ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ ! ୫ ପାକିସ୍ତାନୀ ଆତଙ୍କବାଦୀ ନିହତ

29

କନକ ବ୍ୟୁରୋ: ଉତ୍ତର କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ମାଚିଲ୍ ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ପଣ୍ଡ କରିଦେଇଛନ୍ତି । କମ୍ବିଂ ଚାଲିଥିବା ବେଳେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ସହ ମୁହାଁମୁହିଁ ହୋଇଥିଲେ ଏବଂ ୨ ଘଣ୍ଟାର ଗୁଳିବିନିମୟ ପରେ ସମସ୍ତ ୫ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି ।

ନିୟନ୍ତ୍ରଣ ରେଖା ଉପରେ ସତର୍କ ନଜର ରଖିଥିବା ଭାରତୀୟ ଯବାନ ମାଚିଲର ଜଙ୍ଗଲ ଅଂଚଳରେ ସନ୍ଦେହଜନକ ଗତିବିଧି ଦେଖିବା ପରେ ତୁରନ୍ତ ସେନା ଶିବିରକୁ ଖବର ପଠାଇଥିଲେ ଏବଂ ଯୁଦ୍ଧକାଳୀନ ଭିତ୍ତିରେ କମ୍ବିଂ ଆରମ୍ଭ ହୋଇଥିଲା । ନିହତ ପାକ୍ ଆତଙ୍କବାଦୀଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଏହି ଆତଙ୍କବାଦୀମାନେ ହିଜବୁଲ କିମ୍ବା ଲସ୍କର ଗୋଷ୍ଠୀର ତାହା ସ୍ପଷ୍ଟ ହୋଇନାହିଁ । ଗତମାସ ୨୩ ତାରିଖରେ ଏହି ସେକ୍ଟରରେ ଆଉ ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ହୋଇଥିଲା ଏବଂ ସେନା ଏହାକୁ ବିଫଳ କରିବାରେ ସକ୍ଷମ ହୋଇଥିଲା । ଚଳିତ ବର୍ଷ ସେନା ୨୨ଟି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିବା ବେଳେ ୩୮ ସଶସ୍ତ୍ର ଆତଙ୍କବାଦୀଙ୍କୁ ଏଲଓସିରେ ନିପାତ କରିଛି ।

ଏବେ ସୀମାରେ ଅତ୍ୟାଧୁନିକ ସର୍ଭେଲାନ୍ସ ବ୍ୟବସ୍ଥା ହୋଇଥିବାରୁ ଆତଙ୍କବାଦୀମାନେ ପୂର୍ବ ଭଳି ଆଉ ସହଜରେ ପଶିବା ସମ୍ଭବ ହେଉନାହିଁ । ଆତଙ୍କବାଦୀମାନେ ଭାରତ ଭିତରକୁ ପଶିବା ପରେ ମଧ୍ୟ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଘେରିବାକୁ ସେନା ପଦକ୍ଷେପ ନେଇଛି ।

ସୋମବାର ପୁଲଓ୍ଵାମାରେ ମଧ୍ୟ ୩ ଜଣ ଆତଙ୍କବାଦୀ ଏକ ଘରେ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ସନ୍ଧ୍ୟାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପୁଲଓ୍ଵାମାର କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଆତଙ୍କବାଦୀମାନେ ୨ ଦିନ ତଳୁ ଏଠାରେ ଆତ୍ମଗୋପନ କରିଥିବା ଖବର ମିଳିଥିଲା । ଆତଙ୍କବାଦୀ ବିପୁଳ ଅସ୍ତ୍ରଶସ୍ତ୍ର ସହ ଏକ ଘରେ ଲୁଚିଥିବା ଖବର ମିଳିବା ପରେ ସୁରକ୍ଷାବାହିନୀ ସମଗ୍ର ଅଂଚଳକୁ ଘେରାଉ କରି ରଖିଛନ୍ତି । ଲୁଚିଥିବା ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ପର୍ଯ୍ୟନ୍ତ ଅପରେସନ ଜାରି ରହିବ ବୋଲି ଜଣାପଡ଼ିଛି ।

ସେହିଭଳି ପୁଲଓ୍ଵାମା ଜିଲ୍ଲାର ସାମ୍ବୁର ଗ୍ରାମରେ ମଧ୍ୟ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ହୋଇଥିଲା ଏବଂ ଏଥିରେ ଜଣେ ଲସ୍କର ଆତଙ୍କବାଦୀ ନିପାତ ହୋଇଥିଲା। ଉତ୍ତର ଓ ଦକ୍ଷିଣ କଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସୁରକ୍ଷା ବାହିନୀ ଏବେ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛି । ଦୁର୍ଦ୍ଦାନ୍ତ ଆତଙ୍କାବାଦୀଙ୍କୁ ଠାବ କରିବାମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଦକ୍ଷିଣ କଶ୍ମୀରରେ ସେନାର କାର୍ଯ୍ୟାନୁଷ୍ଠାନରେ ୩ ମାସ ଭିତରେ ୪୦ରୁ ଅଧିକ ଆତଙ୍କବାଦୀ ନିପାତ ହେବାପରେ ଶତାଧିକ ଆତଙ୍କବାଦୀ ଏବେ ଉତ୍ତର କଶ୍ମୀର ପଳାଇଛନ୍ତି ।