ଆତଙ୍କୀଙ୍କ ସୁରକ୍ଷା ପାଇଁ ଆଉ ପାଦେ ଆଗେଇଲା ପାକିସ୍ତାନ । ମୁମ୍ବାଇ ଆକ୍ରମଣ ମାମଲାର ୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ଲାହୋର ହାଇକୋର୍ଟ ।

93

କନକ ବ୍ୟୁରୋ : ଆତଙ୍କୀଙ୍କୁ ସୁରକ୍ଷା ଯୋଗାଇବାରେ ଆଉ ଏକ ପାଦ ଆଗେଇଛି ପାକିସ୍ତାନ । ମୁମ୍ବାଇ ଆକ୍ରମଣ ସହ ସମ୍ପୃକ୍ତ ୬ ଜଣଙ୍କୁ ଦୋଷ ମୁକ୍ତ କରିଛି ପାକିସ୍ତାନର ଲାହୋର ହାଇକୋର୍ଟ । ଏମାନେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସଇଦର ଆତଙ୍କୀ ସଂଗଠନ ‘ଜମାତ ଉଦ୍ ଦାୱା’ର ବରିଷ୍ଠ ସଦସ୍ୟ । ହାଫିଜ ସଇଦର ଏହି ସହଯୋଗୀମାନଙ୍କ ବିରୋଧରେ ଆତଙ୍କବାଦ ପାଇଁ ଆର୍ଥିକ ସହାୟତା ଯୋଗାଇଥିବା ଅଭିଯୋଗ ହୋଇଥିଲା । ତଳ କୋର୍ଟରେ ମଧ୍ୟ ଏମାନେ ଦୋଷୀ ସବ୍ୟସ୍ତ ହୋଇଥିଲେ ।

ଏମାନଙ୍କ ବିରୋଧରେ ହାଫିଜ ସଇଦର ମୂଳ ସଂଗଠନ ଲସ୍କର-ଇ-ତୋଇବା ଆତଙ୍କୀ ସଂଗଠନ ପାଇଁ ଅର୍ଥ ଯୋଗାଉଥିବା ଅଭିଯୋଗ ହୋଇଥିଲା । ଗତ ଏପ୍ରିଲ ମାସରେ ଲାହୋର ସ୍ଥିତ ଆଣ୍ଟି ଟେରରିଷ୍ଟ କୋର୍ଟ ଦୋଷୀ ସାବ୍ୟସ୍ତ କରି ୬ ଜଣ ଅଭିଯୁକ୍ତଙ୍କୁ ୯ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲା । ୨୦୦୮ ମୁମ୍ବାଇ ଆକ୍ରମଣରେ ଏମାନଙ୍କ ସମ୍ପୃକ୍ତି ଥିଲା । ମୁମ୍ବାଇ ଆକ୍ରମଣରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କ ଜୀବନ ଯାଇଥିଲା ।