କନକ ବ୍ୟୁରୋ : ବଦଳୁଛି ପାକିସ୍ତାନର ସ୍ୱର। ସବୁବେଳେ ଭାରତ ଉପରକୁ ଆକ୍ରମଣର ଯୋଜନାରେ ଥିବା ପାକିସ୍ତାନ ଏବେ ନିଜର ଚାଲି ବଦଳାଇଛି। ହିଂସା ପଥ ଛାଡ଼ି ଅହିଂସା ପଥ ଆପଣାଉଛି ପାକିସ୍ତାନ। ଏହା ପାକିସ୍ତାନର ସେନାମୁଖ୍ୟ ଜାଭେଦ ବାଜୱାଙ୍କ କଥାରୁ ସ୍ପଷ୍ଟ ବାରିହୋଇପଡ଼ୁଛି। ସବୁବେଳେ ଭାରତକୁ ଟାର୍ଗେଟ କରିବା, ଆକ୍ରମଣ କରିବା ଏବଂ ହରାଇବାର କଥା କହୁଥିବା ବାଜୱା ଏବେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଛନ୍ତି। ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ ବାଜୱା ମଙ୍ଗଳବାର କହିଛନ୍ତି ଯେ, ଏହି ଦେଶର ସୁରକ୍ଷିତ ଭବିଷ୍ୟତ ପାଇଁ ଶାନ୍ତି ପ୍ରତିଷ୍ଠା କରିବାର ସମୟ ଆସିଛି। ଏଭଳି କହି ସେ ଭାରତ ସହ ବୁଝାମଣା କରିବା ପାଇଁ ଏକ ଅଫର ଦେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସେନାମୁଖ୍ୟ ଜେନେରାଲ ବାଜୱା ରିସାଲପୁରର ପାକିସ୍ତାନ ବାୟୁସେନା ଏକାଡେମୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଶାନ୍ତି ସ୍ଥାପନ କରିବା କଥା କହିଥିଲେ। ବାଜୱା କହିଥିଲେ ଯେ, ସମୟ ଆସିଛି ଯେ ଆମର ସମସ୍ତ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଏବଂ ବନ୍ଧୁତ୍ୱର ହାତ ବଢ଼ାଇବା । ଭାରତ ବାଲାକୋଟ ଏୟାର ଷ୍ଟ୍ରାଇକ କରିବା ଏବଂ ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ହଟାଇବା ପରଠାରୁ ବାଜୱା ଭାରତ ବିରୋଧୀ ବୟାନ ଦେବା ଆରମ୍ଭ କରିଥିଲେ। ହେଲେ ହଠାତ୍ ତାଙ୍କ ସ୍ୱର କେମିତି ବଦଳିଲା, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏହା ଭିତରେ ସନ୍ଦେହ ମଧ୍ୟ ଉପୁଜୁଛି ଯେ, ଆଗରେ ଏଭଳି ଶାନ୍ତିର ବାର୍ତ୍ତା କଥା କହି ପାକିସ୍ତାନ ପଛପଟୁ ଛୁରୀ ମାରିବାର ଅନେକ ନଜିର ରହିଛି । ତାହା ବି ପୁଣି ସୀମାରେ । ତେଣୁ ପାକିସ୍ତାନ ସେନାମୁଖ୍ୟଙ୍କ ଏଭଳି ବୟାନ ପଛରେ ଇମ୍ରାନ ସରକାରଙ୍କ କିଛି ଭାରତ ବିରୋଧୀ ଉଦ୍ଦେଶ୍ୟ ଲୁଚି ରହିନାହିଁ ତ ।
Follow Us