ସୀମାକୁ ନେଇ ମୁହାଁମୁହିଁ ପାକିସ୍ତାନ-ଆଫଗାନିସ୍ତାନ । ପାକିସ୍ତାନ ସେନାର ମୁଖପାତ୍ର କହିଲେ, ‘ଆମ ସୈନିକଙ୍କ ରକ୍ତ ବୋହିଛି, ଆମେ ଅଧାରେ ଅଟକିବୁନି’

235

କନକ ବ୍ୟୁରୋ: ପାକିସ୍ତାନ ଓ ତାଲିବାନ ଶାସିତ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଶେଷ ହେବ କଣ ବଂର ଦିନକୁ ଦିନ ଅଧିକ ବଢିବାରେ ଲାଗିଛି । ଗୋଟିଏ ପଟେ ପାକିସ୍ତାନ ସେନା ଆଫଗାନିସ୍ତାନ ସୀମାରେ ବାଡ ଲଗାଉଥିବାବେଳେ, ଅନ୍ୟପଟେ ତାଲିବାନ ସେନା ଏହି ବାଡକୁ ଉପାଡି ଫୋପାଡୁଥିବା ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ପାକିସ୍ତାନର ସେନାର ମୁଖପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।

ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଇଫତିଖାର ବୁଧବାର ରାୱଲପିଣ୍ଡିରେ ଏକ ପ୍ରେସମିଟ୍ ସମୟରେ କହିଛନ୍ତି, ଆଫଗାନିସ୍ତାନ ସୀମାରେ ତାର ବଡ ଲଗାଇବା ଯୋଜନା ଜାରି ରହିବ । ସୀମା ପାଇଁ ଆମ ଶହୀଦ ଯବାନଙ୍କ ରକ୍ତ ବୋହିଛି , ତେଣୁ ଏହି କାମ କେବେ ବି ରହିବ ନାହିଁ । ତେବେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଏହି ବାଡ ଏଥିପାଇଁ ଲଗାଯାଉଛି, ଯାହା ଫଳରେ ଲୋକମାନଙ୍କର ସୁରକ୍ଷା କରାଯାଇପାରିବ । ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଏହା ଲଗାଯାଉନି ବୋଲି ସେ ସଫେଇ ରଖିଛନ୍ତି ।

ମେଜର ଜେନେରାଲ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ପଶ୍ଚିମ ବର୍ଡରରେ ପାକିସ୍ତାନର ସୁରକ୍ଷାକୁ ନେଇ ସ୍ଥିତି ଗମ୍ଭୀର ଅଛି । ସୀମା ବିବାଦକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି । ହେଲେ ପାକିସ୍ତାନ ସେନା ସୀମାରେ ତାରବାଡ ଲଗାଇବା ବନ୍ଦ କରିବନି ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ତାରବାଡ ଲଗାଇବା କାମ ୯୪ ପ୍ରତିଶତ ପୂରା ହୋଇଗଲାଣି, ଖୁବଶୀଘ୍ର ଅନ୍ୟ ସମସ୍ତ କାମ ମଧ୍ୟ ପୂରଣ ହେବ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଏହି ଭିଡିଓରେ ତାଲିବାନୀ ସେନା ପାକିସ୍ତାନର ତାରବାଡ ଓପାଡି ପିଙ୍ଗୁଥିବା ଦେଖିବାକୁ ମିଳିଥିଲା । ତା ସହିତ ତାଲିବାନର ଜଣେ ଅଧିକାରୀ ପାକିସ୍ତାନ ସେନାକୁ ଚେତାବନୀ ମଧ୍ୟ ଦେଇଥିଲେ । ଆଉ ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ ପାକିସ୍ତାନର ଏହି କାମକୁ ବେନିୟମ କାମ ବୋଲି ମଧ୍ୟ କହିଥିଲା । ଏହାପରେ ସୋସିଆଲ୍ ମିଡିଆରେ ଏହି କଥାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ପାକିସ୍ତାନର ବିଦେଶ ମନ୍ତ୍ରୀ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିବା ସହ ସୀମାରେ ବାଡ ଲଗାଇବା କାମ ଜାରି ରହିବ ବୋଲି ସେ କହିଥିଲେ ।

ତେବେ ଜାଣିରଖିବା ଉଚିତ୍ ଯେ, ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ଦୀର୍ଘ ୨୬୪୦ କିଲୋମିଟରର ସୀମା ରେଖା ରହିଛି । ପାକିସ୍ତାନ ଏହି ସୀମାରେ ଏବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାଡ ଲଗାଇବାକୁ ଆରମ୍ଭ କରିଛି । ହେଲେ ଆଫଗାନିସ୍ତାନ ଏହାକୁ ବିରୋଧ କରୁଛି । ତାଲିବାନର କହିବା କଥା, ଯେପର୍ଯ୍ୟନ୍ତ ସୀମା ବିବାଦର ସମାଧାନ ହୋଇନି, ସେପର୍ଯ୍ୟନ୍ତ ସୀମାରେ ବାଡ ଲଗାଇବା ବେନିୟମ ଅଟେ ।