କନକ ବ୍ୟୁରୋ : ପାକିସ୍ତାନରେ ଗୋଟିଏ ପଟେ ରାଜନୈତିକ ସଂକଟ ଲାଗି ରହିଥିବା ବେଳେ ଅନ୍ୟପଟେ ଏବେ କାଙ୍ଗାଳ ପରିସ୍ଥିତିରେ ପହଂଚିଛି ପାକିସ୍ତାନ । ପରିସ୍ଥିତି ଏଭଳି ହୋଇଛି କି, ଏବେ ଲୋକଙ୍କ ପାଖରେ ଖାଇବାକୁ ଅଟା ମିଳୁନାହିଁ, ଫଳରେ ବିଭିନ୍ନ ସରକାରୀ ଗୋଦାମ ଓ ବେସରକାରୀ ମହଜୁଦକାରୀଙ୍କ ଗୋଦାମରୁ ଲୋକମାନେ ଅଟା ଚୋରାଇ ନେଉଛନ୍ତି । ଏବେ କିଛି ସ୍ଥାନରୁ ଖବର ଆସିଛି କି ଅଟା ଚୋରି ରୋକିବାକୁ ସରକାର ବିଭିନ୍ନ ସ୍ଥାନରେ ଧାରା ୧୪୪ ଲଗାଇଛନ୍ତି ।

Advertisment

ପାକିସ୍ତାନୀ ଗଣମାଧ୍ୟମ ମୁତାବକ ବେଲୁଚିସ୍ତାନରେ ବିଶେଷ ଭାବେ ଗହମ ଉତ୍ପାଦନ କରାଯାଇଥାଏ । ପାକିସ୍ତାନରେ ଖାଦ୍ୟ ସଂକଟ ଦେଖା ଦେଇଥିବାରୁ ବେଲୁଚିସ୍ତାନରେ ଅଟାପାଇଁ ଲୋକ ଗଣ୍ଡଗୋଳ କରୁଛନ୍ତି ଓ ଅଟା ବା ଗହମ ମହଜୁଦ ଥିବା ସ୍ଥାନରୁ ଚୋରୀ କରିନେଉଛନ୍ତି । ଏସବୁକୁ ନଜରରେ ରଖି ବେଲୁଚିସ୍ତାନ ସରକାର ରାଜ୍ୟରେ ଧାରା ୧୪୪ ଲାଗୁ କରିଛନ୍ତି । ବେଲୁଚିସ୍ତାନ ସରକାର କହିଛନ୍ତି କି ଆଗାମୀ ଋତୁରେ ଗହମ ଉତ୍ପାଦନ ହେବା ପର୍ଯ୍ୟନ୍ତ ଯେଭଳି ରାଜ୍ୟରେ ଅଟାର ଅଭାବ ଦେଖା ନଦିଏ ତାହାକୁ ନଜରରେ ରଖି ଅଟା ଚୋରି ରୋକିବାକୁ ରାଜ୍ୟରେ ୧୪୪ ଧାରା ଲାଗୁ କରାଯାଇଛି ।

ଅନ୍ୟପଟେ ପାକିସ୍ତାନର ସ୍ଥିତି ଏତେ ଖରାପ ହୋଇଯାଇଛି କି, ଏଠାରେ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ ବେଲୁଚିସ୍ତାନରେ ଅଟାର ଦାମ ୧୩୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ କିଲୋପ୍ରତି ବିକ୍ରି ହେଉଛି । ସେହିଭଳି ଚିନିର ଦାମ ମଧ୍ୟ ଆପଣଙ୍କୁ ଚକିତ କରିଦେବ । ଏବେ ପାକିସ୍ତାନରେ ଚିନି କିଲୋପ୍ରତି ମଧ୍ୟ ୧୩୦-୨୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି ।