କନକ ବ୍ୟୁରୋ : ପାକିସ୍ତାନରୁ ଆସିଲା ଚାଂଚଲ୍ୟକର ଖବର । ପାକିସ୍ତାନର ମୁଲତାନରେ ଥିବା ଏକ ହସ୍ପିଟାଲ ଛାତ ଉପରୁ ବିପୁଳ ସଂଖ୍ୟାରେ ମୃତଦେହ ଥିବା ଖବର ସାମ୍ନାକୁ ଆସିଛି । ଏହି ମାମଲାଟି ପଞ୍ଜାବ ନିଶତାର ହସ୍ପିଟାଲର, ଯେଉଁଠି ମୃତଦେହରୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଗାୟବ ଥିବା ଜଣାପଡ଼ିଛି । ଅଧିକାଂଶ ମୃତଦେହ ଖଣ୍ଡବିଖଣ୍ଡିତ ହୋଇଥିବା ବେଳେ କିଛି ଖୋଲା ମଧ୍ୟ ରହିଛି ।

Advertisment

ଶରୀରରୁ ହୃତପିଣ୍ଡ ଓ ଅନ୍ୟାନ୍ୟ ଅଙ୍ଗ କାଢ଼ିଦିଆଯାଇଥିବା ସନ୍ଦେହ କରାଯାଉଛି । ହସ୍ପିଟାଲ ଛାତରୁ ଉଦ୍ଧାର ହୋଇଥିବା ମୃତଦେହ ସଂଖ୍ୟା ପାଖାପାଖି ୫୦୦ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ମୃତଦେହଗୁଡ଼ିକ କାହାର ଏବଂ ଛାତ ଉପରେ ଏତେ ସଂଖ୍ୟକ ମୃତଦେହ କେଉଁଠୁ ଆସିଲା, ତାହା ସ୍ପଷ୍ଟ ହୋଇନାହିଁ । ଡାକ୍ତରୀ ପରୀକ୍ଷା ପାଇଁ ମୃତଦେହ ଗୁଡ଼ିକ ଖଣ୍ଡବିଖଣ୍ଡିଜ କରାଯାଇଥିବା ସନ୍ଦେହ କରାଯାଉଛି । ହସ୍ପିଟାଲ ଛାତରୁ ମିଳିଥିବା ମୃତଦେହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓକୁ ପରବର୍ତ୍ତୀ ସମୟରେ ଡିଲିଜ୍ କରିଦିଆଯାଇଛି । ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଚୌଧୁରୀ ଜମାଲ ଗୁର୍ଜର ହସ୍ପିଟାଲ ଯାଇ ସ୍ଥିତି ପରଖିଛନ୍ତି । ଘଟଣାର ତଦନ୍ତ କରି ସମସ୍ତ ମୃତଦେହ ବ୍ୟବଚ୍ଛେଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ୍ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।