ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନୀ ବୋଲର ମହମ୍ମଦ ଆମୀର । ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ, ବାରମ୍ବାର ମାନସିକ ନିର୍ଯାତନା ଯୋଗୁଁ ନେଉଛି ଅବସର 

205

କନକ ବ୍ୟୁରୋ : ଅନେକ ସମୟରେ ବିବାଦ ଭିତରେ ଛନ୍ଦି ହୋଇ ରହୁଥିଲେ  । ହେଲେ ବୋଲିଂ କଳାରେ ସେ ନିପୁଣ  । ଏହାକୁ ଅସ୍ପୀକାର କରାଯାଇନପାରେ  । ମାପୁଚୁପ ବୋଲିଂ କରି ବ୍ୟାଟସମ୍ୟାନଙ୍କ ମନରେ ଭୟ ସଂଚାର କରିବାରେ ସେ ବେଶ୍ ସଫଳ ହୋଇଆସିଛନ୍ତି  । ମହମ୍ମଦ ଆମୀର  । ପାକିସ୍ତାନର କ୍ରିକେଟର ଏବେକାର ସବୁଠୁ ସଫଳ ଓ ଘାତକ ବୋଲର  । ତେବେ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମହମ୍ମଦ ଆମୀର  । ଆଉ ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ଦୋଷ ଲଦିଛନ୍ତି  । ବାରମ୍ବାର ଦିଆଯାଉଥିବା ମାନସିକ ନିର୍ଯାତନା କାରଣରୁ ଅବସର ନେବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଆମୀର  । ନିଜେ ଏକ ଭିଡିଓ ଜାରି କରି ଏନେଇ ସେ ସୂଚନା ଦେଇଛନ୍ତି  ।

୨୦୦୯ ଟି-୨୦ ବିଶ୍ୱକପ୍ ବେଳେ ପାକିସ୍ତାନ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ଆମୀର  । ସେହିବର୍ଷ ପାକିସ୍ତାନ ମଧ୍ୟ ଟି-୨୦ ବିଶ୍ୱକପ୍ ଜିତିଥିଲା  । କେବଳ ସେତିକି ନୁହେଁ ୨୦୦୯ରେ ହିଁ ଆମୀର ନିଜ ଦିନିକିଆ ଓ ଟେଷ୍ଟ କ୍ୟାରିୟର ଆରମ୍ଭ କରିିଥିଲେ  । ଜଣେ ଉପଯୋଗୀ ବୋଲର ଭାବେ ବେଶ୍ ନାଁ ମଧ୍ୟ କମାଇଥିଲେ, ହେଲେ ଠିକ୍ ବର୍ଷେ ପରେ ଅର୍ଥାତ୍ ୨୦୧୦ରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ତାଂକୁ ଗିରଫ କରାଯାଇଥିଲା  । ଏହାସହ ତାଂକ ଉପରେ ୫ ବର୍ଷ ଲାଗି କଟକଣା ଲାଗିଥିଲା  ।

ତେବେ ୨୦୧୬ରେ ପୁଣି କ୍ରିକେଟ ମଇଦାନକୁ ଫେରିଥିଲେ ଆମୀର  । ହେଲେ ତାଂକୁ ସାଥୀ ଖେଳାଳିମାନେ ସହଯୋଗ କରୁନଥିବା ନେଇ ଅନେକ ଥର ନିଜେ ଆମୀର ଅଭିଯୋଗ ଆଣିିଥିଲେ । ପାକିସ୍ତାନ ପାଇଁ ମହମ୍ମଦ ଆମୀର ୩୬ଟି ଟେଷ୍ଟ, ୬୧ଟି ଦିନିକିଆ, ୫୦ଟି ଟି-୨୦ ଖେଳିଛନ୍ତି  । ତିନିଟି ଯାକ ଫର୍ମାଟରେ ସେ ଦେଶପାଇଁ ମୋଟ୍ ୨୫୯ଟି ୱିକେଟ ନେଇଛନ୍ତି  ।