ପାକିସ୍ତାନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ପଡୋଶୀ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆତଙ୍କବାଦୀ ଆକ୍ରମଣରେ ୬୦%ଏବଂ ଆତ୍ମଘାତୀ ବିସ୍ଫୋରଣରେ ୫୦୦% ବୃଦ୍ଧି ଘଟିଛି । କେବଳ ଏତିକି ନୁହେଁ, ଆତଙ୍କବାଦ ପାଇଁ ଭୂମି ବ୍ୟବହାର ବନ୍ଦ କରିବାରେ କାବୁଲଙ୍କ ବିଫଳତାକୁ ନେଇ କାକର ଦୁଃଖ ପ୍ରକାଶ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
୧୫ ଅଗଷ୍ଟ ୨୦୨୧ … ଯେଉଁ ଦିନ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କଲା । ସେହି ସମୟରେ ତାଲିବାନର କାବୁଲ କବଜାକୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ପ୍ରଥମେ ସ୍ୱାଗତ କରିଥିଲା । ତତ୍କାଳୀନ ଇମ୍ରାନ ସରକାର ତାଲିବାନ ସୈନ୍ୟମାନଙ୍କୁ ପାକିସ୍ତାନର ବନ୍ଧୁ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସେହି ପାକିସ୍ତାନ ନିଜର ସେହି ବନ୍ଧୁକୁ ପରମ ଶତ୍ରୁ ବୋଲି କହିବାକୁ ପଛାଉନି ।
ପାକିସ୍ତାନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ ୬୦%ଏବଂ ଆତ୍ମଘାତୀ ବିସ୍ଫୋରଣରେ ୫୦୦% ବୃଦ୍ଧି ଘଟିଛି । କେବଳ ଏତିକି ନୁହେଁ, ଆତଙ୍କବାଦ ପାଇଁ ନିଜର ଭୂମି ବ୍ୟବହାର ବନ୍ଦ କରିବାରେ କାବୁଲଙ୍କ ବିଫଳତାକୁ ନେଇ କାକର ଦୁଃଖ ପ୍ରକାଶ କରିଛନ୍ତି । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କାକର ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ ଆଫଗାନିସ୍ତାନ ଛାଡିବା ପରେ ଆତଙ୍କବାଦୀମାନେ ସେମାନଙ୍କ ଅସ୍ତ୍ର ବର୍ତ୍ତମାନ ବ୍ୟବହାର କରୁଛନ୍ତି।
ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ଅଗଷ୍ଟ ୨୦୨୧ ରେ ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାର ଗଠନ ପରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଆମର ସମ୍ପୂର୍ଣ୍ଣ ଆଶା ଥିଲା କିନ୍ତୁ ଫଳ ଆଶାନୁରୂପ ନହେଇ ବିପରୀତ ହେଲା । ପାକିସ୍ତାନ ବିରୋଧୀ ସଂଗଠନ ବିଶେଷ କରି ତେହେରିକ-ଇ-ତାଲିବାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାକର କହିଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନ ମାଟିରୁ ଟିଟିପି ଆତଙ୍କବାଦୀ ଆକ୍ରମଣ ହେତୁ ଦୁଇ ବର୍ଷ ମଧ୍ୟରେ ୨୨୬୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ୧୫ ଆଫଗାନିସ୍ତାନ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ଆତଙ୍କବାଦ ବିରୋଧୀ ଅପରେସନ ସମୟରେ ପାକିସ୍ତାନୀ ଏଜେନ୍ସି ସହ ୬୪ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି ।
କାକର କହିଛନ୍ତି, ଆମେ ଆକ୍ରମଣର ପ୍ରମାଣ ଆଫଗାନିସ୍ତାନ ସରକାରଙ୍କୁ ଦେଇଛୁ। ତାଲିବାନର ଆଶ୍ୱାସନା ସତ୍ତ୍ୱେ ଟିଟିପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । କାକରଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଥିଲା ଯେତେବେଳେ ଗତ ସପ୍ତାହରେ ପଞ୍ଜାବର ମିଆନୱାଲି ଟ୍ରେନିଂ ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯାହା ପାଇଁ ତେହେରିକ-ଇ-ଜିହାଦ, ପାକିସ୍ତାନ ନିଜକୁ ଦାୟୀ କରିଥିଲା ।