ପାକିସ୍ତାନର ନୂଆ ଚାଲ୍ ! କୁଳଭୂଷଣ ଯାଦବଙ୍କ ଆଉ ଏକ ଭିଡିଓ ଜାରି କଲା ଇସଲାମାବାଦ

20

କନକ ବ୍ୟୁରୋ : ଆଉ ଏକ ଚାଲ୍ ଖେଳିବା ଆରମ୍ଭ କରିଛି ପାକିସ୍ତାନ । ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ଆଉ ଏକ ଭିଡିଓ  ଜାରି କରିଛି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ  ।  ପାକିସ୍ତାନରେ ତାଙ୍କର କୌଣସି ଅସୁବିଧା ହୋଇ ନାହିଁ ବୋଲି ଏହି ଭିଡିଓରେ କୁଳଭୂଷଣ କହିଛନ୍ତି । ଏହା ସହିତ ସେ କହିଛନ୍ତି ତାଙ୍କୁ ଭେଟିବା ଦିନ ମା’ ତାଙ୍କୁ ଦେଖି ବେଶ୍  ଖୁସି ହୋଇଥିଲେ । ସେଥିପାଇଁ ସେ ପାକିସ୍ତାନ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି  ।

ଅନ୍ୟପଟେ ଭାରତୀୟ ଉଚ୍ଚାୟୁକ୍ତ ଜେ.ପି, ସିଂହଙ୍କୁ ଦୋଷ ଦେଇଛନ୍ତି କୁଳଭୂଷଣ । ସେ କହିଛନ୍ତି ତାଙ୍କ ମା ଓ ପତ୍ନୀଙ୍କ ସହ ଆସିଥିବା ଭାରତୀୟ ଅଧିକାରୀ  ବାରମ୍ବାର ତାଗିଦ୍ କରୁଥିଲେ । ଯେଉଁଥି ପାଇଁ ତାଙ୍କ ମା ଭୟଭୀତ ଥିବା ପରି ଲାଗୁଥିଲେ । ତେବେ ଭେଟ ହେବାର ଗୋଟିଏ ସପ୍ତାହ ପରେ ଏହି ଭିଡିଓ ଜାରି କରିବା ପଛରେ ପାକିସ୍ତାନର କଣ ଉଦେଶ୍ୟ ରହିଛି ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । କେବଳ ପ୍ରଚାର କରିବା ଉଦେଶ୍ୟରେ ପାକିସ୍ତାନ ଏଭଳି କରିଛି ବୋଲି ଅନୁମାନ କରାଯାଉଛି ।

ଡିସେମ୍ବର ୨୫ ତାରିଖରେ ଇସଲାମାବାଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ଏକ କାଚ କାନ୍ଥର ଆରପଟେ କୁୁଳଭୂଷଣଙ୍କୁ ତାଙ୍କ ମା ଓ ପତ୍ନୀ ଭେଟିଥିଲେ । ତେବେ ଭେଟିବା ପୂର୍ବରୁ କୁଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ସହ ପାକିସ୍ତାନ କରିଥିବା ବ୍ୟବହାର ନେଇ ଭାରତ ପକ୍ଷରୁ ପାକିସ୍ତାନ ସରକାରଙ୍କୁ  ତୀବ୍ର ସମାଲୋଚନା କରାଯାଇଥିଲା ।