ପୁଣି ପଦାରେ ପଡିଲା ପାକିସ୍ତାନର ଆତଙ୍କବାଦ ପ୍ରୀତି । ହାଫିଜ ସୟିଦ ପାଇଁ ଜାତିସଂଘରେ କଲା ଗୁହାରି, ମାସିକ ଦେଢ ଲକ୍ଷ ଟଙ୍କା ଦେବା ପାଇଁ ମାଗିଲା ଅନୁମତି ।

345

କନକ ବ୍ୟୁରୋ : ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ ହାଫିଜ ସୟିଦ ପାଇଁ ଦରଦ ଦେଖାଇଛି ପାକିସ୍ତାନ । ବିଶ୍ୱ ଆତଙ୍କବାଦୀ ହାଫିଜକୁ ପରିବାର ପ୍ରତିପୋଷଣ ପାଇଁ ମାସିକ ଦେଢ ଲକ୍ଷ ଟଙ୍କା ଦେବା ପାଇଁ ମିଳିତ ଜାତିସଂଘକୁ ନିବେଦନ କରିଥିଲା ପାକିସ୍ତାନ । ସବୁଠାରୁ ବଡକଥା ହେଉଛି ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ଏହି ଦାବିକୁ ନେଇ କୌଣସି ଆପତି କରାଯାଇନଥିବାରୁ ଆବେଦନକୁ ସ୍ୱୀକୃତି ବି ମିଳିଛି ।

ଟିକେ ଭଲକରି ଦେଖି ନିଅନ୍ତୁ ଏହି ଚେହେରା । ଭାରତର ଶତ୍ରୁ ନମ୍ବର ୱାନ୍ ହାଫିଜ ସଇଦର ଚେହେରା ପ୍ରତ୍ୟେକ ଭାରତୀୟଙ୍କ ଚିର ପରିଚିତ । ପାକିସ୍ତାନରରେ ରହି ଭାରତରେ ଏକାଧିକ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଏହି ସଇତାନ ପାଇଁ ପାକିସ୍ତାନ ସରକାର, ସେନା ଓ ସେଠାକାର ଗୁଇନ୍ଦା ସଂସ୍ଥା ଆଇଏସଆଇର ଦରଦ ଅନେକ ।

ହାଫିଜ ମହମ୍ମଦ ସୟିଦ । ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ । ଇଂଟରପୋଲ ଜାରି କରିଛି ରେଡ୍ କର୍ଣ୍ଣର ନୋଟିସ୍ । ଜାତିସଂଘ ମଧ୍ୟ ବିଶ୍ୱ ଆତଙ୍କବାଦୀ ଘୋଷଣା କରିିଛି । ହେଲେ ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସୟିଦ ପାଇଁ ଦରଦ ଦେଖାଇଛି ପାକିସ୍ତାନ । ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ହାଫିଜ ପାଇଁ ଲେଖିଛି ଚିଠି । ହାଫିଜ ସୟିଦକୁ ତା ପରିବାରର ଭରଣ ପୋଷଣ ବାବଦରେ ଟଙ୍କା ଦାବି କରି ଜାତିସଂଘ ସୁରକ୍ଷା ପରିଷଦକୁ ଚିଠି ଲେଖିଛି ଇସଲାମାବାଦ ।

ଚିଠିରେ ଉଲ୍ଲେଖ ରହିଛି, ‘ପରିବାରର ୪ ଜଣ ସଦସ୍ୟଙ୍କ ଗୁଜୁରାଣ ମେଂଟାଇବା ହାଫିଜ ସୟିଦର ଦାୟିତ୍ୱ । ତେଣୁ ତାକୁ ମାସିକ ଖର୍ଚ୍ଚ ବହନ କରିବା ପାଇଁ ଆତଙ୍କୀ ସଂଗଠନ ଜମାତ-ଉତ-ଦାୱା ମୁଖ୍ୟ ହାଫିଜ ସୟିଦକୁ ଟଙ୍କା କାଢିବାକୁ ଅନୁମତି ଦିଆଯାଉ ।’ ପାକିସ୍ତାନୀ ମୂଲ୍ୟରେ ମାସକୁ ଦେଢ ଲକ୍ଷ ଟଙ୍କା ହାଫିଜକୁ ଦେବା ପାଇଁ ଦାବି କରିଛନ୍ତି ଇମ୍ରାନ ସରକାର । ପରିବାରର ଗୁଜୁରାଣ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଯୋଗାଇ ଦେବାକୁ ପାକିସ୍ତାନ ନାଗରିକ ହାଫିଜ ସୟିଦ ପାକ୍ ସରକାରଙ୍କୁ ଅନୁରୋଧ କରିଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

