ସୁରକ୍ଷା କାରଣ ଦର୍ଶାଇ ପଳାଇ ଆସିଲା ନ୍ୟୁଜିଲାଣ୍ଡ, ପାକିସ୍ତାନରେ ଝଡ଼

 ପିସିବି ଅଧ୍ୟକ୍ଷ ରମିଜ ରାଜା କହିଲେ ଆଇସିସି କୋର୍ଟକୁ ଟାଣିବେ ମାମଲା, କ୍ଷୋଭ ପ୍ରକାଶ କଲେ ପୂର୍ବତନ ପାକ୍ କ୍ରିକେଟର

323

କନକ ବ୍ୟୁରୋ : ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବାତିଲ କରିଛି । ଶେଷ ମୁହୂର୍ତରେ ଓହରିଗଲା ନ୍ୟୁଜିଲାଣ୍ଡ । ଏହାପରେ ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପିସିବିର ନୂଆ ଅଧ୍ୟକ୍ଷ ରମିଜ ରାଜା ନ୍ୟୁଜିଲାଣ୍ଡ କ୍ରିକେଟ ଉପରେ ବର୍ଷିଛନ୍ତି । ଆଗାମୀ ଦିନରେ ଆଇସିସି କୋର୍ଟକୁ ନ୍ୟୁଜିଲାଣ୍ଡକୁ ଟାଣିବ ବୋଲି ଚେତାବନୀ ଦେଇଛନ୍ତି । ପିସିବିର ନୂଆ ଚେୟାରମ୍ୟାନ ରମିଜ ରାଜା କହିଛନ୍ତି କ୍ରିକେଟ ମ୍ୟାଚ ନଖେଳିବା ନ୍ୟୁଜିଲ୍ୟାଣ୍ଡ ଟିମର ଏକପାଖିଆ ନିଷ୍ପତ୍ତି ।

ଏହା ପାକିସ୍ତାନ କ୍ରିକେଟର ଏବଂ ପାକିସ୍ତାନ କ୍ରିକେଟ ପ୍ରେମୀଙ୍କୁ ହତାଶ କରିଛି ବୋଲି ରମିଜ ରାଜା କହିଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଡାଭିଡ କହିଛନ୍ତି, ନିଶ୍ଚିତ ଭାବରେ ତାଙ୍କ କ୍ରିକେଟ ଟିମର ନିଷ୍ପତ୍ତି ପାକିସ୍ତାନକୁ ନିରାଶ କରିଛି । ହେଲେ ତାଙ୍କ ଦଳର କ୍ରିକେଟରଙ୍କ ସୁରକ୍ଷାକୁ ସେମାନେ ପ୍ରାଥମିକତା ଦେବାକୁ ଯାଇ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି । ସେହିପରି ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ଆରମ୍ଭର ମାତ୍ର କିଛି ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡ୍‌ ଦଳ ଏହାକୁ ବାତିଲ କରିବାରୁ ଉତ୍‌କ୍ଷିପ୍ତ ହୋଇଉଠିଛନ୍ତି ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ୍ ଅଖତର ।

ଏହାଦ୍ବାରା ‘ପାକିସ୍ତାନ କ୍ରିକେଟ୍‌କୁ ନ୍ୟୁଜିଲାଣ୍ଡ୍‌ ହତ୍ୟା କରିଦେଲା’ ବୋଲି ଅଖତର ନିଜ ଟ୍ବିଟର୍ ହ୍ୟାଣ୍ଡଲରେ ଲେଖିଛନ୍ତି । ଅତୀତରେ ନ୍ୟୁଜିଲାଣ୍ଡ୍‌ର ଏକ ଚର୍ଚ୍ଚ ଆକ୍ରମଣରେ ୯ ଜଣ ପାକିସ୍ତାନୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ୍ ଗସ୍ତ କରିଥିବା କଥାକୁ ଅଖତର ମନେ ପକାଇ ଦେଇଥିଲେ । ଏବର ଧମକ କିନ୍ତୁ ତଦନ୍ତ ସାପେକ୍ଷ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଥା’ନ୍ତା । ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଦେର୍ଣ୍ଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖାନ କରିଦିଆଗଲା ବୋଲି ଅଖତର ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ୩ ମ୍ୟାଚ୍‌ ‌ଦିନିକିଆ ଏବଂ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ନ୍ୟୁଜିଲାଣ୍ଡ୍‌ ଦଳ ସେପ୍ଟେମ୍ବର ୧୧ ତାରିଖରେ ପାକିସ୍ତାନ ପହଞ୍ଚିଥିଲା । ୨୦୦୩ ମସିହା ପରେ ପ୍ରଥମ ଥର ବ୍ଲାକ୍‌କ୍ୟାପ୍‌ ଦଳ ଏହି ଉଗ୍ରବାଦୀ ପ୍ରୋତ୍ସାହକ ରାଷ୍ଟ୍ରକୁ ଆସିଥିଲା । ୨୦୦୨ରେ କରାଚୀ ‌ହୋଟେଲ୍‌ରେ ବି‌‌ସ୍ଫୋରଣ ପରେ ୨୦୦୩ରେ ଅଧା ଶୃଙ୍ଖଳାକୁ ଖେଳିବାକୁ ଆସିଥିଲା । ଏହା ପରଠାରୁ କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୁନିଶ୍ଚିତ ହୋଇପାରୁନଥିବାରୁ ପାକିସ୍ତାନ ଗସ୍ତ କରୁନଥିଲା ନ୍ୟୁଜିଲାଣ୍ଡ୍‌ । ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ର ନିଷ୍ପତ୍ତିକୁ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ ଅତ୍ୟନ୍ତ ବାଜେ ଓ ଦୁର୍ଭାଗ୍ୟଜନକ ଦର୍ଶାଇଛନ୍ତି ।