କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଏସିଆ କପ ଲଢେଇ । ଉଦ୍ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ । ୨ ତାରିଖରେ ପରମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଏସିଆ କପ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି କେଏଲ ରାହୁଲ । ଭାରତ ଏସିଆ କପରେ ୭ଥର ଜିତି ସାରିଥିବା ବେଳେ ୮ମ ଥର କପ ହାତେଇବାକୁ ଚେଷ୍ଟା କରିବ । ୬ଥର ଶ୍ରୀଲଙ୍କା ଓ ୨ଥର ପାକିସ୍ତାନ ଚାମ୍ପିୟନ ହୋଇଛି । ଚଳିତ ଏସିଆ କପରେ ମୋଟ ୧୩ଟି ମ୍ୟାଚ ଖେଳାଯିବ । ଗ୍ରୁପ ଏରେ ରହିଛନ୍ତି ଭାରତ, ପାକିସ୍ତାନ, ନେପାଳ ଓ ବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ । ଟୁର୍ଣ୍ଣାମେଂଟ ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ।

Advertisment

କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ମ୍ୟାଚ୍‌ ବେଳକୁ ‌କିପରି ସ୍ଥିତି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିବ । ମଧ୍ୟକ୍ରମରେ ଏହି ଦୁଇଜଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏସିଆ କପ୍‌ରେ ଦୁହିଁଙ୍କୁ ଦଳ ଅତି ନିକଟରୁ ପରଖିବ । ତଥାପି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶ୍ରେୟାସ ଖେଳିବା ସମ୍ଭାବନା ରହିଛି । ଅଭ୍ୟାସ ଶିବିରରେ ଅଧିକ ସମୟ ପର୍ଯ୍ୟନ୍ତ ସେ ଅଭ୍ୟାସ କରି ନିଜ ପ୍ରତ୍ୟାବର୍ତ୍ତନର ପ୍ରମାଣ ଦେଇ ଆସୁଛନ୍ତି । କେବଳ ମ୍ୟାଚ୍‌କୁ ଅପେକ୍ଷା କରିବାକୁ ହେବ । ସେହିପରି ଯଶପ୍ରୀତ୍‌ ବୁମ୍‌ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ଉପରେ ମଧ୍ୟ ଦଳ ଧ୍ୟାନ ଦେବ। ଯଦିଓ ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳା ବେଳେ ଏମାନେ ମ୍ୟାଚ୍‌ ଅଭ୍ୟାସ ପାଇଥିଲେ, କିନ୍ତୁ ୫୦ ଓଭର ପାଇଁ କେତେ ଫିଟ୍‌ ହୋଇଛନ୍ତି ତାହା ଏସିଆ କପ୍‌ରେ ଜଣାପଡ଼ିବ । କାରଣ ଏଠାରେ ୫୦ ଓଭର କ୍ଷେତ୍ରରକ୍ଷଣ କରିବା ସହିତ ସେମାନଙ୍କୁ ୧୦ ଓଭର ‌ବୋଲିଂ କରିବାକୁ ହେବ ।

ଅଂଶଗ୍ରହଣକାରୀ ଦଳଗୁଡ଼ିକ ମଧ୍ୟରେ ପାକିସ୍ତାନ ଦୃଢ଼ ଦଳ ଭାବେ ଖେଳିବାକୁ ଯାଉଛି । ବାବର ଆଜମ୍‌ଙ୍କ ନେତୃତ୍ବରେ ଦଳ ଆଇସିସି ଦିନିକିଆ ମାନ୍ୟତାରେ ୧ ନମ୍ବର ସ୍ଥାନ ଦଖଲ କରିଛି । ଆଫଗାନିସ୍ତାନ ବିପକ୍ଷରେ ଶୃଙ୍ଖଳା ମୂଳପୋଛ କରିଥିବାରୁ ପାକିସ୍ତାନ ମନୋବଳ ଉଚ୍ଚ ରହିବ । ତଥାପି ଭାରତ ବିପକ୍ଷ ମ୍ୟାଚ୍‌ ଉପରେ ସାରା ବିଶ୍ବ ନଜର ରଖିଛି ।