କନକ ବ୍ୟୁରୋ : ଗୁରୁବାର ଗୋଆରେ ସାଂଘାଇ କର୍ପୋରେସନ ସଂଗଠନ ରାଷ୍ଟ୍ରର ବୈଦେଶିକମନ୍ତ୍ରୀ ମନ୍ତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲା ଭାରତ । ଭାରତ ଏସସିଓ ବୈଠକରେ ଆୟୋଜକ ହୋଇଥିବା ଯୋଗୁଁ ଜଣଙ୍କ ପରେ ଜଣେ ବୈଦେଶିକମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଭାରତର ବୈଦଶିକମନ୍ତ୍ରୀ ଏସ୍ ଜୟଶଙ୍କର । କିନ୍ତୁ ଯେତେବେଳେ ପାକିସ୍ତାନ ବୈଦେଶିକମନ୍ତ୍ରୀ ବିଲାୱଲ ଭୁଟୋ ଜର୍ଦାରୀ ମଂଚରେ ପହଁଚିଥିଲେ ତାଙ୍କ ସହ ହାତ ମିଳାଇବା ବଦଳରେ ଜୟଶଙ୍କର ନମସ୍କାର କହି ସ୍ୱାଗତ କରିଥିଲେ । ଏଠାରେ ଏକ ରୋଚକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । କଥା ହେବାତ ଦୂରର କଥା ଦୁଇ ରାଷ୍ଟ୍ରନେତା ଫଟୋ ଉଠାଇବା ସମୟରେ ପାଖାପାଖି ଛିଡା ହେବା ବଦଳରେ ଦୂରତା ରକ୍ଷା କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଛି ଦୁଇ ଦେଶ ମଧ୍ୟରେ ଥିବା ବିବାଦର ଦୂରତା କେତେ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏସସିଓ ମଂଚରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପରୋକ୍ଷରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଭାରତ କହିଛି—ଯେଉଁ ସମୟରେ ପୂରା ବିଶ୍ୱ କୋଭିଡ ଓ ଏହାର ଭୟଙ୍କର ରୂପ ସହ ଲଢୁଥିଲା ସେତେବେଳେ ମଧ୍ୟ ଆତଙ୍କବାଦର କରାଳ ରୂପ ଜାରି ରହିଥିଲା । ଆତଙ୍କବାଦ ଉପରୁ ନଜର ହଟାଇବା ଅର୍ଥ ବିଶ୍ୱର ସୁରକ୍ଷା ବ୍ୟବସ୍ଥା ସହ ବୁଝାମଣା କରିବା ସହ ସମାନ । ସବୁସ୍ତରରେ ଆତଙ୍କବାଦକୁ ବନ୍ଦ କରାଯିବା ଜରୁରୀ । ସୀମାପାର ଆତଙ୍କବାଦକୁ ବରଦାସ୍ତ କରାଯିବନି । ଯେଉଁମାନେ ଆତଙ୍କୀ ଓ ଆତଙ୍କବାଦକୁ ସହଯୋଗ କରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆତଙ୍କବାଦ ବିରୋଧରେ ଲଢେଇ ଏସସିଓର ମୂଳ ଲକ୍ଷ୍ୟ ରହିବା ଉଚିତ ।
ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଏସସିଓ ରାଷ୍ଟ୍ରଙ୍କୁ ଅପିଲ କରିଛି ଭାରତ । ପାକିସ୍ତାନର କୌଣସି ବିଦେଶମନ୍ତ୍ରୀ ୧୨ବର୍ଷ ପରେ ଭାରତଗସ୍ତରେ ଆସିଛନ୍ତି । ସେପଟେ ଚୀନ ବୈଦେଶିକମନ୍ତ୍ରୀ କିନ୍ ଗାଙ୍ଗ ସହ ଜୟଶଙ୍କର ଦ୍ୱିପାକ୍ଷୀକ ଆଲୋଚନା କରି ସୀମା ବିବାଦ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଉଭୟ ପକ୍ଷ ସୀମାରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା ଉପରେ ଜୋର ଦେଇଛନ୍ତି ।