଛି ଧାର୍ମିକ ମୌଳବାଦୀ ସଂଗଠନ ଏସବୁ ସମସ୍ୟା ଉପରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଯୋଜନା ବଦ୍ଧ ଭାବେ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛନ୍ତି ।

ଏହି କ୍ରମରେ ପ୍ରଥମେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଥିବା ବେଳେ ପାକିସ୍ତାନ ତାର ଚିରାଚରିତ ଢଙ୍ଗରେ ପୁଣି ହିନ୍ଦୁ ଧର୍ମ ଉପରେ ଆକ୍ରମଣ ଆରମ୍ଭ କରିଛି । ପାକିସ୍ତାନର ସିନ୍ଧ ଅଞ୍ଚଳ କଟୋରୀ ଠାରେ କିଛି ଅଜ୍ଞାତ ବ୍ୟକ୍ତି ଏକ ହିନ୍ଦୁ ମନ୍ଦିର ଭିତରେ ପଶି ଭଙ୍ଗାରୁଜା କରିବା ସହ ମନ୍ଦିରରେ ଥିବା ଅନେକ ମୂଲ୍ୟବାନ ଅଳଙ୍କାରକୁ ଚୋରାଇ ନେଇଛନ୍ତି । ପାକିସ୍ତାନ ଗଣମାଧ୍ୟମ ଏଭଳି ସୂଚନା ଦେଇଛି ।

ସୂଚନା ମୁତାବକ କିଛି ଅଜ୍ଞାତ ବ୍ୟକ୍ତି ଏହି ହିନ୍ଦୁ ମନ୍ଦିରରେ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ମନ୍ଦିରରେ ଥିବା ଠାକୁରଙ୍କ ଅଳଙ୍କାର ଲୁଟିନେବା ପରେ ଇମ୍ରାନ ସରକାରଙ୍କ ଅଳ୍ପ ସଂଖ୍ୟକଙ୍କ ସୁରକ୍ଷା ପଦାରେ ପଡିଛି ।

କଟୋରୀ ପୋଲିସରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ତରଫରୁ କାହାକୁ ବି ଗିରଫ କରାଯାଇ ନାହିଁ । ସେପଟେ ପାକ୍ ଗଣମାଧ୍ୟମର ସୂଚନା ମୁତାବକ ଅଳ୍ପ ସଂଖ୍ୟକ ମନ୍ତ୍ରୀ ସଂପୃକ୍ତ ଅଞ୍ଚଳର ଏସଏସପିଙ୍କୁ ଏହି ଘଟଣାର ରିପୋର୍ଟ ମାଗିଛନ୍ତି । ଅନ୍ୟପଟେ ପାକିସ୍ତାନ ଅଳ୍ପ ସଂଖ୍ୟକ ରାଷ୍ଟ୍ରୀୟ ଆୟୋଗର ଅଧ୍ୟକ୍ଷ ଚେଲାରାମ କେବଲାନୀ ଓ ସିନ୍ଧର ଅଳ୍ପ ସଂଖ୍ୟକ ମନ୍ତ୍ରୀ ଜ୍ଞାନଚନ୍ଦ ଏସରାନୀ ସ୍ଥାନୀୟ ଏସଏସପିଙ୍କୁ ଏହି ମାମଲାର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ।