ସାମିଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନ କ୍ରିକେଟର । ରିଜୱାନ କହିଲେ, ସାମି ହେଉଛନ୍ତି ଶ୍ରେଷ୍ଠ ବୋଲର, ସମସ୍ତେ ସମ୍ମାନ ଦିଅନ୍ତୁ  ।

217

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଭାରତୀୟ କ୍ରିକେଟପ୍ରେମୀ । ସୋସିଆଲ ମିଡ଼ିଆରେ ଟିମ୍ ଇଣ୍ଡିଆକୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି ୟୁଜର୍ସ । ଖାସକରି ମହମ୍ମଦ ସାମିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି ୟୁଜର୍ସ । ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିନଥିବାରୁ ସାମିଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । କିନ୍ତୁ ଅନ୍ୟପଟେ ସାମିଙ୍କ ସମର୍ଥନରେ ବାହାରିଛନ୍ତି ଉଭୟ ଭାରତ ଓ ପାକିସ୍ତାନର କ୍ରିକେଟର । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗଙ୍କ ଭଳି ଖେଳାଳୀ ସାମିଙ୍କ ସମର୍ଥନରେ ବାହାରିଥିବା ବେଳେ ପାକିସ୍ତାନ ବିଜୟ ପଛର ନାୟକ ସାଜିଥିବା ମହମ୍ମଦ ରିଜୱାନ ମଧ୍ୟ ଏବେ ଟ୍ୱିଟ୍ କରି ସାମିଙ୍କୁ ସମର୍ଥନ କରିଛନ୍ତି ।

ମଙ୍ଗଳବାର ପାକିସ୍ତାନ ୱିକେଟ କିପର ମହମ୍ମଦ ରିଜୱାନ ଏକ ଟ୍ୱିଟ୍ କରି ସାମିଙ୍କ ସମର୍ଥନରେ ବାହାରିଛନ୍ତି । ରିଜୱାନ ଟ୍ୱିଟ୍ କରି କହିଛନ୍ତି, ଜଣେ ଖେଳାଳୀ ପଡିଆ ଭିତରେ ଯେଉଁଭଳି ଚାପ, ସଂଘର୍ଷ ଓ ତ୍ୟାଗ  ନିଜ ଦେଶ ଓ ଦେଶର ଲୋକଙ୍କ ପାଇଁ କରିଥାଏ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ । ମହମ୍ମଦ ସାମି ଜଣେ ଷ୍ଟାର ତଥା ବିଶ୍ୱର ସର୍ବୋତ୍ତମ ବୋଲର । ଦୟାକରି ଏହି ଖେଳାଳୀଙ୍କୁ ସମ୍ମାନ ଦିଅନ୍ତୁ । ଏହି ଖେଳ ଲୋକଙ୍କୁ ଏକାଠି କରିଥାଏ, ପରସ୍ପର ମଧ୍ୟରେ ବିଭେଦ ସୃଷ୍ଟି କରିନଥାଏ ।

କେବଳ ରିଜୱାନ ନୁହଁନ୍ତି ବରଂ ପାକିସ୍ତାନର ଶ୍ରେଷ୍ଠ କ୍ରିକେଟର ୱାସିମ ଆକ୍ରମ, ୱାକର ୟୁନୁସ, ୱାହବ ରିଆଜ, ଓ ମିସବା ଉଲ ହକଙ୍କ ଭଳି କ୍ରିକେଟର ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ୱାସିମ ଆକ୍ରମ କହିଛନ୍ତି, ମୁଁ ସାମିଙ୍କୁ ପ୍ରଥମଥର ଭେଟିଥିଲି ଯେତେବେଳେ ସେ ଯୁବକ ଥିଲେ । ବୋଲିଂ କଳା ଶିଖିବା ପାଇଁ ସାମିଙ୍କ ଭିତରେ ଉତ୍ସାହ ଭରି ରହିଥିଲା । ସାମିଙ୍କୁ ନେଇ ଯେଉଁଭଳି ଟ୍ରୋଲ କରାଯାଉଛି ତାହା ଆଦୌ ଗ୍ରହଣୀୟ ନୁହେଁ । ଭାରତ କିମ୍ବା ପାକିସ୍ତାନ ଯେକୌଣସି ଦେଶର ଖେଳାଳୀ ହୁଅନ୍ତୁ ପଛେ ଏଭଳି ହେବା ଠିକ୍ ନୁହେଁ । ମ୍ୟାଚକୁ ମ୍ୟାଚ୍ ଭଳି ଗ୍ରହଣ କରିବା ଆବଶ୍ୟକ । ଅଷ୍ଟ୍ରେଲିଆ, ଇଂଲଣ୍ଡର ଖେଳାଳୀଙ୍କ ଠାରୁ ଅନେକ କିଛି ଶିଖିବାର ଆବଶ୍ୟକତା ରହିଛି । ସେମାନେ ହାରିବାର ଗୋଟିଏ ଦିନ ପରେ ମ୍ୟାଚ୍ କଥା ଭୁଲି ଯାଆନ୍ତି । କିନ୍ତୁ ଭାରତ-ପାକିସ୍ତାନରେ ୧୫ ବର୍ଷ ଧରି ମ୍ୟାଚ ପରାଜୟକୁ ସହଜରେ ଭୁଲନ୍ତି ନାହିଁ । ସେହିଭଳି ମିସବା ଓ ୱାହବ ମଧ୍ୟ ସାମିଙ୍କ ସମର୍ଥନରେ ବାହାରିଛନ୍ତି । ମିସବା କହିଛନ୍ତି, ସବୁ କ୍ରିକେଟପ୍ରେମୀ ନୁହେଁ କିଛି ଲୋକ ଏମିତି କରନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । ଏଭଳି ହେବା ଆଦୌ ଠିକ୍ ନୁହେଁ ।

ଅନ୍ୟପଟେ ସୋସିଆଲ ମିଡ଼ିଆରେ କୋଟି କୋଟି ୟୁଜର୍ସ ସାମିଙ୍କ ସମର୍ଥନରେ ବାହାରିଛନ୍ତି । କିଛଇ ୟୁଜର୍ସ କହିଛନ୍ତି ଇଏ ସେହି ସାମି  ଯିଏ, ୨୦୧୫ ବିଶ୍ୱକପରେ ପାକିସ୍ଥାନ ବିପକ୍ଷରେ ବିଜୟର ନାୟକ ସାଜିଥିଲେ । ୨୦୧୭ ଚାମ୍ପିୟନ୍ସ ଟ୍ରଫି ପାଇନାଲ ମ୍ୟାଚରେ ପାକିସ୍ଥାନ ବିପକ୍ଷରେ ଭାରତ ହାରିଥିବା ବେଳେ ପାକିସ୍ତାନୀ ପ୍ରଶଂସକଙ୍କ ଭାରତ ବିରୋଧୀ କମେଣ୍ଟ ପାଇଁ ନିଜେ ପାକ୍ ଫ୍ୟାନ୍ସଙ୍କ ସହ କଥା କଟାକଟି କରିଥିଲେ  । ଏପରିକି ୨୦୧୬ରେ ନିଜର କୁନି ଝିଅ ଆଇସିୟୁରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ପଡିଆକୁ ଓହ୍ଲାଇବା ସହ ଘାତକ ବୋଲିଂ କରିଥିଲେ । ଆଉ ସାମିଙ୍କ ଏହି ଘାତକ ବୋଲିଂ ଫଳରେ ଭାରତ ଏହି ଟେଷ୍ଟରେ ବିଜୟୀ ହେବା ସହ ଟେଷ୍ଟରେ ନମ୍ବର ୱାନ ଦଳ ଭାବେ ଉଭା ହୋଇଥିଲା ।