କନକ ବ୍ୟୁରୋ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନବାସୀଙ୍କ ପାଇଁ ସେନା ଏବେ ନୂଆ ପଦକ୍ଷେପ ନେବାକୁ ଯାଉଛି । ଆଗକୁ ପାକିସ୍ତାନ ସେନା ଯବାନଙ୍କୁ ବର୍ଡର ବଦଳରେ ଚାଷ ଜମିରେ ଦେଖିବାକୁ ମିଳିବ । ସେହିଭଳି ଯବାନଙ୍କୁ ଟ୍ୟାଙ୍କ ବଦଳରେ ଟ୍ରାକ୍ଟର ଚଲାଉଥିବାର ଦେଖିବାକୁ ମିଳିବ । କାରଣ ପାକିସ୍ତାନକୁ ଖାଦ୍ୟ ସଙ୍କଟରୁ ଉଦ୍ଧାର କରିବାକୁ ଏବେ ସେନା ଅଣ୍ଟା ଭିଡ଼ିଛି । ଯେଉଁଥିପାଇଁ ୧୦ ଲକ୍ଷ ଏକର ଜମିରେ ଚାଷ କାମ କରିବାକୁ ସେନା ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପାକିସ୍ତାନର ଗରିବ ଲୋକଙ୍କ ପେଟକୁ ଦି ମୁଠା ଦାନା ଦେବାକୁ ଏଭଳି ନିଷ୍ପତ୍ତି ନେଇଛି ସେନା । ଏଥିପାଇଁ ଅବ୍ୟବହୃତ ହୋଇ ପଡି ରହିଥିବା ଜମିରେ ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ସେନାର ଏଭଳି ପଦକ୍ଷେପକୁ ନେଇ କିଛି ଲୋକ ଚିନ୍ତାବ୍ୟକ୍ତ କରୁଥିବା ବେଳେ କିଛି ଲୋକ ଖୁସିବ୍ୟକ୍ତ କରିଛନ୍ତି ।

Advertisment

ବର୍ଷେ ପୂର୍ବେ ପାକିସ୍ତାନ ସେନା ଖାଦ୍ୟ ସୁରକ୍ଷା ଅଭିଯାନକୁ ନେଇ ଏକ ପ୍ଲାନ ଲଞ୍ଚ କରିଥିଲା । ଏପରିକି ଆସନ୍ତାବର୍ଷ ଆରମ୍ଭରୁ ପାକିସ୍ତାନରେ ନୂଆ ଖାଦ୍ୟ ସୁରକ୍ଷା ଅଭିଯାନ ଆରମ୍ଭ ହେବ । ଯୋଜନା ମୁତାବକ, ପାକିସ୍ତାନ ସେନା ପଞ୍ଜାବ ପ୍ରାନ୍ତର ୧୦ ଲକ୍ଷ ଏକର ଜମି ଅଧିଗ୍ରହଣ କରିବା ସହ ଏଠାରେ ଚାଷ କାମ କରିବ । ସେନା ଅଧିଗ୍ରହଣ କରିବାକୁ ଥିବା ଚାଷ ଜମି ଦିଲ୍ଲୀର ପରିଧି ତୁଳନାରେ ୩ ଗୁଣା ଅଧିକ ବଡ ହେବ । ଏହି ପଦକ୍ଷେପକୁ ସମର୍ଥନ କରୁଥିବା ଲୋକଙ୍କ କହିବା ଅନୁଯାୟୀ, ସେନା ଏକକାଳୀନ ଏତେ ଜମିରେ ଚାଷ କରିବା ଦ୍ୱାରା ଅଧିକ ଫସଲ ଅମଳ ହେବ ଏବଂ ଅଧିକରୁ ଅଧିକ ଜଳ ସଞ୍ଚୟ ମଧ୍ୟ ହୋଇପାରିବ ।

ରିପୋର୍ଟ ମୁତାବିକ, ଫସଲ ବିକ୍ରିରୁ ହେବାକୁ ଥିବା ଲାଭାଂଶରୁ ୨୦ ପ୍ରତିଶତ କୃଷି ଅନୁସନ୍ଧାନ ଓ ବିକାଶ ପାଇଁ ରହିବ । ବଳକା ଲାଭାଂଶକୁ ସମାନ ଭାବରେ ସେନା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବଣ୍ଟାଯିବ । ପାକିସ୍ତାନ ସେନାକୁ ୩୦ ବର୍ଷ ପାଇଁ ଚାଷ ଜମି ଲିଜରେ ଦିଆଯିବ । ଯେଉଁ ଚାଷ ଜମିରେ ପନିପରିବା ସହ ଗହମ, ହରଡ, କପା ଚାଷ କରାଯିବ । ତେବେ ସେନାର ଏହି ପଦକ୍ଷେପକୁ ନେଇ କିଛି ଲୋକ ଚିନ୍ତା ବ୍ୟକ୍ତ କରିବା ସହ କହିଛନ୍ତି, ଦେଶରେ ପାକିସ୍ତାନ ସେନା ପୂର୍ବରୁ ହିଁ ଶକ୍ତିଶାଳୀ ରହିଛି । ଏବେ ଚାଷ କାମ କରିବା ଦ୍ୱାରା ଅଧିକରୁ ଅଧିକ ଲାଭ କରିବ କିନ୍ତୁ ସେନା ଚାଷ କରିବା ଦ୍ୱାରା କୋଟି କୋଟି ଗ୍ରାମୀଣ ଭୂମିହୀନ ଚାଷୀଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିବ । ଏହାଦ୍ୱାରା ପାକିସ୍ତାନ ସେନା ଦେଶର ସବୁଠାରୁ ବଡ ଭୂମି ମାଲିକ ପାଲଟିଯିବ ଏବଂ ଫସଲ ଅମଳ ପରେ ମନମାନି କରିବ । ସେନାର କାର୍ଯ୍ୟ ହେଉଛି ବାହ୍ୟ ବିପଦରୁ ଦେଶକୁ ରକ୍ଷା କରିବା, ଏବଂ ଆବଶ୍ୟକସ୍ଥଳେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କୁ ସହାୟତା କରିବା । କିନ୍ତୁ ସେନା ଯବାନ ତାହା ଛାଡି ଚାଷ କରିବା ନିଷ୍ପତ୍ତିକୁ ଅନେକ ଗ୍ରହଣ କରିପାରୁନାହାନ୍ତି ।

ପାକିସ୍ତାନ ଏବେ କେଉଁଭଳି ଆର୍ଥିକ ସ୍ଥିତି ଦେଇ ଗତି କରୁଛି ତାହା କାହାକୁ ଅଛପା ନାହିଁ । ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଏବେ ୯ କୋଟିରୁ ଅଧିକ ଲୋକ ଗରିବି ସୀମାରେଖା ତଳେ ରହୁଛନ୍ତି । ଦିନକୁ ଦିନ ଗରିବଙ୍କ ସଂଖ୍ୟା ମଧ୍ୟ ପାକିସ୍ତାନରେ ବଢୁଛି । ତେଣୁ ଆବଶ୍ୟକୀୟ ପଦକ୍ଷେପ ନ ନେଲେ ଆଗକୁ ପାକିସ୍ତାନରେ ସାଂଘାତିକ ସ୍ଥିତି ଉପୁଜିପାରେ ବୋଲି ବିଶ୍ୱବ୍ୟାଙ୍କ ସତର୍କ କରାଇଛି ।