ପାକିସ୍ତାନକୁ ଘାରିଛି ଭାରତ ଭୟ । ଏୟାରଷ୍ଟ୍ରାଇକକୁ ବିତିଲାଣି ୨ ମାସ, କିନ୍ତୁ ଏବେବି ୩୦୦ ଟ୍ୟାଙ୍କକୁ ଆଲର୍ଟ ମୋଡରେ ରଖିଛି ପାକ୍ ସେନା ।

298

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ପାକିସ୍ତାନ ବାଲାକୋଟ୍ ଆତଙ୍କୀ ଶିବିରରେ ଭାରତ କରିଥିବା ଏୟାରଷ୍ଟ୍ରାଇକକୁ ଇତି ମଧ୍ୟରେ ବିତିଗଲାଣି ୨ ମାସ । ହେଲେ, ପାକିସ୍ତାନୀ ସେନା ମନରୁ ଏବେ ବି ଭୟ ଦୂର ହୋଇନାହିଁ । କାଳେ ପୁଣି ଥରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେଇ ଆଶଙ୍କାରେ ପାକିସ୍ତାନୀ ସେନା ଆଖିରୁ ନିଦ ହଜି ଯାଇଛି । ଏହି କାରଣରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଦୁଇ ମାସ ପରେ ବି ପାକିସ୍ତାନୀ ସେନା ତା’ର ଗୁରୁତ୍ୱପୂର୍ଣ୍ଣ ଶକାରଗଡ଼ ସେକ୍ଟରରେ ୩୦୦ ଟ୍ୟାଙ୍କ୍‌କୁ ଖାଲି ମୁତୟନ କରି ରଖିନାହିଁ; ବରଂ ‘ଆଲର୍ଟ’ ମୋଡ୍‌ରେ ରଖିଛି । ଖାଲି ଏତିକି ନୁହେଁ, ଭାରତ ପକ୍ଷରୁ ଯଦି କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ହେଲା, ତେବେ ତାକୁ ପ୍ରତିହତ କରିବା ପାଇଁ ପାକିସ୍ତାନୀ ସ୍ଥଳ ସେନାର ୪ଟି ସଶସ୍ତ୍ର ସାମରିକ ବ୍ରିଗେଡ୍‌ ମଧ୍ୟ ସୀମାନ୍ତରେ ମୁତୟନ ହୋଇ ରହିଛନ୍ତି ।

ହେଲେ, ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ପାକିସ୍ତାନକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଛି । ଭାରତର ଉଗ୍ର ଆଭିମୁଖ୍ୟ ଆଗରେ ପାକିସ୍ତାନକୁ ନତମସ୍ତକ ହେବାକୁ ପଡ଼ିଥିବା ବେଳେ ବିଶ୍ୱ ସମୁଦାୟର ଚାପ ଆଗରେ ଏବେ ସଂପୁର୍ଣ୍ଣ ଏକ ଘରକିଆ ହୋଇ ଘୋର ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହୋଇଛି ପାକିସ୍ତାନ । ଏପରିସ୍ଥିତିରେ ସୀମାନ୍ତରେ ନିଜ ସେନାକୁ ‘ଆଲର୍ଟ ମୋଡ’ରେ ରଖିବା ପାକିସ୍ତାନ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ତେଣୁ, ଆଉ ଅଧିକ ଚାପକୁ ସମ୍ଭାଳିବା ପାଇଁ ଅସମର୍ଥ ଥିବା ପାକିସ୍ତାନ ନିଜ ଆଡ଼ୁ ସୀମାନ୍ତରେ ଉତ୍ତେଜନା ହ୍ରାସ ସହ ଅସ୍ତ୍ରବିରତିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଭାରତକୁ ପ୍ରସ୍ତାବ ଦେଇଛି ।