ଟି-୨୦ ମହାକୁମ୍ଭରେ ନିରାଶ କଲା ଭାରତ : ମ୍ୟାଚ ଛଡାଇନେଲେ ପାକିସ୍ତାନର ଓପନିଂ ଯୋଡି

୧୦ ୱିକେଟରେ ବିଜୟୀ ପାକିସ୍ତାନୀ ଟିମ୍; ସାହିନ ଆଫ୍ରିଦଙ୍କ ଘାତକ ବୋଲିଂ ପରେ ବାବର ଆଜମ ଓ ରିଜୱାନଙ୍କ ଧୁଆଁଧାର ବ୍ୟାଟିଂ

163

କନକ ବ୍ୟୁରୋ : ନିରାଶ କଲା ଭାରତ । ଦୁବାଇରେ ଚାଲିଥିବା ବିଶ୍ୱକପ ଟି-୨୦ ମୁକାବିଲାରେ ପାକିସ୍ତାନ ୧୩ଟି ବଲ ଓ ୧୦ ୱିକେଟରେ ବିଜୟୀ ହୋଇଛି । ଭାରତକୁ ହରାଇ ପାକିସ୍ତାନ ଟି-୨୦ ବିଶ୍ୱକପ ମୁକାବିଲାରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବିଜୟୀ ହୋଇଛି । ପାକିସ୍ତାନ ପକ୍ଷରୁ ଓପନିଂ ଯୋଡି ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଧୂଆଁଧାର ବ୍ୟାଟିଂ ଦଳକୁ ବିଜୟୀ କରାଇଛି । ରିଜୱାନ ୫୯ଟି ବଲରେ ୭୯ ରନ ଓ ଅଧିନାୟକ ବାବର ଆଜମ ୫୨ ବଲରେ ୬୮ ରନ୍ କରି ଉଭୟ ଅପରାଜିତ ରହିଥିଲେ । ଭାରତ ପକ୍ଷରୁ କୌଣସି ବୋଲର ଓପନିଂ ଯୋଡି ଭାଙ୍ଗିବାରେ ବିଫଳ ହୋଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି ୧୫୨ ରନର ଟାର୍ଗେଟ ଦେଇଥିଲା । ଭାରତ ପକ୍ଷରୁ ଅଧିନାୟକ କୋହଲି ସର୍ବାଧିକ ୫୭ ରନ କରିଥିବା ବେଳେ ଓପନର ରୋହିତ ଶର୍ମା କୌଣସି ରନ୍ କରିନପାରି ଫାଭିଲିଅନକୁ ଫେରିଥିଲେ । ସେହିପରି ଅନ୍ୟତମ ଓପନର କେଏଲ ରାହୁଲ ୩ ରନ କରି ଆଉଟ୍ ହୋଇଥିଲେ । ରିଷଭ ପନ୍ତ ୩୯, ଜାଡେଜା ୧୩, ସୂର୍ଯ୍ୟକୁମାର ଯାଦବ ୧୧, ହାର୍ଦ୍ଦିକ ପାଣ୍ଡ୍ୟା ୧, ଭୁବନେଶ୍ୱର କୁମାର ୫ ରନ୍ କରି ଅପରାଜିତ ରହିଥିଲୋ । ଭାରତୀୟ ବ୍ୟାଟିଂ ଲାଇନକୁ ଭାଙ୍ଗି ଦେଇଥିଲେ ସାହିନ ଆଫ୍ରଦ୍ । ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଭଳି ୱିକେଟ୍ ନେଇଥିଲେ ସାହିନ୍ । ଏହି ବିଜୟ ସହ ପୂର୍ବରୁ ଟି -୨୦ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଭାରତର ଥିବା ଅପରାଜେୟ ରେକର୍ଡ ଭାଙ୍ଗି ଯାଇଛି ।

ଭାରତର ସବୁ ଯୋଜନା, ଦୁବାଇରେ ଆଇପିଏଲ୍ ଖେଳିବାର ଅଭିଜ୍ଞତା, ପୂର୍ବ ପରିସଂଖ୍ୟାନ ଏବଂ ଶୀର୍ଷକ୍ରମର ପହାଡ଼ ଭଳି ରନ୍ ରେକର୍ଡ କିଛି ବି କାମ ଦେଇ ନଥିଲା । ସେପଟେ ପାକିସ୍ତାନ ଖେଳାଳିମାନେ ଏମିତି ଖେଳିଲେ ଯେ ଗତ ୧୨ ବିଶ୍ବକପ୍ ପରାଜୟର ପ୍ରତିଶୋଧ ଯେମିତି ଏକାଥରକେ ନେଇଗଲେ । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରମୁଖ ଦାବିଦାର କୁହାଯାଉଥିବା ଭାରତ ଟ୍ବେଣ୍ଟି-୨୦ରେ ପ୍ରଥମ ଥର ୧୦ ୱିକେଟ୍‌ରେ ହାରିବାର ଆଲୋଡ଼ା ରେକର୍ଡ କରିବା ଭାରତୀୟ ପ୍ରଶଂସକଙ୍କୁ ସବୁଠାରୁ ବେଶି ବ୍ୟଥିତ କରିଛି ।