ସବୁଠାରୁ ବଡକଥା ହେଉଛି ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ଏହି ଦାବିକୁ ନେଇ କୌଣସି ଆପତି କରାଯାଇନଥିବାରୁ ଆବେଦନକୁ ସ୍ୱୀକୃତି ବି ମିଳିଛି । ଫଳରେ ଏଣିକି ହାଫିଜ ସୟିଦକୁ ପରିବାରର ଗୁଜୁରାଣ ମେଂଟାଇବା ପାଇଁ ମାସିକ ଦେଢ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇବା ପାଇଁ ଅନୁମତି ମିଳିଛି ।

ହାଫିଜ ସୟିଦକୁ ତାର ବ୍ୟାଙ୍କ ଜମା ଖାତାରୁ ୧ ଲକ୍ଷ ଟଙ୍କା ଓ ପାକିସ୍ତାନ ସରକାରଙ୍କ ପକ୍ଷରୁ ପେନସନ ବାବଦରେ ୫୦ ହଜାର ଅର୍ଥାତ ମୋଟ ୧ ଲକ୍ଷ ୫୦ ହଜାର ଟଙ୍କା କାଢିବା ପାଇଁ ଅନୁମତି ମିଳିଛି । ଲାହୋର ସ୍ଥିତ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟାକ୍ନୋଲୋଜିରେ ସହ-ଅଧ୍ୟାପକ ଭାବେ କାମ କରିଥିବାରୁ ୫୦ ହଜାର ଟଙ୍କା ପେନସନ୍ ବାବଦରେ ସରକାର ଦେଉଥିବା ପାକିସ୍ତାନ ତାର ଚିଠିରେ ଉଲ୍ଲେଖ କରିଛି ।

ମିଳିତ ଜାତିସଂଘ, ୟୁରୋପୀୟ ସଂଘ ଓ ଆମେରିକା ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହାଫିଜ ସୟିଦ, ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ । ୨୬/୧୧ ମୁମ୍ବାଇ ଆକ୍ରମଣ ଯେଉଁଥିରେ ୧୬୬ ଜଣ ପ୍ରାଣ ହରାଇଥିଲା ସେପରି ଆକ୍ରମଣ ପଛରେ ରହିଛି ହାଫିଜ ସୟିଦର ହାତ । ୨୦୦୧ ସଂସଦ ଆକ୍ରମଣ ପଛରେ ବି ରହିଥିଲା ହାଫିଜର ମାଷ୍ଟର ମାଇଣ୍ଡ ।

ଗୋଟିଏ ପଟେ ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରିବା ପାଇଁ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା କହୁଛି । ଗତ ମେ’ ମାସରେ ପାକିସ୍ତାନ ସରକାର, ହାଫିଜ ସୟିଦ ଓ ଜମାତ-ଉତ-ଦାୱାର କମାଣ୍ଡରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏବଂ ଲୋକଦେଖାଣିଆ ଭାବେ ଜୁଲାଇ ମାସରେ ତାକୁ ଗିରଫ କରିଥିବା ଦାବି କରିଥିଲା । ହେଲେ ଏବେ ହାଫିଜକୁ ଟଙ୍କା କାଢିବାର ଅନୁମତି ପାଇଁ ଆବେଦନ କରି ତାର ଅସଲ ଚେହେରା ଦେଖାଇଛି ପାକିସ୍ତାନ । ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସଂଗଠନ ଏଫଏଟିଏଫ ଦ୍ୱାରା କଳା ତାଲିକାଭୁକ୍ତ ହେବା ଜାଣି ସୁଦ୍ଧା ପାକିସ୍ତାନର ଏଭଳି ଉଦ୍ୟମ ପଛରେ ଏକ ବଡ ଷଡଯନ୍ତ୍ର ନେଇ ଆଶଙ୍କା ରହିଛି । କାଶ୍ମୀର ପ୍ରସଙ୍ଗରେ ବିଭିନ୍ନ ଆଡୁ ନିରାଶ ହେବା ପରେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ହାଫିଜକୁ ସମସ୍ତ ସହୟତା ଯୋଗାଇ ଦେଉଥିବା ଅନୁମାନ କରାଯାଇଛି ।