କନକ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରରେ ଅବସ୍ଥା ଧୀରେ ଧୀରେ ସ୍ୱାଭାବିକ ହେଉଛି । ଜମ୍ମୁ ଓ କାଶ୍ମୀରରେ ୫ ଦିନ କର୍ଫ୍ୟୁ ବଳବତ୍ତର ରହିବା ପରେ ଶୁକ୍ରବାର ବିଭିନ୍ନ ସ୍ଥାନରେ ସାମୟିକ ଭାବେ ଏହାକୁ ହଟାଯାଇଥିଲା । ରାଜ୍ୟରେ ଫୋନ୍ ଓ ଇଂଟରନେଟ୍ ସେବା ମଧ୍ୟ ଆଂଶିକ ଭାବେ କାମ କରୁଛି । ଜମ୍ମୁକାଶ୍ମୀରର ବିଭିନ୍ନ ଅଂଚଳରେ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ମିଳିବା ପରେ ଲୋକେ ଘରୁ ବାହାରି ଅତ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି । କଡ଼ା ସୁରକ୍ଷା ବଳୟ ଭିତରେ ସ୍କୁଲ-କଲେଜ ଖୋଲାଯାଇଛି ।

Advertisment

publive-image

ମସଜିଦ ମାନଙ୍କରେ ନମାଜ ପାଇଁ ମଧ୍ୟ ଅନୁମତି ମିଳିଛି । ସ୍ଥିତିକୁ ଆହୁରି ସ୍ୱାଭାବିକ କରିବା ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରାଯାଉଛି । ଜମ୍ମୁର ମୁନସିପାଲିଟି ଅଂଚଳରୁ ଧାରା ୧୪୪ ଧାରାକୁ ଉଠାଇ ଦିଆଯାଇଛି । ସାମ୍ବା ଓ ଅନ୍ୟ କେତେକ ଅଂଚଳରେ ସ୍କୁଲ, କଲେଜ ଖୋଲିଛି । ସେପଟେ ୨୦ ଜଣ ବିଛିନ୍ନତାବାଦୀ ନେତାଙ୍କୁ ରାଜ୍ୟବାହାରକୁ ଅଣାଯାଇ ଅନ୍ୟତ୍ର ରଖାଯାଇଛି । ଅଶାନ୍ତି ସୃଷ୍ଟି କରୁଥିବା କିମ୍ବା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

publive-image

ସେପଟେ, କାଶ୍ମୀରରେ ଫେରୁଛି ଶାନ୍ତି । ଭାଇରାଲ ହେଉଥିବା ଏକ ଫଟୋ ଏକଥାକୁ ବେଶ ସ୍ପଷ୍ଟ କରୁଛି । ଜଣେ ସିଆରପିଏଫ ଯବାନଙ୍କ ସହ ହାତ ମିଳାଉଛି ୭-୮ବର୍ଷର ଏକ ଛୋଟ ପିଲା । କାଶ୍ମୀରରୁ ଧାରା ୩୭୦ ହଟିବା ଓ ଲଦାଖ ଅଲଗା ହେବା ପରେ ଏଠାରେ ପାଖାପାଖି ୪୦ହଜାର ଯବାନଙ୍କୁ ମୁତୟନ କରାଯାଇଛି । ତାରି ଭିତରେ ଛୋଟ ପିଲାଟି ହସ ହସ ମୁହଁରେ ଜଣେ ମହିଳା ଯବାନଙ୍କ ସହ ହାତ ମିଳାଇବା, ଉପତ୍ୟକାରେ ଆସ୍ଥା ଓ ବିଶ୍ୱାସର ବଡ ପ୍ରମାଣ ଦେଉଛି । ପିଲାଟିର ମୁହଁରେ ହସ ଆଉ ହୃଦୟରେ ବିଶ୍ୱାସ ବଖାଣୁଛି ଭାରତୀୟ ଯବାନଙ୍କ ଉପରେ ଭରଷାର କଥା ।

publive-image

ଅନ୍ୟପଟେ, ଭାରତୀୟ ସଂସଦରେ ୩୭୦ ଧାରା ଉଛେଦ ପରେ ସହିପାରୁନି ପାକିସ୍ତାନ । ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିବା ସହ ସମସ୍ତ ବାଣିଜିକ ସମ୍ପର୍କ ମଧ୍ୟ ଛିନ୍ନ କରିଛି । ଯୋଧପୁରରୁ କରାଚୀ ଯାଉଥିବା ‘ଥର’ ଏକ୍ସପ୍ରେସକୁ ମଧ୍ୟ ପାକିସ୍ତାନ ବାତିଲ କରିଛି ।

publive-image

ଏହାସହ ଦିଲ୍ଲୀ ଲାହୋର ବସ୍ ସେବାକୁ ବନ୍ଦ କରିବାକୁ ଶୁକ୍ରବାର ଘୋଷଣା କରିଛି । ତେବେ ଭାରତ ବିରୋଧୀ ନିଷ୍ପତି ନେଉଥିବା ପାକିସ୍ତାନକୁ ଭାରତର ବିଦେଶ ମନ୍ତ୍ରାଳୟ କଡା ଜବାବ ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ପାକିସ୍ତାନକୁ ବାସ୍ତବତା ସ୍ୱୀକାର କରିବାକୁ ପଡିବ । ଏବଂ ଏକଥା ଭଲ ଭାବରେ ବୁଝିବାକୁ ପଡିବ ଯେ ୩୭୦ ଧାରା ଉଛେଦ ଦେଶର ଆଭ୍ୟନ୍ତରୀଣ ବ୍ୟାପାର । ଏବଂ ପାକିସ୍ତାନ ଏଥିରେ ଆଦୌ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ ।