ପାକିସ୍ତାନର ହିନ୍ଦୁ ପାଇଲଟ୍ । ମୁସଲିମ ଦେଶର ବାୟୁସେନାରେ ବଡ଼ ପୋଷ୍ଟ ପାଇଲେ ହିନ୍ଦୁ ଯୁବକ । ପଛୁଆ ଜିଲ୍ଲାର ଆଗୁଆ ପୁଅକୁ ପାକିସ୍ତାନରୁ ହିନ୍ଦୁସ୍ତାନ ଶୁଭେଚ୍ଛାର ସୁଅ ।

1,594

କନକ ବ୍ୟୁରୋ: ଏବେ ସୋସିଆଲ ମିଡ଼ିଆରେ କେବଳ ଗୋଟିଏ ନାଁ ଶୁଣିବାକୁ ମିଳୁଛି ତାହା ହେଲା ରାହୁଲ ଦେବ । କିନ୍ତୁ ଆମେ ବଲିଉଡ୍ ଷ୍ଟାର ରାହୁଲ ଦେବଙ୍କ କଥା କହୁନୁ ବରଂ ପାକିସ୍ତାନ ଆକାଶରେ ଇତିହାସ ସୃଷ୍ଟି କରିଥିବା ରାହୁଲ ଦେବକଙ୍କ ବିଷୟରେ କହୁଛୁ । ପାକ୍ ବାୟୁସେନାରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ପାଇଲଟ ଭାବେ ନିଯୁକ୍ତ ପାଇଛନ୍ତି । ଯାହାକୁ ନେଇ ଏବେ ପାକିସ୍ତାନରୁ ହିନ୍ଦୁସ୍ତାନ ସୋସିଆଲ ମିଡ଼ିଆରେ ସବୁଠି ଚର୍ଚ୍ଚା ।

ରାହୁଲ ଦେବ, ବୟସ ପାଖାପାଖି ୨୬ ବହୁ ସଂଖ୍ୟକ ହିନ୍ଦୁ ବସବାସ କରୁଥିବା ସିନ୍ଧ ପ୍ରଦେଶର ଥାରପରକର ଗାଁରେ ତାଙ୍କର ଜନ୍ମ । ଯେତେବେଳେ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ବଢିବାରେ ଲାଗୁଛି ସେତିକିବେଳେ ପାକ୍ ବାୟୁସେନାର ପ୍ରଥମ ହିନ୍ଦୁ ପାଇଲଟ୍ ମଙ୍ଗ ସମ୍ଭାଳିବେ ରାହୁଲ । ପାକ୍ ବାୟୁସେନାର ଜେନେରାଲ୍ ଡ୍ୟୁଟି ଅଫିସର ଭଳି ବଡ଼ ପଦବୀ ସମ୍ଭାଳିବେ ପଛୁଆ ଜିଲ୍ଲାର ପୁଅ । ଆଉ ଏହା ଦର୍ଶାଉଛି ଯେ, ତାଙ୍କ ସଂଘର୍ଷମୟ ଜୀବନ କେବେ ହେଲେ ସହଜମୟ ହୋଇନଥିବ ।

ରାହୁଲଙ୍କ ଜିଲ୍ଲା ଥାରପକର ସିନ୍ଧ ପ୍ରଦେଶର ପଛୁଆ ଜିଲ୍ଲାଭାବେ ପରିଗଣିତ ହୁଏ । ନା ମୌଳିକ ସୁବିଧା ନା ଶିକ୍ଷାର ବିଶେଷ କିଛି ଏଠାରେ ନଥାଏ । ଏପରିକି ଏହି ଜିଲ୍ଲାର ଆର୍ଥିକ ସ୍ଥିତିଠୁ ଆରମ୍ଭ କରି ଖାଦ୍ୟାଭାବ ଭଳି ସଙ୍କଟ ଲାଗି ରହିଛି । ହେଲେ ଠିକ୍ ସେତିକିବେଳେ ପାକିସ୍ତାନୀ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି ରାହୁଲ । ରିସାଲପୁରର ପାକ୍ ବାୟୁସେନା ଏକାଡେମୀରେ ଆୟୋଜିତ ଏକ ସମାରୋହରେ ରାହୁଲଙ୍କ ଜେନେରାଲ୍ ଡ୍ୟୁଟି ଅଫିସର ଭାବେ ଦାୟିତ୍ୱ ଦେଇଛନ୍ତି ପାକ୍ ବାୟୁସେନର ମୁଖ୍ୟ ମାର୍ଶଲ ମୁଜାହିଦ୍ ଅନୱର ଖାନ୍ ।

ଅନ୍ୟପଟେ ଇତିହାସ ରଚିଥିବା ରାହୁଲଙ୍କ ଏହି ସଫଳତା ଅନ୍ୟ ସଂଖ୍ୟାଲଘୁ ଲୋକଙ୍କ ପାଇଁ ଏବେ ପ୍ରେରଣା ଦେଇଛି । ତାଙ୍କ ସଫଳତା ନେଇ ସମସ୍ତ ପାକିସ୍ତାନୀ ହିନ୍ଦୁ ପଞ୍ଚାୟତ ସଚିବ ରବି ଦୱାନୀ କହିଛନ୍ତି କି, ସଂଖ୍ୟାଲଘୁ ସମାଜର ଅନେକ ସଦସ୍ୟ ସେନାର ଅନ୍ୟ ପଦବୀରେ ଅଛନ୍ତି କିନ୍ତୁ ସରକାର ଯଦି ଆମ ପ୍ରତି ଧ୍ୟାନ ଦିଅନ୍ତି ତେବେ ରାହୁଲଙ୍କ ଭଳି ଅନେକ ଦେଶସେବା କରିବାକୁ ଆଗେଇ ଆସିବେ ।