କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପରେ ପୁଣିଥିରେ ଭୁଲ ଅମ୍ପାୟରିଂକୁ ନେଇ ବିବାଦ ଆରମ୍ଭ ହୋଇଛି । ଖାସକରି ପାକିସ୍ତାନ, ବାଂଲାଦେଶ, ଭାରତର ମ୍ୟାଚରେ ଏଭଳି ଖରାପ ଅମ୍ପାୟରିଂ ଅଧିକ ଦେଖିବାକୁ ମିଳିଛି । ରବିବାର ଆଡିଲେଡର ମଧ୍ୟ ପୁଣିଥରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବାଂଲାଦେଶ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସାକିବ ଅଲ ହସନଙ୍କ ଆଉଟକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି । ପାକିସ୍ତାନର ସଦାବଙ୍କ ବଲରେ ସାକିବ ଏଲବିଡବ୍ଲୁ ହୋଇଥିଲେ । ବାଂଲାଦେଶ ରିଭ୍ୟୁ ନେଇ ଏହାର ଯାଞ୍ଚ କରିଥିଲେ ମଧ୍ୟ ଅମ୍ପାୟାର ସାକିବଙ୍କୁ ଆଉଟ ଦେଇଥିଲେ ।

Advertisment

ଏହି ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ପାକିସ୍ତାନ ସେମିଫାଇନାଲ ଟିକେଟ ହାତେଇଥିଲା । ତେବେ ବାଂଲାଦେଶର କ୍ରିକେଟପ୍ରେମୀଙ୍କ ଅନୁଯାୟୀ, ସାକିବ ଯଦି ଆଉଟ ହୋଇନଥାନ୍ତେ ତେବେ ଫଳାଫଳ ହୁଏତ ଭିନ୍ନ ହୋଇଥାନ୍ତା । ଏପରିକି ବାଂଲାଦେଶର କ୍ରିକେଟପ୍ରେମୀ ରିଭ୍ୟୁର କିଛି ଭିଡ଼ିଓ ଓ ଫଟୋ ସେୟାର କରିବା ସହ ଦର୍ଶାଇଛନ୍ତି ସାକିବ ନଟ ଆଉଟ ଥିଲେ । ପ୍ୟାଡରେ ବାଜିବା ପୂର୍ବରୁ ବଲ ପ୍ରଥମେ ବ୍ୟାଟରେ ବାଜିଥିଲା ବୋଲି କ୍ରିକେଟପ୍ରେମୀ କହିଥିଲେ । କିନ୍ତୁ ଥାର୍ଡ ଅମ୍ପାୟାର ରିଭ୍ୟୁର ଯାଞ୍ଚ କରି ଦର୍ଶାଇଥିଲେ ଯେ, ବ୍ୟାଟରେ ବଲ ବାଜିନଥିଲା ବରଂ ବ୍ୟାଟ କ୍ରିଜରେ ମାଡ ହୋଇଥିଲା । ଯେଉଁଥିପାଇଁ ସ୍କାନରରେ ଅଲଟ୍ରାଏଜ୍ ଦେଖାଇଥିଲା । ଆଉ ଏଥିପାଇଁ ସାକିବଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା । ଆଉ ଏଭଳି ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କ ଉପରେ ବର୍ଷିଛନ୍ତି କ୍ରିକେଟପ୍ରେମୀ । ଏପରିକି ପାକିସ୍ତାକୁ ମଧ୍ୟ ଛାଡିନାହାନ୍ତି ବାଂଲାଦେଶୀ କ୍ରିକେଟପ୍ରେମୀ । ସୋସିଆଲ ମିଡ଼ିଆରେ ପାକିସ୍ତାନକୁ ଚିଟର ଚିଟର ବୋଲି କହିବା ଆରମ୍ଭ କରିଛନ୍ତି ବାଂଲା କ୍ରିକେଟପ୍ରେମୀ ।

ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ଟ୍ୱିଟ୍ କରି ଆକାଶ ଲେଖିଛନ୍ତି, ସାକିବଙ୍କ ବ୍ୟାଟ୍ କ୍ରିଜ୍ ଛୁଇଁନଥିଲା । ବ୍ୟାଟର ଛାଇରେ ଏହା ସ୍ପଷ୍ଟ ଦିଶୁଛି । ବ୍ୟାଟରେ ହିଁ ବଲ ବାଜିଥିଲା । ବାଂଲାଦେଶ ବିପକ୍ଷରେ ଏହା ଖରାପ ଅମ୍ପାୟରିଂ । ଯାହାର ପରିଣାମ ବାଂଲାଦେଶକୁ ଭୋଗିବାକୁ ପଡିଛି ।

ଏହାପୂର୍ବରୁ ଭାରତ-ବାଂଲାଦେଶ ମ୍ୟାଚରେ ମଧ୍ୟ ବିବାଦ ଦେଖିବାକୁ ମିଳିଛି । ମ୍ୟାଚ୍ ପରେ ବିରାଟ କୋହଲିଙ୍କ ଫେକ୍ ଫିଲ୍ଡିଂକୁ ନେଇ ବାଂଲାଦେଶ ଖେଳାଳୀ ଆପତ୍ତି ଉଠାଇଥିଲେ । ପଡିଆରେ କୋହଲି ଫେକ୍ ଫିଲ୍ଡିଂ କରିଥିବାରୁ ବାଂଲାଦେଶକୁ ଅତିରିକ୍ତ ୫ ରନ୍ ଦେବା ଆବଶ୍ୟକ ବୋଲି ଦାବି କରିଥିଲେ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଭାରତକୁ ଟାର୍ଗେଟ କରିବାକୁ ପଛାଇନଥିଲେ ବାଂଲାଦେଶୀ କ୍ରିକେଟପ୍ରେମୀ । କିନ୍ତୁ ଏହି ବିବାଦକୁ ନେଇ ଆଇସିସି ପକ୍ଷରୁ ସେଭଳି କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ । ଏପରିକି ବର୍ଷା ପରେ ମଧ୍ୟ ସଙ୍ଗେ ସଙ୍ଗେ ମ୍ୟାଚ୍ ଆରମ୍ଭ ହୋଇଥିବାରୁ ଆଇସିସିକୁ ଟାର୍ଗେଟ କରିଥିଲେ ପାକିସ୍ତାନର ପୂର୍ବତନ କ୍ରିକେଟର । ଭାରତକୁ ସେମିଫାଇନାଲରେ ପହଞ୍ଚାଇବାକୁ ଆଇସିସି ଚାହୁଁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ସାହିଦ ଆଫ୍ରିଦି ।

ଏସବୁ ଭିତରେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଏଣ୍ଟ୍ରି ମାରିଛନ୍ତି । ଦୁର୍ବଳ ନେଦରଲାଣ୍ଡସ ଠାରୁ ଦକ୍ଷିଣ ଆଫ୍ରିକା ପରାଜିତ ହେବା ଉଭୟ ପାକିସ୍ତାନ ଓ ଭାରତକୁ ସୁହାଇଛି । ବାଂଲାଦେଶ ବିପକ୍ଷରେ ବିଜୟୀ ହୋଇ ପାକିସ୍ତାନ ସେମିଫାଇନାଲ ଟିକେଟ ହାତେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ପରାଜୟ ସିଧାସଳଖ ଭାରତକୁ ସେମିଫାଇନାଲ ଟିକେଟ ଦେଇଛି । ତେବେ ଉଭୟ ଭାରତ-ପାକିସ୍ତାନ ସେମିଫାଇନାଲରେ ଏଣ୍ଟ୍ରି କରିଥିବାରୁ କ୍ରିକେଟପ୍ରେମୀ ଉଭୟ ଟିମ ମଧ୍ୟରେ ଫାଇନାଲ ଫାଇଟ ଦେଖିବାକୁ ଚାହିଁ ବସିଛନ୍ତି ।